ନମୌଜା,୪/୯ : କେନ୍ଦ୍ର ସରକାର ଠୁ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତି ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଉପଯୁକ୍ତ ଶିକ୍ଷକ ଥାଇ ମଧ୍ୟ ଛାତ୍ରଛାତ୍ରୀମାନେ ଶିକ୍ଷା ପାଇବା ପାଇଁ ବଞ୍ଚିତ ହେଉଛନ୍ତି l ଶିକ୍ଷା ବ୍ୟବସ୍ଥାର ଏମିତି ଏକ ବିକଳ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଶିକ୍ଷା ବିଭାଗ ଅଧୀନରେ ଥିବା ନଦୀ ଅପରପାର୍ଶ୍ଵ ଗାଁ ଏକମାଣିଆ ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦକ୍ଷିଣଡିହାଠାରେ l ଚତୁଃପାର୍ଶ୍ଵରୁ ନଦୀଘେରା ଏହି ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବା ସମୟରେ ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବିଙ୍କ ବହୁ ପ୍ରଚେଷ୍ଟା ପରେ ଏହି ବିଦ୍ୟାଳୟର ସ୍ଥାପନ କରାଯାଇଥିଲା l
ଯେତେବେଳେ ଏହି ଗ୍ରାମକୁ ରାସ୍ତା ନ ଥିବାରୁ ଅଞ୍ଚଳବାସୀ ନଦୀ ପାର ହୋଇ ଯାଇ ପାଠପଢ଼ାରୁ ବଞ୍ଚିତ ହେଉଥିଲେ ସେହି ସମୟରେ ୧୯୭୦ମସିହାରେ ସ୍ଥାପିତ ହୋଇଥିବା ସର୍ବ ପୁରାତନ ଏହି ବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷକ ଥିଲେ ମଧ୍ୟ ବିଦ୍ୟାଳୟରେ ପିଲାମାନେ ସଠିକ ଢଙ୍ଗରେ ଶିକ୍ଷା ଲାଭ ପାଉ ନ ଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି l ଗ୍ରାମବାସୀ ଓ ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ବିଦ୍ୟାଳୟରୁ ପାଠ ପଢି ବହୁ ବୁଦ୍ଧିଜୀବି ସୁନାମ ଧନ୍ୟ ଅର୍ଜନ କରିଛନ୍ତି l କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏବେ ଏହି ବିଦ୍ୟାଳୟରେ ଦିନ ୧୨ଟାରେ ଝୁଲୁଛି ତାଲା l ଏହି ବିଦ୍ୟାଳୟରେ ଶିକ୍ଷକ ନିୟମିତ ବିଦ୍ୟାଳୟକୁ ଆସୁନଥିବାବେଳେ ବହୁ ସମୟରେ ବିଦ୍ୟାଳୟରେ ତାଲା ପଡ଼ି ରହୁଥିବାରୁ ପିଲାମାନେ ପାଠ ନ ପଢି ଘଣ୍ଟା ଘଣ୍ଟା ଅପେକ୍ଷା କରି ଫାଟକ ନିକଟରୁ ଫେରି ଯାଉଛନ୍ତି l
ଏମିତିକି ବିଦ୍ୟାଳୟରେ ନିୟମିତ ମଧ୍ୟାହ୍ନ ଭୋଜନ ରୋଷେଇ ହେଉ ନ ଥିବାବେଳେ ଯେଉଁ ଦିନ ହେଉଛି ତାହା ନିମ୍ନମାନର ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ଚାଟଶାଳୀରୁ ଆରମ୍ଭ ହୋଇ ଏହି ବିଦ୍ୟାଳୟ ପରେ ନଡ଼ା ଛପର ଘରେ ଓ ପରେ ଛାତ ଘରକୁ ପରିବର୍ତ୍ତିତ ହୋଇଥିଲା l ଆରମ୍ଭରୁ ଶିକ୍ଷକମାନଙ୍କ ଶିକ୍ଷାଦାନ ଅତି ଉଚ୍ଚ କୋଟିର ଥିଲା l କିନ୍ତୁ ଆଜିର ସ୍ଥିତିରେ ଏହି ବିଦ୍ୟାଳୟରେ ଶିକ୍ଷକ ଥାଇ ମଧ୍ୟ ଛାତ୍ରଛାତ୍ରୀମାନେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି l ବାରମ୍ବାର ଏ ନେଇ ଗ୍ରାମବାସୀ ଓ ଅଭିଭାବକମାନେ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ l ଯଦି ଏହି ସମସ୍ୟାର ସ୍ଥାୟୀ ସମାଧାନ ନ ହୁଏ ତେବେ ଗ୍ରାମର ଶରତ ନାୟକ, ଖଗେଶ୍ୱର କରଣ, ଅନନ୍ତ କରଣ, ମଙ୍ଗୁଳି ଚରଣ ରାଉତ, ଜଗବନ୍ଧୁ କରଣ, କମଳାକାନ୍ତ କରଣ, ଉମାକାନ୍ତ ରାଉତ, ସୁଶାନ୍ତ କରଣ, ଆଦିକନ୍ଦ ଦାସ, ମାନସ ଦାସ, ଗଣେଶ ମଲିକ, କ୍ଷୀରୋଦ ମଲିକ, ଜୟରାମ ମଲିକ, ସଞ୍ଜୟ କୁଅଁର, ଅଜୟ ବେହେରା, ନୀଳମଣି ବେହେରା, ବାସୁଦେବ ମଲିକ ପ୍ରମୁଖ ଆନ୍ଦୋଳନର ଚେତାବନୀ ଦେଇଛନ୍ତି l
ତେବେ ବିଦ୍ୟାଳୟରେ ନିୟୋଜିତ ଦୁଇ ଶିକ୍ଷକ ଅନୁପସ୍ଥିତ ରହି ଶିକ୍ଷା ବିଭାଗକୁ ବେଖାତିର କରୁଥିବା ଦାୟିତ୍ୱହୀନ ଶିକ୍ଷକ ପ୍ରତି ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେବ ତାହା ସମୟକୁ ଅପେକ୍ଷା l ଏ ନେଇ ଆଳି ବ୍ଲକ ଶିକ୍ଷାଧିକାରୀ ଅଜିତ କୁମାର ବାରିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସେ ଘଟଣା ସମ୍ପର୍କରେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ l