କଟକ,୧୭/୦୩: ଏସ୍‌ସିବି ଟ୍ରମା ଆଇସିୟୁରେ ରବିବାର ରାତିର ଭୟାବହ ଅଗ୍ନିକାଣ୍ଡ ମେଡିକାଲ୍‌ର ତ୍ରୁଟିପୂର୍ଣ୍ଣ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି । କେବଳ ଟ୍ରମା ଆଇସିୟୁ ନୁହେଁ ସମଗ୍ର ଏସ୍‌ସିବିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏକଦମ୍ ଢିଲା । ଅଘଟଣ ଘଟିଲେ ହିଁ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଚେତା ପଶୁଛି । ଅତୀତରେ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହା ସତ୍ତେ୍ୱ ବର୍ତ୍ତମାନ ସ୍ଥିତିରେ ମଧ୍ୟ ମେଡିକାଲ୍‌ରେ ଅଗ୍ନିକାଣ୍ଡ ମୁକାବିଲା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ବିକାଶ କରାଯାଇନାହିଁ । ପୂରା ବ୍ୟବସ୍ଥାକୁ ଭଗବାନଙ୍କ ଭରସାରେ ଜାଣି ଛାଡ଼ି ଦିଆଯାଇଛି ।

ଏସ୍‌ସିବି ମେଡିକାଲ୍‌ରେ ରୋଗୀ ଚିକିତ୍ସିତ ହେଉଥିବା ବିଭିନ୍ନ ବିଭାଗର ୱାର୍ଡଠୁ ଆରମ୍ଭ କରି ଆଇସିୟୁ, ଓଟି କାନ୍ଥରେ ଫାୟାର୍ ଏକ୍‌ସ୍‌ଟିଙ୍ଗୁଇସର୍ ଲାଗିଛି । ଅଗ୍ନିକାଣ୍ଡ ମୁକାବିଲା ପାଇଁ ଉଦ୍ଦିଷ୍ଟ ଏକ୍‌ସିଟିଙ୍ଗୁଇସର୍ ଗୁଡ଼ିକର ବ୍ୟବହାର ଅବଧି ୫/୬ ମାସ ହେଲାଣି ସରିଗଲାଣି । ଏଣୁ ଦେଖିବାକୁ ଗଲେ ମେଡିକାଲ୍‌ରେ ବିଭିନ୍ନ ୱାର୍ଡର କାନ୍ଥରେ କେବଳ ଫମ୍ପା ସିଲିଣ୍ଡର୍ ହିଁ ବସ୍ତୁତଃ ଝୁଲୁଛି । ମାତ୍ର ଏଥିପ୍ରତି କାହାରି ନଜର ନାହିଁ । ସେହିପରି ଛାତ ସିଲିଂରୁ ପାଣି ସିଞ୍ଚନ ପାଇଁ ସ୍ପ୍ରିଙ୍କଲର୍ ସିଷ୍ଟମ୍, ଅଟୋମେଟିକ୍ ଡିଟେକସନ୍ ଅଫ୍ ସ୍ମୋକ୍ ଆଣ୍ଡ୍ ଫାୟାର୍ ଓ ଫାୟାର୍ ଆଲାମ୍‌ର ଆଦି ଅଗ୍ନି ନିର୍ବିପାକ ଯନ୍ତ୍ରରେ କେଉଁଠି ତ୍ରୁଟି ତ ଆଉ କେଉଁଠି ଠିକ୍ ଭାବେ କାମ କରୁନି । କେବଳ ସେତିକି ନୁହେଁ, ଲାଗିଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ନିୟମିତ ଭାବେ ଯାଞ୍ଚ୍ ହେଉନାହିଁ । ଏପରିସ୍ଥଳେ ଆଇସିୟୁ ଭଳି କୌଣସି ୱାର୍ଡରେ ଯଦି ଅଗ୍ନିକାଣ୍ଡ ଘଟିବ, ତେବେ ରୋଗୀଙ୍କୁ ବିପତ୍ତିରୁ ଉଦ୍ଧାର କରିବା କାଠିକର ପାଠ ହେବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି ।

ଏସ୍‌ସିବିର ବିଭିନ୍ନ ବିଭାଗର ଆଉଟ୍‌ଡୋର୍ ଓ ସୁପର ସ୍ପେସାଲ୍ ଆଉଟ୍‌ଡୋରେ ଦିନକୁ ୫ ହଜାରରୁ ଅଧିକ ରୋଗୀ ଚଳପ୍ରଚଳ ହେଉଥିବା ବେଳେ ବିଭିନ୍ନ ୱାର୍ଡରେ ପ୍ରାୟ ୪ହଜାରରୁ ଅଧିକ ରୋଗୀ ଦୈନନ୍ଦିନ ଚିକିତ୍ସିତ ହେଉଛନ୍ତି । ସେହିପରି ଜରୁରୀକାଳୀନ ଚିକିତ୍ସା କେନ୍ଦ୍ର, ଆଇସିୟୁ, ନିଦାନ କେନ୍ଦ୍ର ଆଦିରେ ହଜାର ହଜାର ସଂଖ୍ୟାରେ ରୋଗୀ ଓ ସେମାନଙ୍କ ସଂପର୍କୀୟ ଚଳପ୍ରଚଳ ହେଉଛନ୍ତି । ସେହିପରି ଓଟିଠାରୁ ଆରମ୍ଭ କରି ଆଇସିୟୁ, ନିଦାନ କେନ୍ଦ୍ର, ଔଷଧ ଗୋଦାମ ଆଦିରେ ଶହଶହ କୋଟି ଟଙ୍କାର ଔଷଧ ଓ ଅନ୍ୟ ସରଞ୍ଜାମ ଗଚ୍ଛିତ ରହିଛି । ମାତ୍ର ଅଗ୍ନିକାଣ୍ଡ ଜନିତ ବିପତ୍ତିରୁ ଧନଜୀବନର ସୁରକ୍ଷା ପାଇଁ ଏସ୍‌ସିବି ମେଡିକାଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଧର୍ମକୁ ଆଖିଠାର ପରି ରହିଛି । ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ :-  କଟକ ବଡ଼ ଡାକ୍ତରଖାନା ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, ୧୨କୁ ବଢ଼ିଲା ମୃତ୍ୟୁସଂଖ୍ୟା, ତଦନ୍ତ ଟିମ୍ ଗଠନ​​​​​​​

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାୟ ଅଢ଼େଇ କୋଟିରୁ ଅଧିକ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା । ଜିଇଡି ବିଭାଗ ତତ୍ତ୍ୱାବଧାନରେ ଟେଣ୍ଡର୍ ମାଧ୍ୟମରେ ଠିକାଦାର ଚୟନ କରାଯାଇ ଅଗ୍ନି ନିରାପତ୍ତା ଉପକରଣ ଲଗାଯାଇଥିଲା । ଠିକାଦାର ନିଜ ଇଚ୍ଛାରେ ଯେଉଁଠି ପାଇଲେ ସେଠାରେ ଅଗ୍ନି ନିର୍ବାପକ ଉପକରଣ ରଖିଦେଲେ । ଅନେକ ୱାର୍ଡରେ ଚିକିତ୍ସିତ ରୋଗୀ ମୁଣ୍ଡ ଉପରେ ଏବଂ ଏଠି ସେଠି ବିପଦପୂର୍ଣ୍ଣ ସ୍ଥିତିରେ କାନ୍ଥରେ ଏକ୍‌ସ୍‌ଟିଙ୍ଗୁଇସର୍ ଝୁଲୁଥିଲେ ହେଁ କାହାରି ନିଘା ନାହିଁ । ବ୍ୟବସ୍ଥାର ତଦାରଖ ଦାୟିତ୍ୱରେ ଜିଇଡି ସଂସ୍ଥା ଓ ଅନ୍ୟ ବିଭାଗ ମଧ୍ୟରେ ସମନ୍ୱୟ ରହୁନଥିବାରୁ ବିପର୍ଯ୍ୟସ୍ତ ସ୍ଥିତି ସୃଷ୍ଟି ହୋଇଛି ।

ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ଅଟୋମେଟିକ୍ ଏକ୍‌ସଟିଙ୍ଗୁଇସ୍‌ ଗୁଡ଼ିକ ଗତବର୍ଷ ଅକ୍ଟୋବର ମାସରୁ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଥିଲେ ମଧ୍ୟ ଏହାକୁ ବଦଳାଯାଇନାହିଁ । ଅଗ୍ନିକାଣ୍ଡ ମୁକାବିଲା ଲାଗି କେଉଁଠି ଡ୍ରାଏ କେମିକାଲ୍ ପାଉଡର୍ ଭର୍ତ୍ତି ଏକ୍‌ସ୍‌ଟିଙ୍ଗୁଇସର୍ ରହିବ ତ ଆଉ କେଉଁଠି କାର୍ବନ ଡାଇଅକ୍ସାଇଡ୍ ଓ ଫୋମ୍ ଭର୍ତ୍ତି ଥିବା ଏକ୍‌ସ୍‌ଟିଙ୍ଗୁଇସର୍ ରହିବ ତାହାର ଏକ ନିର୍ଦ୍ଦେଶାବଳୀ ରହିଛି । ମାତ୍ର ଏଠାରେ ତାହାର ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି । ଅଗ୍ନି ନିରାପତ୍ତା ନାଁରେ ଏଠାରେ କେବଳ ଠିକାଦାର ପୋଷା ଯାଉଥିବା କିଛି ମେଡିକାଲ୍ କର୍ମଚାରୀ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଏସ୍ସିବି ମେଡିକାଲ୍ ପରିସରରେ ଅଗ୍ନିଶମ ସେବା ସଂସ୍ଥାର ଏକ ସ୍ୱତନ୍ତ୍ର ଫାୟାର୍ ଷ୍ଟେସନ୍ ରହିଛି । ଫାୟାର ଷ୍ଟେସନ୍ ଅଧିକାରୀ ମେଡିକାଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ଅଛି କି ନାହିଁ ତାହା ଅନୁଧ୍ୟାନ କରି ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେଇଥିଲେ ବୋଲି କହିଛନ୍ତି । ଏହାକୁ ଆଧାର କରି ମେଡିକାଲ୍ କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇଥାନ୍ତି । ସେହି ଅନୁସାରେ ସ୍ୱାସ୍ଥ୍ୟ ବିଭାଗରୁ ବିଭିନ୍ନ ସମୟରେ ଏସ୍‌ସିବି ମେଡିକାଲ୍‌ର ଅଗ୍ନି ନିରାପତ୍ତା ପାଇଁ ଅନୁଦାନ ଆସୁଛି । ଅଗ୍ନି ନିରାପତ୍ତା ଉପକରଣର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ କୋଟିଏରୁ ଅଧିକ ଟଙ୍କା ଅନୁଦାନ ଆସିଥିଲେ ମଧ୍ୟ ତାହା ଏବେ କାମରେ ବିନିଯୋଗ ହୋଇପାରି ନଥିବା ଏସ୍ସିବି ସୂତ୍ରରୁ ସୂଚନା ମିଳିଛି ।