ନୂଆଦିଲ୍ଲୀ,୫/୦୭: ତାମିଲନାଡୁରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି କରିବା ଲାଗି ରାଜ୍ୟ  ସରକାର ଆଣିଥିବା ଆଇନ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟ  କେନ୍ଦ୍ର ସରକାର, ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ୟୁଜିସି  (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ)କୁ ନୋଟିସ ଜାରି କରିଛନ୍ତି। କୁଳପତି ନିଯୁକ୍ତି ନେଇ ରାଜ୍ୟପାଳଙ୍କ କ୍ଷମତା  ସଙ୍କୁଚିତ କରିବା ଲାଗି ଆସିଥିବା ଆଇନ ଉପରେ ମାଡ୍ରାସ  ହାଇକୋର୍ଟ ରୋକ୍‌ ଲଗାଇବା ପରେ ତାକୁ ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି । 

ଗତ  ମେ ୨୧ରେ ହାଇକୋର୍ଟ କୁଳପତି ନିଯୁକ୍ତି ସଂକ୍ରାନ୍ତ ଆଇନ  ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଏହି ଆଇନରେ କୁଳପତି ନିଯୁକ୍ତି, ବଦଳି ଓ ବହିଷ୍କାର  କରିବାର କ୍ଷମତା ରାଜ୍ୟପାଳଙ୍କ ଠାରୁ କାଢ଼ି ନିଆଯାଇ  ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ କରାଯାଇଛି। ବିଚାରପତି ପି.ଏସ୍‌ ନରସିହ୍ମା ଓ ବିଚାରପତି ଆର.  ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ କେବଳ ୩  ପକ୍ଷଙ୍କୁ ନୋଟିସ୍‌ ଜାରି କରି ଜବାବ ମାଗିଛନ୍ତି ।