ବିଗତ ଜାନୁଆରୀ ୫, ୨୦୨୬ରେ ହରିୟାନାର ରୋହତକ ନଗରୀର ସଂପ୍ରସାରଣ ଲାଗି ଏହାର ସଂଲଗ୍ନ ୩୮ ଏକର ଜମି ଉପରେ ଥିବା ସବୁଜ ଅଞ୍ଚଳରୁ ପ୍ରାୟ ୧୨୦୦୦ ଗଛ କଟା ହେବା ପ୍ରସ୍ତାବ ବିରୁଦ୍ଧରେ ପଞ୍ଜାବ ହରିୟାନା ଉଚ୍ଚ ନ୍ୟାୟାଳୟରେ ହୋଇଥିବା ଏକ ଆବେଦନର ଶୁଣାଣି କରି ବିଚାରପତିମାନେ ପ୍ରଶ୍ନ କରିଥିଲେ– ତୁମେ କ’ଣ ତୁମ ନାତି ନାତୁଣୀମାନଙ୍କୁ ବଞ୍ଚି ରହିବାକୁ ଚାହଁ ନାହିଁ? କାରଣ, ସେମାନେ ଅନୁଭବ କରିଥିଲେ ଯେ ଏହିଭଳି ତଥାକଥିତ ବିକାଶମୂଳକ କାର୍ଯ୍ୟକ୍ରମ ଲାଗି ବ୍ୟାପକ ବୃକ୍ଷ ଛେଦନ ଚାଲିଲେ ଆମ ଆଗାମୀ ପିଢ଼ିଗୁଡ଼ିକରେ ଜୀବନ ବିପଦଗ୍ରସ୍ତ ହୋଇଯିବ ।
ଏକ ଆକଳନରୁ ଜଣାପଡ଼ିଛି ଯେ, ପ୍ରତିବର୍ଷ ପୃଥିବୀରେ ପ୍ରାୟ ୧୫.୩ ବିଲିଅନ (ହଜାର- ନିୟୁତ) ଗଛ କଟାଯାଉଛି, ଅର୍ଥାତ୍ ଦିନକୁ ୪୧ରୁ ୪୨ ନିୟୁତ । ଫଳରେ ବାର୍ଷିକ ୧୦ ନିୟୁତ ହେକ୍ଟର ଅରଣ୍ୟ କ୍ଷୟ ଘଟୁଛି । ସରକାରୀ ଗଣନାନୁସାରେ, ଆମ ଦେଶରେ ଏହା ୬ଲକ୍ଷ ହେକ୍ଟର । ଏଠାରେ ୨୦୨୦-୨୦୨୧ ମସିହାରେ ବିବିଧ ଯୋଜନା କାର୍ଯ୍ୟରେ ୩.୧ ନିୟୁତ ଏବଂ ୨୦୧୮ରୁ ୨୦୨୨ ମସିହା ମଧ୍ୟରେ କୃଷି ପାଇଁ ୫.୮ ନିୟୁତ ବୃକ୍ଷ ଛେଦନ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମ ହେତୁ ପୃଥିବୀରେ ବର୍ତ୍ତମାନ ମୁଣ୍ଡପିଛା ଗଛ ସଂଖ୍ୟା ୪୨୨ ଥିଲାବେଳେ, କାନାଡ଼ାରେ ସର୍ବାଧିକ ୧୦,୦୦୦ ଏବଂ ଆମ ଦେଶରେ ମାତ୍ର ୨୮ଟି ରହିଛି ।
ଜଣେ ବ୍ୟକ୍ତିର ଅମ୍ଳଜାନ ଆବଶ୍ୟକତା ମେଣ୍ଟାଇବା ପାଇଁ ୭ରୁ ୧୦ଟି ଗଛ ଦରକାର । ତେବେ ଆମ ଅଧିକାଂଶ ସହରାଞ୍ଚଳରେ ତାହା ନାହିଁ । ଗଛ କାଟିଲେ କିମ୍ବା ତାହା ବାଡ଼ବାଗ୍ନିରେ ଦଗ୍ଧ ହେଲେ କେବଳ ଅମ୍ଳଜାନ ଶୋଷଣ ପ୍ରକ୍ରିୟା ବ୍ୟାହତ ହୁଏନାହିଁ । ଏଥିସହିତ ତନ୍ମଧ୍ୟରେ ସଂଚିତ ଅଙ୍ଗାର ମଧ୍ୟ ପରିବେଶ ମଧ୍ୟକୁ ନିର୍ଗତ ହୁଏ । ଅନ୍ୟପକ୍ଷରେ, ଜଣେ ବ୍ୟକ୍ତି ହାରାହାରି ଭାବେ ବ୍ୟବହାର କରୁଥିବା ଜୀବାଶ୍ମ ଇନ୍ଧନର ପ୍ରଭାବକୁ ଏଡ଼ାଇବାକୁ ତହିଁରୁ ୭୩୦ଟି ଲୋଡ଼ା । କେବଳ କେତେକ ସ୍ଥାନ ଛାଡ଼ିଦେଲେ ଆମ ଦେଶର ଅନ୍ୟତ୍ର ଏହା ଉପଲବ୍ଧ ନୁହେଁ ।
ବୃକ୍ଷଛେଦନ ଏବଂ ତଦ୍ଜନିତ ଅରଣ୍ୟ କ୍ଷୟ କେବଳ ପରିବେଶର ଉଷ୍ମତା ବୃଦ୍ଧି ଘଟାଏ ନାହିଁ । ଏଥିସହିତ ବିଭିନ୍ନ ରୋଗର ଏବଂ ଆୟୁ କ୍ଷୟର ମଧ୍ୟ କାରଣ ହୋଇପାରେ । ‘କ୍ଲାଇମେଟ୍ ସେଣ୍ଟ୍ରାଲ’ (ପ୍ରିନ୍ସଟନ୍, ନିଉଜର୍ସେ, ୟୁଏସ୍) ଦ୍ୱାରା ଅନୁଷ୍ଠିତ ଏକ ଆକଳନ ଅନୁସାରେ, ୨୦୨୧ ମସିହାରୁ ୨୦୨୫ ମସିହା ମଧ୍ୟରେ ପ୍ରତିବର୍ଷ ଆମ ଦେଶରେ ୩୦ ଡିଗ୍ରୀ ତାପମାତ୍ରାରୁ ଅଧିକ ଉତ୍ତପ୍ତ ଦିବସ ସଂଖ୍ୟା ୩୦ରୁ ଅଧିକ ବଢ଼ି ବଢ଼ି ଚାଲିଛି । ଫଳରେ ମୁଖ୍ୟ ଫସଲଗୁଡ଼ିକର ଉତ୍ପାଦନ ୩ରୁ ୪ ଶତାଂଶ ହ୍ରାସ ପାଉଛି ବୋଲି ସୂଚନା ଦେଇଛି ବିଶ୍ୱ ବ୍ୟାଙ୍କ । ଏହି ଅନୁଯାୟୀ, ଆଗାମୀ ୨୦୫୦ ମସିହା ବେଳକୁ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଗଲେ ଏହା ୬/୭ ଶତାଂଶ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ, ବିଗତ ବର୍ଷମାନଙ୍କରେ ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ଅନୁଷ୍ଠିତ ଅଧ୍ୟୟନରୁ ଦୀର୍ଘକାଳ ଧରି ଉଚ୍ଚ ତାପମାତ୍ରାର ସମ୍ମୁଖୀନ ହେବାଦ୍ୱାରା ବୟସ ବୃଦ୍ଧି ପ୍ରକ୍ରିୟାକୁ କ୍ଷିପ୍ର ଏବଂ ଆୟୁ କ୍ଷୟ ଘଟାଉଥିବାର ସୂଚନା ମିଳିଛି । ଜିନ୍ମାନଙ୍କ କ୍ରିୟାକଳାପରେ ପରିବର୍ତ୍ତନ ଆଣିବା ଫଳରେ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ସହିତ ଏହା ଘଟୁଛି । ବିଶେଷ କରି ଶିଶୁ ଓ ବୟସ୍କ ଲୋକେ ଏହାଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି ।
ଆୟୁ ଆମ ଜୈବିକ ବୟସ ଉପରେ ନିର୍ଭରଶୀଳ । ଜୀବକୋଷ ଓ ଅଙ୍ଗପ୍ରତ୍ୟଙ୍ଗ ଆଦି କେତେ କାଳ ଉତ୍ତମ ରୂପେ କାର୍ଯ୍ୟକ୍ଷମ ରହନ୍ତି ଏହା ତାହାରି ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଅନ୍ୟପକ୍ଷରେ, ଆମ ସଂଖ୍ୟାଗତ ବୟସ ଗଣନା କରାଯାଏ ଜନ୍ମ ତାରିଖ ବିଚାରକୁ ନେଇ । ଯେତେବେଳେ ପୂର୍ବୋକ୍ତଟି ଶେଷୋକ୍ତଟିକୁ ଅତିକ୍ରମ କରିଯାଏ ତାହା ଶରୀରକୁ ଅକ୍ଷମ କରେ ଏବଂ ରୋଗ ତଥା ଅକାଳ ମୃତ୍ୟୁର ସମ୍ଭାବନା ବଢ଼ାଇ ଦିଏ । ଅଧିକ ତାପମାତ୍ରା ଏ ପ୍ରକ୍ରିୟାକୁ ତ୍ୱରାନ୍ମିତ କରେ ।
ଦେଖାଯାଏ ଯେ, ବୃକ୍ଷଲତାଭରା ସ୍ଥାନ ବା ଅରଣ୍ୟ ଅପେକ୍ଷା ତାହା ନଥିବା ଏହା ନିକଟବର୍ତ୍ତୀ ଅଞ୍ଚଳ ହାରାହାରି ୧୨ଡିଗ୍ରୀ ସେଲ୍ସିୟସ୍ ଉତ୍ତପ୍ତ । ଅତଏବ ଏଠାର ଉଷ୍ମ ପରିବେଶ ଅକାଳ ବାର୍ଦ୍ଧକ୍ୟ ତଥା ମୃତ୍ୟୁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଥିବା ଜିନ୍ ଗୁଡ଼ିକୁ ଅଧିକ ପ୍ରଭାବିତ କରିବା ସ୍ୱାଭାବିକ । ଏହା ବ୍ୟତୀତ ବୃକ୍ଷ ଛେଦନ ଓ ଅରଣ୍ୟ ବିଧ୍ୱଂସ ନାନାଦି ରୋଗ ସହିତ ମଧ୍ୟ ସଂପୃକ୍ତ । ଏହା ବାୟୁର ମାନ ହ୍ରାସ କରିବାରୁ ବିବିଧ ଶ୍ୱାସକ୍ରିୟାଜନିତ ସମସ୍ୟା, ସଂଘାତ, ସ୍ମୃତିଶକ୍ତିହୀନତା, ପାରକିନସନ୍ସ ରୋଗ ଆଦିର ସମ୍ଭାବନା ବୃଦ୍ଧି କରେ । ଏଭଳି ପରିବେଶ ମଧ୍ୟରେ ବହୁ ରୋଗ ସୃଷ୍ଟିକାରୀ ଜୀବାଣୁ ଓ ଭୂତାଣୁ ବଂଶ ବଢ଼ାନ୍ତି । ପୁନଶ୍ଚ ଅରଣ୍ୟ କ୍ଷୟକୁ ପଶୁମାନଙ୍କଠାରୁ ମଣିଷକୁ ସଂକ୍ରମିତ କରୁଥିବା ରୋଗମାନଙ୍କର ଅନ୍ୟତମ ମୁଖ୍ୟ କାରଣ ବୋଲି ମନେ କରାଯାଏ ।
ଆମ ନାତି-ନାତୁଣୀମାନେ ସାଧାରଣତଃ ଏବେ ଶିଶୁ । ସେମାନଙ୍କ ଶାରୀରିକ ବ୍ୟବସ୍ଥା ତଥା ଚୟାପୟନ ପ୍ରକ୍ରିୟା ତଥାପି ବିକାଶଶୀଳ ଅବସ୍ଥାରେ ଅଛି । ଅତଏବ ସେମାନଙ୍କ ଉପରେ ଏସବୁ ପ୍ରଭାବ ଅଧିକ ପଡ଼ିବା ସ୍ୱାଭାବିକ । ପୁନଶ୍ଚ ସେମାନେ ହେଲେ ଭବିଷ୍ୟତର ବଂଶଧର । ବର୍ତ୍ତମାନର ଧାରା ଅବ୍ୟାହତ ରହିଲେ ଏବଂ ନିର୍ବିଚାର ରୂପେ ବୃକ୍ଷ ଛେଦନ ଚାଲିଲେ ସେତେବେଳକୁ ଏହାର ପରିଣାମ ଅଧିକ ଭୟାବହ ହେବ ବୋଲି ଆଶା କରାଯାଇପାରେ । ଏପରି ସ୍ଥଳେ ମାନନୀୟ ବିଚାରପତିମାନେ ବିକାଶ ନାମରେ ବ୍ୟାପକ ବୃକ୍ଷ ଛେଦନ କରିବାକୁ ପଦକ୍ଷେପ ନେଉଥିବା ସରକାରଙ୍କୁ ଏଭଳି ପ୍ରଶ୍ନ ପଚାରିବା ଯୁକ୍ତିସମ୍ମତ । ଏଣୁ ଚାଲନ୍ତୁ, ଆମେ ସମସ୍ତେ ସବୁ ସ୍ତରରେ ଏହା ବିଚାରକୁ ନେଇ ବୃକ୍ଷ ଛେଦନ ପ୍ରକ୍ରିୟାକୁ ଯଥାସମ୍ଭବ ପ୍ରତିହତ କରିବା ଏବଂ ତଦ୍ୱାରା ଆମ ନାତି-ନାତୁଣୀମାନଙ୍କ ଜୀବନକୁ ନିରାପଦ କରି ତାଙ୍କୁ ଦୀର୍ଘକାଳ ବଞ୍ଚିରହିବାକୁ ଦେବା ।