କଟକ,୨୬/୧୧: ଅସହାୟ ସ୍ଥିତିରେ ଅଜଣା, ଅଚିହ୍ନା ବୃଦ୍ଧ କିମ୍ବା ବୃଦ୍ଧା ରୋଗୀ ଜଣେ  ଯଦି ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲ୍‌ରେ  ଆସି ପହଞ୍ଚୁଛନ୍ତି, ତାଙ୍କ ପାଇଁ ଆଉ ଫେରିବାର  ସୁଯୋଗ ଜୁଟୁନାହିଁ । ସୁସ୍ଥ ହେଲା ପରେ  ମଧ୍ୟ ୱାର୍ଡରୁ ଡିସଚାର୍ଜ ହେବାର ସୁବିଧା  ବା ସମ୍ଭାବନା ଦିଶୁନାହିଁ । ଯେଉଁଥିପାଇଁ  ନିରାଶ୍ରୟ(ଡେଷ୍ଟିଚ୍ୟୁଟ୍‌) ୱାର୍ଡରେ ଏବେ  ପ୍ରାୟ ୨୦୦ ଅସହାୟ ବୃଦ୍ଧ-ବୃଦ୍ଧା ଦୀର୍ଘ ମାସ  ମାସ ଧରି ପଡ଼ି ରହିଛନ୍ତି । ନିଜ ଠିକଣା  ହଜାଇଥିବା ଏହି ଅସହାୟଙ୍କ ପାଇଁ ଏସ୍‌ସିବି  ମେଡିକାଲ ନିରାଶ୍ରୟ ୱାର୍ଡ ଏବେ ଜରାଶ୍ରମ  ବା ବୃଦ୍ଧାଶ୍ରମ ପାଲଟିଛି ।  

ସେମାନଙ୍କ ଶରୀରରେ କିଛି ରୋଗ ନାହିଁ ।  ତେଣୁ ଚିକିତ୍ସା ଦରକାର ପଡୁନାହିଁ । ତେବେ  ଚିକିତ୍ସା ଆବଶ୍ୟକ ନଥିଲେ ମଧ୍ୟ ମାସ ମାସ  ଧରି ଅନେକ ଅସହାୟ ଡାକ୍ତରଖାନା ଖଟିଆରେ  ପଡ଼ି ରହିଛନ୍ତି । ପାଞ୍ଚ କି ଦଶ ଜଣ ନୁହଁ,  ପ୍ରାୟ ଦୁଇ ଶହରୁ ଅଧିକ ଅସହାୟ ବୃଦ୍ଧ/ ବୃଦ୍ଧା ରୋଗ ନଥାଇ ବି ରୋଗୀଙ୍କ ମେଳରେ  ରହୁଛନ୍ତି । ସେମାନେ ନିଜ ନାଁ, ଗାଁ ସଂପର୍କରେ  କିଛି କହି ପାରୁନାହାନ୍ତି । ଯାହା ପଚାରିଲେ  ବାଉଳି ଚାଉଳି ହୋଇ ମନଇଚ୍ଛା ପାଟିକୁ ଯାହା  ଆସିଲା କହୁଛନ୍ତି । ପରିବାରଠାରୁ ଦୀର୍ଘ ଦିନ  ହେଲା ଦୂରେଇ ରହିଥିବା ଏହି ଅସହାୟମାନଙ୍କୁ  କୋଳେଇ ନେବା ପାଇଁ କେହି ଆଗେଇ  ଆସୁନାହାନ୍ତି । ଏହି ବୃଦ୍ଧ/ବୃଦ୍ଧାଙ୍କ ଭବିଷ୍ୟତକୁ  ନେଇ ଆଶଙ୍କା ଦେଖା ଦେଲାଣି ।  

ଏସ୍‌ସିବି ମେଡିକାଲ୍‌ ମେଡିସିନ୍‌, ସର୍ଜରୀ,  ଅର୍ଥୋପେଡିକ୍‌ ଆଦି ବିଭାଗରେ ଅସହାୟ  ରୋଗୀମାନଙ୍କ ଚିକିତ୍ସା ଓ ଉପଯୁକ୍ତ ଦେଖାଶୁଣା  ପାଇଁ ସ୍ୱତନ୍ତ୍ର ଭାବେ ନିରାଶ୍ରୟ (ଡେଷ୍ଟିଚ୍ୟୁଟ୍‌) ୱାର୍ଡ ଖୋଲାଯାଇଛି । ଉକ୍ତ ୱାର୍ଡରେ ନିରାଶ୍ରୟ  ରୋଗୀଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଥିଲେ ହେଁ ତାହା  ରୋଗୀଙ୍କ ଚିକିତ୍ସା ବଦଳରେ ଥଇଥାନ କେନ୍ଦ୍ର  ଭାବେ ବ୍ୟବହାର ହେଉଛି । ମେଡିସିନ୍‌ ବିଭାଗର  ନିରାଶ୍ରୟ ରୋଗୀଙ୍କ ପାଇଁ ଖୋଲାଯାଇଥିବା  ୱାର୍ଡରେ ସ୍ୱତନ୍ତ୍ର ଭାବେ ୩୦ଟି ବେଡ୍‌ ରହିଛି ।  ମାତ୍ର ଏଠାରେ ଶହେରୁ ଅଧିକ ଅସହାୟ  ରହୁଥିବା ଦେଖିବାକୁ ମିଳିଛି ।

ସେହିପରି ସର୍ଜରୀ ବିଭାଗ ୱାର୍ଡରେ ୨୧ଟି ବେଡ୍‌ ରହିଥିବା  ବେଳେ ପାଖାପାଖି ୪୦ ଜଣ ଅସହାୟ ବୃଦ୍ଧ/ବୃଦ୍ଧା ରହୁଛନ୍ତି ।  ଅର୍ଥୋପେଡିକ୍‌ ବିଭାଗ ନିରାଶ୍ରୟଙ୍କ ଲାଗି ୧୫ ଟି ବେଡ୍‌  ଉପଲବ୍‌ଧ ରହିଥିଲେ ହେଁ ଏଠାରେ ୪୦ରୁ ଅଧିକ ଲୋକ  ରହିଛନ୍ତି । ରୋଗୀଙ୍କ ଚିକିତ୍ସା ଲାଗି ଉକ୍ତ ବେଡ୍‌ ଗୁଡ଼ିକରେ  ଅସହାୟ ବୃଦ୍ଧ/ବୃଦ୍ଧା ଶୋଇଥିବା ବେଳେ ଆଉ କେତେକ  ଚଟାଣରେ ଗଡୁଛନ୍ତି । ଏପରି ସ୍ଥିତିରେ ଯଦି କେହି ଅସହାୟ  ରୋଗୀ ଚିକିତ୍ସା ପାଇଁ ନିରାଶ୍ରୟ ୱାର୍ଡରେ ଭର୍ତ୍ତି ହେଉଛନ୍ତି  ତାଙ୍କୁ ବେଡ୍‌ ମିଳିପାରୁନାହିଁ । 

ଫଳରେ ସମ୍ପୃକ୍ତ ରୋଗୀ  ଚଟାଣରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପାଇଁ ଆସୁଥିବା  ଅସହାୟ ରୋଗୀମାନେ ଥରଟିଏ ୱାର୍ଡରେ ଭର୍ତ୍ତି ହୋଇଗଲା  ପରେ ଆଉ ସେମାନଙ୍କୁ ଅନ୍ୟତ୍ର ପଠାଯିବାର ବନ୍ଦୋବସ୍ତ  ନାହିଁ । ଫଳରେ ନିରାଶ୍ରୟ ୱାର୍ଡରେ ଅନାବଶ୍ୟକ ଭାବେ  ଅନେକ ଅସହାୟଙ୍କର ଜୀବନ ଅନ୍ୟ ରୋଗୀଙ୍କ ମେଳରେ  ବିତୁଛି । ସୁସ୍ଥ ହେବା ପରେ ସମ୍ପୃକ୍ତ ଅସହାୟମାନଙ୍କୁ  ଡାକ୍ତରଖାନାରୁ ନେଇ ଅନ୍ୟତ୍ର କୌଣସି ବୃଦ୍ଧାଶ୍ରମ କିମ୍ବା  ଆଶ୍ରୟସ୍ଥଳରେ ଥଇଥାନ କରିବା ଦାୟିତ୍ୱ ସିଏମ୍‌ସି ଏବଂ  ଜିଲ୍ଲା ପ୍ରଶାସନର ହୋଇଥିଲେ ହେଁ ଏଥିପ୍ରତି ପ୍ରଶାସନିକ  ସ୍ତରରେ ଉଦ୍ୟମ ହେଉନାହିଁ । 

ଅନ୍ୟପକ୍ଷରେ ବିଭିନ୍ନ ନିରାଶ୍ରୟ ୱାର୍ଡରେ ଥିବା  ଅସହାୟଙ୍କୁ ସ୍ଥାନାନ୍ତର ଲାଗି ପ୍ରାୟ ଦୀର୍ଘ ଦିନ ହେଲା  ଏସ୍‌ସିବି ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ସିଏମ୍‌ସିକୁ ଚିଠି  ଲେଖା ଚାଲିଥିଲେ ହେଁ ଫଳ ଶୂନ । ଗତ ସପ୍ତାହରେ  ଏସ୍‌ସିବିରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକରେ  ଏନେଇ କ୍ଷୋଭ ପ୍ରକାଶ ପାଇଥିଲା । କଟକ ସାଂସଦ  ଭର୍ତ୍ତୃହରି ମହତାବ ଆଲୋଚନାରେ ଅଂଶଗ୍ରହଣ କରି  ବୃଦ୍ଧାଶ୍ରମ ନିର୍ମାଣ ଉପରେ ଗୁରୁତ୍ୱ ଦେବା ସହ ଅସହାୟଙ୍କୁ  ସ୍ଥାନାନ୍ତର କରାଇବା ଦିଗରେ ପଦକ୍ଷେପ ନେବାକୁ  ପରାମର୍ଶ ଦେଇଥିଲେ ।