କଟକ,୨୦/୦୨: ଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ) ଚିକିତ୍ସାରେ ଏସ୍‌ସିବି ମେଡିକାଲ୍‌ ଆଉ ଏକ ବଡ଼ ସଫଳତା ହାସଲ କରିଛି । ହେମାଟୋଲୋଜି  ବିଭାଗରେ ଅସ୍ଥିମଜ୍ଜା ପ୍ରତିରୋପଣ ଚିକିତ୍ସା ବ୍ୟବସ୍ଥାରେ ୨  ବର୍ଷର ଶିଶୁ କନ୍ୟା ଏଲିଜା ନାଜ୍‌ ବିପଦମୁକ୍ତ ହୋଇଛନ୍ତି ।  ସମ୍ପୃକ୍ତ ରକ୍ତ ରୋଗୀଙ୍କୁ ୪ ବର୍ଷର ବଡ ଭଉଣୀ ଆତିଫା  ନାଜ୍‌ ଷ୍ଟେମ୍‌ ସେଲ୍‌ ଦାନ କରିଛନ୍ତି । ଫଳରେ ଏଲିଜା ରକ୍ତ  କର୍କଟ ରୋଗରୁ ରକ୍ଷା ପାଇଛନ୍ତି ବୋଲି ବିଭାଗୀୟ ବିଶେଷଜ୍ଞ  ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା କହିଛନ୍ତି ।  ରକ୍ତ କର୍କଟ ଆକ୍ରାନ୍ତ ଶିଶୁ ରୋଗୀଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା  ପ୍ରତିରୋପଣ କରାଯିବା ଏବଂ ଅନ୍ୟ ଜଣେ ଶିଶୁର ଷ୍ଟେମ  ସେଲ୍‌ ଦାନ ଦ୍ୱାରା ଉକ୍ତ ଅସ୍ଥିମଜ୍ଜା ପ୍ରତିରୋପଣ ହେବା  ଓଡ଼ିଶାର ପ୍ରଥମ ଘଟଣା ବୋଲି ପ୍ରଫେସର ଜେନା କହିଛନ୍ତି । 

ଝାଡଖଣ୍ଡ ଅଞ୍ଚଳର ସାହରୁଖ ଅନସାରୀଙ୍କ ଦୁଇ  ଶିଶୁ କନ୍ୟା ଏଲିଜା ଏବଂ ଆତିଫା । ଏଲିଜା ରକ୍ତ କର୍କଟ  ରୋଗରେ ଆକ୍ରାନ୍ତ ହୋଇଥିବାରୁ ପରିବାର ଲୋକେ ବହୁ  ଆଶଙ୍କାରେ ଥିଲେ । ଜାମସେଦପୁର ଟାଟା ମେମୋରିଆଲ୍‌  ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସା ହେବା ମଧ୍ୟରେ ଆକ୍ୟୁଟ  ମାଇଲଏଡ୍‌ ଲ୍ୟୁକୋମିଆରେ ପୀଡ଼ିତ ଥିବା ରୋଗ ନିରୂପଣ  ହୋଇଥିଲା । ପରିବାର ଲୋକେ ଅଧିକ ଚିକିତ୍ସା ଲାଗି ତାଙ୍କୁ ଏସ୍‌ସିବି ମେଡିକାଲ୍‌କୁ ଗତ ମାସରେ ଆଣି ଭର୍ତ୍ତି କରିଥିଲେ ।  

ହେମାଟୋଲୋଜି ବିଭାଗରେ ସମ୍ପୃକ୍ତ ଶିଶୁ ରୋଗୀଙ୍କୁ  କେମୋଥେରାପି ଆଦି ଅନ୍ୟାନ୍ୟ ଚିକିତ୍ସା ସୁବିଧା ମିଳିଥିଲା ।  ମାତ୍ର ସ୍ୱାସ୍ଥ୍ୟାବସ୍ଥା ଅବନତି ହେବାରୁ ଅସ୍ଥିମଜ୍ଜା ପ୍ରତିରୋପଣ  ପାଇଁ ପ୍ରଫେସର ଜେନା ପରାମର୍ଶ ଦେଇଥିଲେ । ଡାକ୍ତର  ଜେନାଙ୍କ ନେତୃତ୍ୱରେ ହେମାଟୋଲୋଜି ବିଭାଗୀୟ ମୁଖ୍ୟ  ପ୍ରଫେସର ଡାକ୍ତର ସୁଧା ସେଠୀ, ଶିଶୁ ରୋଗ ବିଭାଗର  ପ୍ରଫେସର ଗୀତା ସେଠୀ ଏବଂ ଡାକ୍ତର ଅନ୍ୱେଷା ଦାସ,  ଡାକ୍ତର ମନମୋହନ ବିଶ୍ୱାଳ ପ୍ରମୁଖଙ୍କୁ ନେଇ ଗଠିତ  ଟିମ୍‌ ରକ୍ତ କର୍କଟ ଆକ୍ରାନ୍ତ ଶିଶୁର ଅସ୍ଥିମଜ୍ଜା ପାଇଁ  ଜାନୁଆରୀ ଶେଷ ସପ୍ତାହରେ ପ୍ରସ୍ତୁତି ଆରମ୍ଭ କରିଥିଲେ ।  ପ୍ରାଥମିକ ସ୍ତରରେ ଷ୍ଟେମ ସେଲ୍‌ ଦାତା ଖୋଜା ଯାଇଥିଲା।  ତେବେ ଏଲିଜାଙ୍କ ବଡ ଭଉଣୀ ଆତିଫାଙ୍କ ଏଚ୍‌ଏଲ୍‌ଏ  (ହ୍ୟୁମାନ ଲ୍ୟୁକୋସାଇଟ ଆଣ୍ଟିଜେନ) ମେଳ ଖାଇବାରୁ  ଡାକ୍ତରୀ ଟିମ୍‌ ଆଶ୍ୱସ୍ତ ହୋଇଥିଲେ । ଗତ ୫ ତାରିଖରେ  ଆତିଫାଙ୍କଠାରୁ ଷ୍ଟେମ ସେଲ୍‌ ସଂଗ୍ରହ ହୋଇଥିଲା । ଷ୍ଟେମ୍‌  ସେଲ୍‌ ସଂଗ୍ରହ ପରେ ଭଉଣୀ ଏଲିଜା ଏହି ଅସ୍ଥିମଜ୍ଜା  ଚିକିତ୍ସା ସମ୍ଭବ ହୋଇଥିଲା । ଏଲିଜା ଖୁବ୍‌ଶୀଘ୍ର ଡିସଚାର୍ଜ  ହୋଇ ଘରକୁ ଫେରିବେ ବୋଲି ଡାକ୍ତରମାନେ କହିଛନ୍ତି ।