ଖଲ୍ଲିକୋଟ,୨୬ ।୫ : ସ୍ୱାମୀଙ୍କ ଆୟୁଷ ବୃଦ୍ଧି କାମନା କରି ମହିଳା ମାନେ ସାବିତ୍ରୀ ବ୍ରତ ପାଳନ କରୁଥିବା ବେଳେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଭେଜିପୁଟଠାରେ କିନ୍ତୁ କିନ୍ନରମାନେ ନିଆରା ଢଙ୍ଗରେ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ମା’ ବାହୁତୀ କିନ୍ନର ସଂଘ ସଭାନେତ୍ରୀ ରାଜେଶ୍ୱରୀ କିନ୍ନରଙ୍କ ସହ ସମସ୍ତ କିନ୍ନର ନୂଆଁ ଶାଢ଼ୀ, ନୂଆଁ ଚୁଡି ପିନ୍ଧି ମହିଳାଙ୍କ ପରି ସୁସଜ୍ଜିତ ହୋଇ ହାତରେ ପୂଜା ଥାଳି ଧରି ବାବା ଲଙ୍ଗଳେଶ୍ବର ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ବୃନ୍ଦାବତୀଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ସାବିତ୍ରୀ ବ୍ରତ ପାଳନ କରିଥିଲେ ।

ମହିଳା ମାନେ ନିଜ ସ୍ୱାମୀଙ୍କ ଆୟୁଷ ବୃଦ୍ଧି ପାଇଁ ଏହି ବ୍ରତ ପାଳନ କରୁଥିବା ବେଳେ କିନ୍ନର ମାନେ ନିଜ ଗୁରୁଙ୍କ ଆୟୁଷ ବୃଦ୍ଧି ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ବୋଲି ସଂଘର ସଭାନେତ୍ରୀ ରାଜେଶ୍ୱରୀ କିନ୍ନର କହିଛନ୍ତି । ମା’ ବାହୁତୀ କିନ୍ନର ସଂଘର ସଦସ୍ୟା ସୋନାଲି କିନ୍ନର, ମାନସୀ କିନ୍ନର, ନାଗିନ୍ କିନ୍ନର, ତୁଳସୀ କିନ୍ନର, ମିନାକ୍ଷୀ କିନ୍ନର, ମାନିନୀ କିନ୍ନର, ରାନୀ କିନ୍ନର, ପରି କିନ୍ନର ଓ ସିଲା କିନ୍ନର ଙ୍କ ସହ ଅନ୍ୟାନ୍ୟ ସଦସ୍ୟା ମାନେ ଏହି ବ୍ରତ ପାଳନ କରିଥିଲେ ।