ନୂଆଦିଲ୍ଲୀ ୧୯/୦୬: ଆମେରିକାର ୟୁଟାହ ୟୁନିଭର୍ସିଟିରେ ବୈଜ୍ଞାନିକମାନେ ନିଶା ଅଭ୍ୟାସ ଉପରେ ଗବେଷଣା ଲାଗି ମାଛିକୁ କୋକେନ (ଡ୍ରଗ୍ସ) ଦେଉଛନ୍ତି । ବିଭିନ୍ନ ପ୍ରକାର ଫଳରେ ବସୁଥିବା ମାଛିଗୁଡ଼ିକୁ ଜେନେଟିକାଲି  ଏଭଳି ବଦଳାଯାଇଛି ଯାହାଦ୍ୱାରା  ମାଛିର ଶରୀର କୋକେନ ପ୍ରତି ଘୃଣା ଦେଖାଇବନି । ଫଳରେ ବସୁଥିବା ମାଛି ଏବଂ ମଣିଷ ଭିତରେ ଥିବା ଜିନ୍‌ ପରସ୍ପର ସହ ପ୍ରାୟ ୭୫% ମେଳ ଖାଇଥାଏ । ବିଶେଷ କରି ମାଛିର ବଡ଼  ଅଙ୍ଗ ଏବଂ ରୋଗ ସହ ଜଡ଼ିତ ଜିନ୍‌ । 

ଗବେଷଣା ଜରିଆରେ ବୈଜ୍ଞାନିକମାନେ  ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ନିଶା ଅଭ୍ୟାସ କିପରି ଆରମ୍ଭ ହୋଇଥାଏ । ଏହା  କିପରି ବଢ଼େ ଏବଂ ଏହାକୁ କିପରି ରୋକାଯାଇପାରିବ । ସାଧାରଣତଃ ଏହି ମାଛିଗୁଡ଼ିକ କୋକେନଠାରୁ ଦୂରେଇ ରୁହନ୍ତି । ବୋଧହୁଏ  କୋକେନର ସ୍ୱାଦ ସେମାନଙ୍କୁ କଡ଼ା ଲାଗେ । ଏହି କଡ଼ାପଣ ମାଛିର ଗୋଡ଼ରେ  ଥିବା କିଛି ସ୍ୱତନ୍ତ୍ର ଟେଷ୍ଟ ରିସେପ୍ଟର୍ସରୁ ଜଣାପଡ଼ିଥାଏ । ବୈଜ୍ଞାନିକମାନେ ସେହି ରିସେପ୍ଟର୍ସକୁ ନିଷ୍କ୍ରିୟ କରିଦେଇଛନ୍ତି । ଏହା ପରେ ମାଛିକୁ କୋକେନ  ଦିଆଯାଇଥିଲା । ମାତ୍ର ୧୬ ଘଣ୍ଟା ଭିତରେ ହିଁ କୋକେନ ମିଶ୍ରିତ ମିଠା ପାଣିକୁ ମାଛିଗୁଡ଼ିକ ସାଧା ପାଣିଠାରୁ ଅଧିକ ମାତ୍ରାରେ ପିଇଥିବା ଦେଖାଯାଇଥିଲା ।