କେନ୍ଦୁଝର ସଦର,୦୩/୧୧: କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଲିଆଗୋଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗେଟ୍ରେ ପଡ଼ିଲା ତାଲା । ଶିକ୍ଷାଦାନ ଏବଂ ଅନ୍ୟ କାର୍ଯ୍ୟରେ ଅନିୟମିତତାକୁ ନେଇ ଗେଟ୍ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ ।
ଅଭିଯୋଗ ମୁତାବକ, ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୭୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ୪ଜଣ ଶିକ୍ଷୟିତ୍ରୀ ଅଛନ୍ତି । ଅଧିକାଂଶ ସମୟରେ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟକୁ ସଠିକ୍ ସମୟରେ ଆସୁନାହାନ୍ତି କି ପାଠପଢା ପ୍ରତି ଗୁରୁତ୍ବ ଦେଉ ନାହାନ୍ତି । ଫଳରେ ଶିକ୍ଷାଦାନରେ ବାଧା ଉପୁଜୁଛି। ପୂର୍ବରୁ କଳ୍ପନା ସାହୁ ଶିକ୍ଷୟିତ୍ରୀ ଥିଲେ । ସେ ବିଦ୍ୟାଳୟକୁ ଗୁରୁତ୍ବ ଦେବା ସହ ସଠିକ୍ ଭାବରେ ପାଠ ବି ପଢାଉଥିଲେ। ସେ ଡେପୁଟେଶନରେ ଯିବା ପରେ ବିଦ୍ୟାଳୟରେ ଅନେକ ଅନିୟମିତତା ଚରମ ସୀମାରେ ପହଞ୍ଚି ଥିବାରୁ ଅଭିଭାବମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହ ବିଦ୍ୟାଳୟ ଗେଟ୍ରେ ତାଲା ପକାଇ ଧାରଣାରେ ବସିଛନ୍ତି।