ରାଉରକେଲା,୨୫/୧୧ : ସିରିଜ ଦୁର୍ଘଟଣା କଲା ସ୍କର୍ପିଓ । ସ୍କର୍ପିଓ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ଆଜି ଅପରାହ୍ନ ପ୍ରାୟ ୩ଟାରେ ଦକ୍ଷିଣ ରାଉରକେଲାର ଜଳଦା ସି ବ୍ଲକ ଛକସ୍ଥିତ ୧୪୩ନମ୍ବର ଜାତୀୟ ରାଜପଥ ଉପରେ ଘଟିଥିଲା ।
ସୂଚନା ଅନୁସାରେ, ଗୋଟିଏ ସ୍କର୍ପିଓ ଲାଠିକଟା ପଟୁ ରାଉରକେଲା ଆଡ଼କୁ ଆସୁଥିଲା । ଜଳଦା ସି ବ୍ଲକ ଛକରେ ଚାଳକ ଭାରସାମ୍ୟ ହରାଇ ସ୍କର୍ପିଓ ପ୍ରଥମେ ବସକୁ ଅପେକ୍ଷା କରିଥିବା ମହିଳାଙ୍କୁ ଧକ୍କା ଦେଇଥିଲା । ପରେ ଡିଭାଇଡର ଭାଙ୍ଗି ସର୍ଭିସ ରୋଡ଼ରେ ଛିଡ଼ା ହୋଇଥିବା ୩ଜଣଙ୍କୁ ଧକ୍କା ମାରି ଗୋଟିଏ କାର୍ ଓ ବୁଲେଟକୁ ଧକ୍କା ଦେଇଥିଲା ।
ଜଳଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ସରକାରୀ ଡାକ୍ତରଖାନାକୁ ପଠାଇଥିଲା । ସେଠାରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉତ୍ତମ ଚିକିତ୍ସା ଲାଗି ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଜଣେ ସରକାରୀ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ମୃତ ମହିଳା ଓ ତିନି ଗୁରୁତରଙ୍କ ପରିଚୟ ମିଳି ପାରିନାହିଁ । ଅନ୍ୟ ପକ୍ଷରେ ପୁଲିସ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି ।