ନୂଆଦିଲ୍ଲୀ,୧୮/୧୨: ପୃଥିବୀ ପୃଷ୍ଠ ତଳେ ବିଶାଳକାୟ ପର୍ବତ ସମାନ ଉଦ୍ଜାନ ଭଣ୍ଡାର ରହିଛି । ଏହାର କେବଳ ଗୋଟିଏ ଭାଗ ପୃଥିବୀବାସୀଙ୍କ ଜୀବାଶ୍ମ ଇନ୍ଧନ ଆବଶ୍ୟକତାକୁ ଦୀର୍ଘ ୨୦୦ ବର୍ଷ ଧରି ପୂରଣ କରିବ । ବୈଜ୍ଞାନିକମାନେ ସଦ୍ୟ ଅଧ୍ୟୟନରୁ ଏହା ଜାଣିବାକୁ ପାଇଛନ୍ତି । ଅଧ୍ୟୟନ ଅନୁସାରେ, ପୃଥିବୀରେ ପ୍ରାୟ ୬.୨ ଟ୍ରିଲିଅନ୍ ଟନ୍ ଉଦ୍ଜାନ ମହଜୁଦ ଅଛି । ପଥର ଓ ଭୂତଳ ଭଣ୍ଡାରମାନଙ୍କରେ ଏହା ଲୁକ୍କାୟିତ ଅବସ୍ଥାରେ ଅଛି । ଯାହା ପୃଥିବୀରେ ମହଜୁଦ ତେଲର ପ୍ରାୟ ୨୬ ଗୁଣ । କିନ୍ତୁ ଏହି ଉଦ୍ଜାନ ଭଣ୍ଡାର କେଉଁଠି ଅଛି, ତାହା ଅଦ୍ୟାବଧି ଚିହ୍ନଟ ହୋଇପାରି ନାହିଁ । ଅଧ୍ୟୟନର ମୁଖ୍ୟ ଲେଖକ ଆମେରିକୀୟ ଜିଓଲୋଜିକାଲ ସର୍ଭେର ପେଟ୍ରୋଲିୟମ୍ ଜିଓକେମିଷ୍ଟ୍ ଜିଓଫ୍ରେ ଏଲିସ୍ କହିଛନ୍ତି, ଅଧିକାଂଶ ଉଦ୍ଜାନ ଭଣ୍ଡାର ଗଭୀର ସମୁଦ୍ରରେ କିମ୍ବା ବହୁ ଦୂରରେ ଅବସ୍ଥିତ । କିଛି ଭଣ୍ଡାର ଏତେ ଛୋଟ ଯେ ଆର୍ଥିକ ଦୃଷ୍ଟିରୁ ସେଗୁଡ଼ିକୁ ବାହାର କରିବା ସମ୍ଭବ ନୁହେଁ । ଏ ସମସ୍ତ ସୀମା ସତ୍ତେ୍ୱ ଉଦ୍ଜାନର ମାତ୍ରା ପର୍ଯ୍ୟାପ୍ତଠୁ ମଧ୍ୟ ଅଧିକ ବୋଲି ଅଧ୍ୟୟନ ଦର୍ଶାଇଛି । ଉଦ୍ଜାନ ସ୍ୱଚ୍ଛ ଶକ୍ତିର ଏକ ଉତ୍ସ । ଏହା ବାହନଗୁଡ଼ିକୁ ଇନ୍ଧନ ଯୋଗାଏ, ଔଦ୍ୟୋଗିକ ପ୍ରକ୍ରିୟାଗୁଡ଼ିକୁ ଶକ୍ତି ପ୍ରଦାନ କରେ ଏବଂ ବିଦ୍ୟୁତ୍ ଉତ୍ପନ୍ନରେ ସାହାଯ୍ୟ କରେ ।
ଅଧ୍ୟୟନ ଅନୁସାରେ, ମାତ୍ର ୨ ପ୍ରତିଶତ ଉଦ୍ଜାନ ୧୨,୪୦୦ କୋଟି ଟନ୍ ଗ୍ୟାସ୍ ସହ ସମାନ । ଶୂନ୍ୟ-ଅଙ୍ଗାରକାମ୍ଳ ଲକ୍ଷ୍ୟ ହାସଲ ପାଇଁ ଉଦ୍ଜାନର ଆବଶ୍ୟକତାକୁ ଏହା ଦୀର୍ଘ ୨୦୦ ବର୍ଷ ଧରି ପୂରଣ କରିବ ବୋଲି ଏଲିସ୍ କହିଛନ୍ତି । ଏହି ପରିମାଣର ଉଦ୍ଜାନରୁ ଉତ୍ପନ୍ନ ଶକ୍ତି ପୃଥିବୀର ସମସ୍ତ ପ୍ରାକୃତିକ ଗ୍ୟାସ୍ ଭଣ୍ଡାରରେ ଗଚ୍ଛିତ ଶକ୍ତିର ପ୍ରାୟ ଦୁଇ ଗୁଣ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ସାଇନ୍ସ ଆଡ୍ଭାନ୍ସେସ୍ ପତ୍ରିକାରେ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି । ପୃଥିବୀ ମଧ୍ୟରେ ଉଦ୍ଜାନର ମାତ୍ରା ଆକଳନ କରିବା ପାଇଁ ଗବେଷକମାନେ ଏକ ମଡେଲ ପ୍ରୟୋଗ କରିଥିଲେ, ଯାହା ଭୂତଳେ ଉତ୍ପନ୍ନ ଗ୍ୟାସ୍ର ହାର ହିସାବ କରିଥିଲା । ଏହି ମାତ୍ରା ଜଳାଶୟଗୁଡ଼ିକରେ ଫସି ରହିବାର ସମ୍ଭାବନା ରହିଛି ଏବଂ ବିଭିନ୍ନ ପ୍ରକ୍ରିୟା ଯଥା- ପଥରଗୁଡ଼ିକରୁ ଲିକ୍ ହେବା ଯୋଗୁ ଏବଂ ବାୟୁମଣ୍ଡଳରେ ମିଶି ଏହା ନଷ୍ଟ ହୋଇଛି । ପଥରରେ ରାସାୟନିକ ପ୍ରତିକ୍ରିୟା ଜରିଆରେ ଉଦ୍ଜାନ ସୃଷ୍ଟି ହୋଇଥାଏ । ସବୁଠୁ ସରଳ ପ୍ରତିକ୍ରିୟା ହେଉଛି ଜଳକୁ ଉଦ୍ଜାନ ଓ ଅମ୍ଳଜାନରେ ବିଭାଜନ କରିବା । ଉଦ୍ଜାନ ଉତ୍ପନ୍ନ ପାଇଁ ଅନେକ ପ୍ରାକୃତିକ ପ୍ରକ୍ରିୟା ରହିଛି । କିନ୍ତୁ ଅଧିକାଂଶ ଖୁବ୍ କମ୍ ମାତ୍ରାର ଉଦ୍ଜାନ ଉତ୍ପନ୍ନ କରୁଛନ୍ତି ବୋଲି ଏଲିସ୍ କହିଛନ୍ତି ।
ସଦ୍ୟ ଅଧ୍ୟୟନ ପୂର୍ବରୁ ବୈଜ୍ଞାନିକମାନେ ଜାଣିନଥିଲେ ଯେ ପୃଥିବୀ ପୃଷ୍ଠ ତଳେ ଉଦ୍ଜାନ ଜମା ହୁଏ । ଏଲିସ୍ କହିଛନ୍ତି, ତାଙ୍କର ପୂରା କ୍ୟାରିଅର୍ରେ ସେ ଜାଣିଥିଲେ ଯେ ଉଦ୍ଜାନ ଥାଏ, ଏହା ଉତ୍ପନ୍ନ ହୁଏ କିନ୍ତୁ ଅତି କ୍ଷୁଦ୍ର ଅଣୁ ରୂପେ । ଛୋଟ ଛିଦ୍ର ଏବଂ ଫାଟ ଓ ପଥର ଜରିଆରେ ଏହା ବାହାରିଯାଏ । କିନ୍ତୁ ବୈଜ୍ଞାନିକମାନେ ଯେତେବେଳେ ପଶ୍ଚିମ ଆଫ୍ରିକା ଓ ତା’ପରେ ଆଲ୍ବାନିଆର କ୍ରୋମିୟମ୍ ଖଣିରେ ବିଶାଳ ଉଦ୍ଜାନ ଭଣ୍ଡାର ଆବିଷ୍କାର କଲେ, ସେମାନଙ୍କ ପୂର୍ବ ଧାରଣା ସମ୍ପୂର୍ଣ୍ଣ ବଦଳିଗଲା । ଏବେ ଏହା ସ୍ପଷ୍ଟ ହୋଇଛି, ପୃଥିବୀର ଜଳଭଣ୍ଡାରଗୁଡ଼ିକରେ ଉଦ୍ଜାନ ସୃଷ୍ଟି ହୁଏ । ସଦ୍ୟ ଅଧ୍ୟୟନ ଦର୍ଶାଇଛି, କିଛି ଉଦ୍ଜାନ ଭଣ୍ଡାର ଅତ୍ୟନ୍ତ ବିଶାଳ ମଧ୍ୟ ହୋଇପାରେ । ପୃଥିବୀ ତଳେ ୧୦୦ କୋଟିରୁ ୧୦ ଟ୍ରିଲିଅନ୍ ଟନ୍ ଉଦ୍ଜାନ ଥାଇପାରେ ବୋଲି ମଡେଲ ଦର୍ଶାଇଛି । ଏକ ଆକଳନ ଅନୁସାରେ, କିଛି କ୍ଷେତ୍ରରେ ଭବିଷ୍ୟତର ଶକ୍ତି ଯୋଗାଣରେ ଉଦ୍ଜାନର ଯୋଗଦାନ ୩୦ ପ୍ରତିଶତ ହୋଇପାରେ । ୨୦୫୦ ମସିହା ସୁଦ୍ଧା ବିଶ୍ୱସ୍ତରରେ ଏହାର ଚାହିଦା ୫ ଗୁଣ ବଢ଼ିବାର ଆଶା କରାଯାଉଛି । ପାଣିର ଇଲେକ୍ଟ୍ରୋଲିସିସ୍ ଜରିଆରେ କୃତ୍ରିମ ଉପାୟରେ ଏହି ଗ୍ୟାସ୍ ଉତ୍ପନ୍ନ କରାଯାଉଛି । ଏଥିରେ ବୈଦ୍ୟୁତିକ କରେଣ୍ଟ୍ ସହିତ ଜଳ ଅଣୁ ବିଭାଜିତ ହୋଇଥାଏ । ଯେତେବେଳେ ପୁନଃନବୀକରଣଯୋଗ୍ୟ ଶକ୍ତି ପ୍ରୟୋଗ ହୁଏ, ସେହି ଉତ୍ପାଦକୁ ‘ସବୁଜ ଉଦ୍ଜାନ’ କୁହାଯାଏ । ଯେତେବେଳେ ଜୀବାଶ୍ମ ଇନ୍ଧନ ପ୍ରୟୋଗ ହୁଏ, ତାକୁ ‘ନୀଳ ଉଦ୍ଜାନ’ କୁହାଯାଏ ।