ନୂଆଦିଲ୍ଲୀ ୨୩/୦୪: ଦୀର୍ଘ ଦୁଇ ଦଶନ୍ଧି ଧରି କୋମାରେ ରହିଥିବା ସାଉଦି ଆରବର ରାଜକୁମାର ଅଲ-ୱାଲିଦ ବିନ୍‌ ଖାଲେଦ ବିନ୍‌ ତଲାଲ ୩୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯ ବର୍ଷରୁ ଅଧିକ ସମୟ ଧରି ଶୋଇ ରହିଥିବାରୁ ‘ସ୍ଲିପିଂ ପ୍ରିନ୍ସ’ ନାମରେ ସେ ଜଣାଶୁଣା । ଏ ଅବସରରେ ଅନେକ ସୋସିଆଲ ମିଡିଆ ୟୁଜର୍‌ ଈଶ୍ୱରଙ୍କ ପାଖରେ ତାଙ୍କର ଆରୋଗ୍ୟ କାମନା କରି ବାର୍ତ୍ତା ଦେଇଛନ୍ତି ।

ଲଣ୍ଡନଠାରେ ଏକ କାର୍‌ ଦୁର୍ଘଟଣାରେ ମସ୍ତିଷ୍କରେ ଆଘାତ ଲାଗିବାରୁ ରାଜକୁମାର ଅଲ୍‌ୱାଲିଦ ୨୦୦୫ ମସିହାରୁ କୋମାରେ ଅଛନ୍ତି । ସେବେଠାରୁ ଭେଣ୍ଟିଲେଟର୍‌ ଓ ଫିଡିଂ ଟ୍ୟୁବ୍‌ ଜରିଆରେ ତାଙ୍କୁ ଜୀବିତ ରଖାଯାଇଛି । ୨୦୧୯ରେ ତାଙ୍କଠାରେ ସାମାନ୍ୟତମ ପ୍ରତିକ୍ରିୟାର ଲକ୍ଷଣ ଦେଖାଯାଇଥିଲା । ତାଙ୍କ ଆଙ୍ଗୁଳିରେ ହଲ୍‌ଚଲ ହୋଇଥିଲା ଏବଂ ମୁଣ୍ଡ ହାଲ୍‌କା ସ୍ଥାନରୁ ଘୁଞ୍ଚିଥିଲା । କିନ୍ତୁ ତା’ପରଠୁ ଆଉ କୌଣସି ପ୍ରଗତି ଲକ୍ଷ୍ୟ କରାଯାଇ ନାହିଁ । ରିୟାଧ ସ୍ଥିତ କିଙ୍ଗ୍‌ ଅବ୍‌ଦୁଲାଜିଜ୍‌ ମେଡିକାଲ ସିଟିରେ ରାଜକୁମାରଙ୍କ ଚିକିତ୍ସା ଚାଲିଛି । ଏକ ଡାକ୍ତର ଟିମ୍‌ ତାଙ୍କର ୨୪ ଘଣ୍ଟିଆ ଚିକିତ୍ସା ଚଳାଇଛନ୍ତି । ଅଭିଭାବକ ପ୍ରିନ୍ସ ଖାଲେଦ ବିନ୍‌ ତଲାଲ ଓ ପ୍ରିନ୍ସେସ୍‌ ରିମା ବିନ୍‌ତ ତଲାଲ ଏବେ ବି ତାଙ୍କର ଆରୋଗ୍ୟ ନେଇ ବିଶ୍ୱାସ ରଖିଛନ୍ତି ।