ନୂଆଦିଲ୍ଲୀ ୧୦/୦୩: ବିଜ୍ଞାନ ବିଷୟରେ ଆମେ ବର୍ଷ ବର୍ଷ ଧରି  ପଢ଼ିଆସିଛୁ ଯେ ପାଣିର ୩ଟି ଅବସ୍ଥା ରହିଛି । ତାହା ହେଲା ତରଳ, କଠିନ ଏବଂ ଗ୍ୟାସୀୟ । କିନ୍ତୁ ବୈଜ୍ଞାନିକମାନେ ପାଣିର ଆଉ ଏକ ଅବସ୍ଥା ବିଷୟରେ ଜାଣିବାକୁ ପାଇଛନ୍ତି । ଏହାକୁ ପ୍ଲାଷ୍ଟିକ  ଆଇସ୍‌-୭ କୁହାଯାଉଛି । ପୂର୍ବରୁ ବୈଜ୍ଞାନିକମାନେ ଅନେକ ସିଦ୍ଧାନ୍ତର  ମଡେଲରେ ପ୍ଲାଷ୍ଟିକ୍‌ ଆଇସ୍‌-୭  ବାବଦରେ ଭବିଷ୍ୟବାଣୀ କରିଥିଲେ ।  କିନ୍ତୁ ଏବେ ପ୍ରଥମ କରି ପାଣିର ଏହି  ଅବସ୍ଥାର ଅସ୍ତିତ୍ୱ ବାବଦରେ ପ୍ରମାଣ  ମିଳିଛି । ଏ ନେଇ ନେଚର ପତ୍ରିକାରେ  ରିପୋର୍ଟ ପ୍ରକାଶ ପାଇଛି । 

ଅଧ୍ୟୟନ ରିପୋର୍ଟ ଅନୁସାରେ, ଫ୍ରାନ୍ସର ଇନ୍‌ଷ୍ଟିଚ୍ୟୁଟ ଲ-ଲେଙ୍ଗୱିନ୍‌ର ଅଧ୍ୟୟନକାରୀଙ୍କ ଏକ ଅନ୍ତର୍ଜାତୀୟ ଟିମ୍‌ ନିକଟରେ ୬ ଗିଗାପାସ୍କଲ ଚାପ ପର୍ଯ୍ୟନ୍ତ ପାଣିକୁ ଚାପି ରଖିଥିଲେ । ଉଚ୍ଚ କ୍ଷମତା ବିଶିଷ୍ଟ ଉପକରଣ ବ୍ୟବହାର ଦ୍ୱାରା ଏହାକୁ ୩୨୭ ଡିଗ୍ରୀ ସେଲ୍‌ସିୟସ  ପର୍ଯ୍ୟନ୍ତ ଗରମ କରି ପ୍ଲାଷ୍ଟିକ୍‌ ଆଇସ୍‌-୭ରେ ପରିଣତ କରିଥିଲେ । ରିସର୍ଚ୍ଚ ଟିମ୍‌ କ୍ୱାସି-ଇଲାଷ୍ଟିକ୍‌ ନ୍ୟୁଟ୍ରନ  ସ୍କାଟରିଂ (କ୍ୟୁଇଏନ୍‌ଏସ୍‌) ବ୍ୟବହାର କରିଥିଲେ । ଏହା ହେଉଛି ଏକ  ପ୍ରକ୍ରିୟା ଯେଉଁଥିରେ ହାଇଡ୍ରୋଜେନ  ପରମାଣୁ ଭଳି ଛୋଟ କଣିକାକୁ ଟ୍ରାକ୍‌  କରାଯାଇଥାଏ । ଏହି ପ୍ରକ୍ରିୟାରେ  ଅଧ୍ୟୟନକାରୀ ୧୭ ବର୍ଷ ପୁରୁଣା  ଭବିଷ୍ୟବାଣୀକୁ ଦୋହରାଇବା ସହ  ଉଚ୍ଚ ତାପମାତ୍ରା ଏବଂ ଚାପ ଯୋଗୁ  ବରଫ ଭିତରେ ଥିବା ହାଇଡ୍ରୋଜେନ  ବା ଉଦ୍‌ଜାନ ସୂକ୍ଷ୍ମ ଭାବେ ଘୂରିଥାଏ  ବୋଲି ଜାଣିବାକୁ ପାଇଥିଲେ ।  

ପ୍ଲାଷ୍ଟିକ୍‌ ଆଇସ୍‌-୭ରେ ତରଳ  ପାଣି ଏବଂ ବରଫ ଉଭୟର ଗୁଣ  ରହିଥାଏ । ଏଥିରେ ହାଇଡ୍ରାଜେନ୍‌ କିଛି  ସ୍ଥିତି ପର୍ଯ୍ୟନ୍ତ ଅବ୍ୟବସ୍ଥିତ ଢଙ୍ଗରେ  ରହିଥାଏ । ଏଥିଯୋଗୁ ଏହା ଭିତରେ  ଏକ ଅଦ୍ଭୁତ ସରଞ୍ଚନା ହୋଇଥାଏ ।  ଅଧ୍ୟୟନକାରୀଙ୍କ ଅନୁସାରେ, ଆମ  ସୌରମଣ୍ଡଳର ବରଫାବୃତ୍ତ ଗ୍ରହ  ଯେପରି ନେପଚ୍ୟୁନ୍‌, ୟୁରେନ୍ସ ବା  ବୃହସ୍ପତିର ଉପଗ୍ରହରେ ପ୍ଲାଷ୍ଟିକ୍‌ ଆଇସ୍‌-୭ ଥାଇପାରେ ।