ଭୁବନେଶ୍ୱର,୧୯/୦୬:  ରାଜ୍ୟରେ ଝାଡ଼ାବାନ୍ତି, ହଇଜା ମାଡ଼ି  ଚାଲିଛି । ଖରା ଛୁଟି ଏବେ ସରିବ ।  ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଖୋଲିବ। ଏଭଳି ପରିସ୍ଥିତିରେ  ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ଚିନ୍ତା  ଲାଗିଲାଣି । ଶିକ୍ଷାନୁଷ୍ଠାନରେ ଥିବା ପାଣି  ଟାଙ୍କିର ନିୟମିତ ସଫେଇ ହେଉନି ।  ଏପରିକି ଅଧିକାଂଶ ସ୍କୁଲରେ ବିଶୁଦ୍ଧ  ପାନୀୟ ଜଳର ବ୍ୟବସ୍ଥା ନାହିଁ ।  ଯଦି ବା କେଉଁଠି ଅଛି ସେଠି ଟାଙ୍କି  ଭାଙ୍ଗିରୁଜି ଗଲାଣି । ଏଭଳି ସ୍ଥିତିରେ କିପରି ପିଲାଙ୍କୁ ସ୍କୁଲ ଛାଡ଼ିବେ ତାକୁ ନେଇ  ଚିନ୍ତାରେ ଅଛନ୍ତି ଅଭିଭାବକ । 

କେବଳ  ଏତିକି ନୁହେଁ, ମଧ୍ୟାହ୍ନଭୋଜନ ପ୍ରସ୍ତୁତି ପାଇଁ ସିନା ବିଦ୍ୟାଳୟ ବିଭାଗ ମାର୍ଗଦର୍ଶିକା  ଜାରି କଲା । ଏହାକୁ ଅଭିଭାବକ, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ  ଯାଞ୍ଚ କରିବେ । ହେଲେ ଯେଉଁଠିକୁ ଖାଦ୍ୟ  ବାହାରୁ ଆସୁଛି ତାହା କେତେ ପରିଷ୍କାର  ଆଉ ସୁରକ୍ଷିତ ତାକୁ ନେଇ ଅଭିଭାବକ  ମାନେ ପ୍ରଶ୍ନ କରୁଛନ୍ତି । 

ଶୁକ୍ରବାର ଖୋଲିବ(କେବଳ କଟକ  ଓ ଭୁବନେଶ୍ୱର ବ୍ୟତୀତ) ସରକାରୀ,  ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ । ଏହା ପୂର୍ବରୁ  ମଧ୍ୟାହ୍ନଭୋଜନ ପାଇଁ ରହିଥିବା ସାମଗ୍ରୀର ଯାଞ୍ଚ କରିବାକୁ କୁହାଯାଇଛି । ମଧ୍ୟାହ୍ନଭୋଜନ ସ୍ଥାନକୁ  ପରିଷ୍କାର କରିବାକୁ ପିଏମ୍‌ ପୋଷଣ ୟୁନିଟ୍‌  ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ଥିବା  ପାଣିକୁ ଯାଞ୍ଚ କରିବା ଓ ବିଶୁଦ୍ଧ ପାଣି ଯୋଗାଇ  ଦେବାକୁ ଦାବି ହୋଇଛି । ସେହିପରି କଲେଜ, ବିଶ୍ୱବିଦ୍ୟାଳୟରେ  ଥିବା ହଷ୍ଟେଲର ଖାଦ୍ୟକୁ କିଭଳି ପରିସ୍ଥିତିରେ  ପ୍ରସ୍ତୁତ ହେଉଛି ତାକୁ ନିୟମିତ ଯାଞ୍ଚ  କରାଯାଉନି । ଅନେକ ହଷ୍ଟେଲରେ ଖାଦ୍ୟ  ବାହାରୁ ଆସୁଛି । କ୍ୟାମ୍ପସ ବାହାରେ ଗୁପ୍‌ଚୁପ୍‌,  ଦହିବରା ଭଳି ଫାଷ୍ଟଫୁଡ୍‌ର ଆସର ଜମୁଛି ।  ବର୍ଷ ବର୍ଷ ଧରି କ୍ୟାମ୍ପସରେ ଥିବା ପାଣି ଟାଙ୍କିକୁ  ସଫା କରାଯାଉନି । ରକ୍ଷଣାବେକ୍ଷଣ ନିୟମିତ  ଭାବେ କରାଯାଉନି । 

ସରକାରୀ ତଥ୍ୟ ଅନୁଯାୟୀ, ଯାଜପୁର,  କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ ଓ କଟକରେ  ଝାଡ଼ାବାନ୍ତି ବ୍ୟାପିଛି । ମାତ୍ର ବେସରକାରୀ  ତଥ୍ୟରେ ୯ ଜିଲ୍ଲା ରହିଛି । ଏହି ଝାଡ଼ାବାନ୍ତି  ଓ ହଇଜାର ମୁଖ୍ୟ କାରଣ ଦୂଷିତ ପାଣି ଓ  ନିମ୍ନମାନର ଖାଦ୍ୟ ବୋଲି ଡାକ୍ତର ମାନେ  କହୁଛନ୍ତି । ଏବେ ଏହାର ମୁକାବିଲା କରିବା ଶିକ୍ଷା  ବିଭାଗ ପାଇଁ ବଡ଼ ଆହ୍ୱାନ ପାଲଟିଛି । ପିଏମ ପୋଷଣର ରାଜ୍ୟ ନୋଡାଲ ଅଫିସର ଭବାନୀ  ପ୍ରସାଦ ମିଶ୍ରଙ୍କ କହିବା ଅନୁସାରେ ସ୍ୱଚ୍ଛତା ସହ  ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାକୁ ସ୍କୁଲ ଗୁଡ଼ିକୁ  ନିର୍ଦ୍ଦେଶ ଦିଆଯାଇଛି । ଏସଏମସି, ପ୍ରଧାନଶିକ୍ଷକ, ଡିଇଓ, ବିଇଓ ଓ ସିଆରସିସି ସ୍ୱଚ୍ଛ ପରିବେଶରେ  ଖାଦ୍ୟ ଦିଆଯାଉଛିକି ନାହିଁ ତାହା ଯାଞ୍ଚ କରିବେ।