ଭୁବନେଶ୍ୱର,୨୦/୦୬: ରାଜ୍ୟର  ସମସ୍ତ ବିଦ୍ୟାଳୟରେ ପାଳନ ହେବ ସ୍କୁଲ  ସୁରକ୍ଷା ସପ୍ତାହ । ଆଜିଠୁ ଆରମ୍ଭ ହେବ। ଜୁଲାଇ ୧୫ ଯାଏ ଚାଲିବ। ଏଥିରେ ସଫେଇ  କାର୍ଯ୍ୟକ୍ରମଠୁ ଆରମ୍ଭ କରି ସଚେତନତା  କରାଯବି । ସ୍କୁଲରେ ସ୍କୁଲ ସୁରକ୍ଷା ନେଇ  ଶପଥ ପାଠ ହେବ । ଶୌଚାଳୟ, କ୍ଲାସ  ରୁମ୍‌ କବାଟ ଆଦି ମରାମତି ହେବ ।  ସ୍କୁଲ ବିପର୍ଯ୍ୟୟ ପରିଚାଳନା ଯୋଜନା  ପ୍ରସ୍ତୁତ କରାଯିବ । ସମସ୍ତ ସ୍କୁଲରେ ଲାଗିବ ଜରୁରିକାଳୀନ ବେଲ୍‌ (ଘଣ୍ଟି) ।  ସାଧାରଣ ଲୋକଙ୍କ ପାଇଁ ସୂଚନା ଯନ୍ତ୍ର ତଥା ମାଇକ୍‌ ଲଗାଯିବ । ଯେପରି ଏହା ଜରୁରି  ସମୟରେ ସହାୟକ ହେବ । ସ୍କୁଲରେ ଥିବା  ଅଗ୍ନିନିର୍ବାପକ ଯନ୍ତ୍ର ଓ ବାଲି ଥିବା ବାଲ୍‌ଟିକୁ  ବାରମ୍ବାର ଯାଞ୍ଚ କରାଯିବ । ପ୍ରାଥମିକ ସ୍ୱାସ୍ଥ୍ୟ  ଚିକିତ୍ସା ବାକ୍ସକୁ ଯାଞ୍ଚ କରି ଏଥିରେ ନଥିବା ଔଷଧକୁ ରଖାଯିବ । ଫ୍ୟାନ୍‌, ବଲ୍‌ବଠୁ  ଆରମ୍ଭ କରି ବିଦ୍ୟୁତ ସାମଗ୍ରୀର ସୁରକ୍ଷା  ଯାଞ୍ଚ ହେବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା  ଅଧିକାରୀଙ୍କୁ ଚିଠି କରିଛି ଓଡ଼ିଶା ବିଦ୍ୟାଳୟ  ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) । 

ସ୍କୁଲ ସୁରକ୍ଷା ପଲିସି ୨୦୧୬  ଲାଗୁ କରାଯିବ । ଏହା ଅନୁଯାୟୀ,  ସ୍କୁଲ ପରିଚାଳନା କମିଟି, ଛାତ୍ରଛାତ୍ରୀ,  ପ୍ରଧାନଶିକ୍ଷକ, ଶିକ୍ଷକଙ୍କୁ ନେଇ ଏହି ସପ୍ତାହ  ପାଳନ ହେବ । ପାନୀୟ ଜଳ ବ୍ୟବସ୍ଥା,  ଶୌଚାଳୟ, ଶ୍ରେଣୀ ଗୃହର ସୁରକ୍ଷାକୁ  ସୁନିଶ୍ଚିତ କରାଯିବ । ୫ ଦିନିଆ କାର୍ଯ୍ୟକ୍ରମ  ଆୟୋଜିତ ହେବ । ସ୍କୁଲରେ ଥିବା  ଅସୁରକ୍ଷିତ ଛାତର ମରାମତି ଏବଂ ପାଖରେ  ଥିବା ପୋଖରୀକୁ ପିଲା ଯେପରି ନଯିବେ  ବ୍ୟବସ୍ଥା କରାଯିବ । ସ୍କୁଲ ସାଇନ ବୋର୍ଡକୁ  ଠିକ୍‌ ସ୍ଥାନରେ ରଖାଯିବ । ସ୍କୁଲ ଫାଟକ,  ପାହାଚକୁ ସଫା କରାଯିବ । ଛାତ୍ରଛାତ୍ରୀଙ୍କର  ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସାନିଟାଇଜର,  ଥର୍ମୋମିଟର ରଖିବାକୁ ସୁନିଶ୍ଚିତ କରାଯିବ।