ରିୟାଧ,୩୧/୦୭: ସାଉଦି ଆରବ ସରକାର ବିଦେଶୀ ନାଗରିକ ଏବଂ କମ୍ପାନୀଗୁଡ଼ିକ ପାଇଁ ନିଜ ରିଅଲ ଇଷ୍ଟେଟ ମାର୍କେଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ନୂଆ ଆଇନ ୨୦୨୬ରୁ ଲାଗୁ ହେବ । ଏହା ଅନୁସାରେ, ବିଦେଶର ନିବେଶକ ରିୟାଧ, ଜେଦାହ ଏବଂ ଅନ୍ୟ  ସ୍ଥାନରେ ସମ୍ପତ୍ତି କିଣିପାରିବେ । ଏହା ସାଉଦି ସରକାରଙ୍କ ୨୦୨୦ ଭିଜନର ଅଂଶ । ଏହାର ଉଦ୍ଦେଶ୍ୟ ତେଲ ଉପରୁ ନିର୍ଭରଶୀଳତା ହ୍ରାସ  କରିବା ଏବଂ ଅର୍ଥବ୍ୟବସ୍ଥାରେ ବିବିଧତା ଆଣିବା । ଏବେର ନିୟମ ଅନୁସାରେ ଏସବୁ ଉପରେ ସାଉଦି ଆରବରେ କଟକଣା ରହିଛି । 

ସାଉଦି ଆରବ କ୍ୟାବିନେଟ ନିକଟରେ ଏହି ଆଇନକୁ  ମଞ୍ଜୁରି ଦେଇଛି । ରିଅଲ ଇଷ୍ଟେଟରେ ସୁଧାର ଦିଗରେ ଏହା  ଏକ ବଡ଼ ପଦକ୍ଷେପ ବୋଲି ସାଉଦି ହାଉସିଂ ମନ୍ତ୍ରୀ ମଜିଦ୍‌ ବିନ୍‌  ଅବଦୁଲ୍ଲା କହିଛନ୍ତି । ଏହି ଆଇନ ରିଅଲ ଇଷ୍ଟେଟରେ ନିବେଶ  ବଢ଼ାଇବ ଏବଂ ସାଉଦି ସହରଗୁଡ଼ିକୁ ବୈଶ୍ୱିକ ନିବେଶକ କେନ୍ଦ୍ର  ବନାଇବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ମକ୍କା, ମଦିନା  ଭଳି ପବିତ୍ର ସହରରେ ପ୍ରପର୍ଟି କିଣିବା ଉପରେ କଟକଣା ରହିବ ।  କାରଣ ଏହାର ଧାର୍ମିକ ଏବଂ ସାଂସ୍କୃତିକ ମହତ୍ତ୍ୱ ରହିଛି । ଏହି  ସହରଗୁଡ଼ିକରେ କେବଳ ମୁସଲମାନମାନେ ହିଁ କେତେକ ନିର୍ଦ୍ଦିଷ୍ଟ  ସର୍ତ୍ତରେ ସମ୍ପତ୍ତି କ୍ରୟ କରିପାରିବେ । ସେହିପରି ବିଦେଶୀ ନିବେଶକ  ସାଉଦି ଷ୍ଟକ୍‌ ଏକ୍ସଚେଞ୍ଜ ତଦାବୁଲରେ ତାଲିକାଭୁକ୍ତ ରିଅଲ ଇଷ୍ଟେଟ  କମ୍ପାନୀଗୁଡ଼ିକରେ ୪୯% ପର୍ଯ୍ୟନ୍ତ ସେୟାର କିଣିପାରିବେ, ଯାହା ମକ୍କା  ଓ ମଦିନାରେ ପ୍ରକଳ୍ପ ବିକଶିତ କରିଥାଏ । ରିଅଲ ଇଷ୍ଟେଟ ଜେନେରାଲ  ଅଥରିଟି ୧୮୦ ଦିନ ଭିତରେ ସେହି ଜାଗା ଏବଂ ନିୟମର ତାଲିକା  ଜାରି କରିବ, ଯେଉଁଠି ବିଦେଶୀ ନାଗରିକ ସମ୍ପତ୍ତି କିଣିପାରିବେ ।