କଟକ,୧୪/୦୨: ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରେ ରୋଗୀଙ୍କ ସୁବିଧା ପାଇଁ ବହିର୍ବିଭାଗ (ଓପିଡି) ଚିକିତ୍ସା ସେବାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଏହି ନୂତନ ବ୍ୟବସ୍ଥା ଫଳରେ ଏବେ ରୋଗୀମାନେ ନିର୍ଦ୍ଧାରିତ ଦିନ ବ୍ୟତୀତ ଅନ୍ୟ କାର୍ଯ୍ୟ ଦିବସରେ ଚିକିତ୍ସା କରୁଥିବା ସମ୍ପୃକ୍ତ ଡାକ୍ତରଙ୍କ ପରାମର୍ଶ ପାଇପାରିବେ । ସେହିଦିନ ମିଳୁନଥିବା ପରୀକ୍ଷା ରିପୋର୍ଟକୁ ପରେ ସଂଗ୍ରହ କରି ସଂପୃକ୍ତ ଡାକ୍ତରଙ୍କ ୱାର୍ଡ-ଚାମ୍ବରକୁ ଯାଇ ରିପୋର୍ଟ ଦେଖାଇ ପରାମର୍ଶ ନେଇପାରିବେ ବୋଲି ଏସ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି ।

ଏସ୍‌ସିବିର ଓପିଡିରେ ବିଭିନ୍ନ ବିଭାଗ ଓ ଡାକ୍ତରମାନଙ୍କ ପରାମର୍ଶ ପାଇଁ ନିର୍ଦ୍ଧାରିତ ଦିନ ବା ନିର୍ଦ୍ଦିଷ୍ଟ ବାର ସ୍ଥିର କରାଯାଇଛି । ଏଥିପାଇଁ ରୋଗୀ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଟିକେଟ୍ ବୁକିଂ କରି ସେହିଦିନ ଡାକ୍ତରୀ ପରାମର୍ଶ କରିଥାଆନ୍ତି । ଡାକ୍ତରୀ ପରାମର୍ଶ ପରେ ଅନେକ ସମୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଇବା ଓ ରିପୋର୍ଟ ପାଇବାକୁ ସମୟ ଲାଗିଥାଏ । ଯଦି ରୋଗୀ ସେହିଦିନ ରିପୋର୍ଟ ପାଇପାରନ୍ତି ନାହିଁ, ତେବେ ସେମାନଙ୍କୁ ସଂପୃକ୍ତ ଡାକ୍ତରଙ୍କ ଆଗାମୀ ନିର୍ଦ୍ଧାରିତ ବାର ବା ପରାମର୍ଶ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ । ଫଳରେ ଦୂରରୁ ଆସୁଥିବା ରୋଗୀ ଦୁଇରୁ ତିନି ଦିନ ଏପରିକି ସପ୍ତାହେ କଟକରେ ରହିବାକୁ ବାଧ୍ୟ ହେଉଥିଲେ କିମ୍ବା ଘରକୁ ଫେରି ବାରମ୍ବାର ସେମାନଙ୍କୁ କଟକ ଆସିବାକୁ ପଡ଼ୁଥିଲା । ତେଣୁ ଏସ୍‌ସିବି କର୍ତ୍ତୃପକ୍ଷ ନୂତନ ବ୍ୟବସ୍ଥା ଲାଗୁ କରିଛନ୍ତି ।

ଏହି ନୂତନ ନିୟମ ଅନୁସାରେ ଯଦି କୌଣସି ରୋଗୀ ନିର୍ଦ୍ଧାରିତ ଦିନରେ ଡାକ୍ତରଙ୍କୁ ରିପୋର୍ଟ ଦେଖାଇବାରେ ଅସମର୍ଥ ହୁଅନ୍ତି, ତେବେ ସେ ପରବର୍ତ୍ତୀ ଦିନ କିମ୍ୱା ଯେକୌଣସି ସରକାରୀ କାର୍ଯ୍ୟ ଦିବସରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସମ୍ପୃକ୍ତ ଡାକ୍ତର ଚିକିତ୍ସା କରୁଥିବା ୱାର୍ଡ କିମ୍ୱା ଚାମ୍ୱରକୁ ଯାଇ ପରାମର୍ଶ ନେଇପାରିବେ ବା ରିପୋର୍ଟ ଦେଖାଇପାରିବେ ।

ଆହୁରି ପଢ଼ନ୍ତୁ :- ମାନୁନାହାନ୍ତି ନିର୍ଦ୍ଦେଶାବଳୀ, ଏସ୍‌ସିବି ଆଇସିୟୁରେ ଫୁଲାଫାଙ୍କାରେ ବୁଲୁଛନ୍ତି କର୍ମଚାରୀ