ନୂଆଦିଲ୍ଲୀ : ହରିଆଣାର ବଲ୍ଲଭଗଡ଼ରେ ‘ଖାନ ସାହେବ’ ଯାହା କରିଛନ୍ତି, ସେ ସଚ୍ଚୋଟତାର ଉଦାହରଣ ପାଲଟି ଯାଇଛନ୍ତି। ସୋସିଆଲ ମିଡ଼ିଆରେ ତାଙ୍କର ଖୁବ୍ ପ୍ରଶଂସା ହେଉଛି। ଗଦି ଜିନିଷ ସଂଗ୍ରହ କାମ କରୁଥିବା ଜଣେ ବ୍ୟକ୍ତି ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନା ସେହି ପରିବାରକୁ ଫେରାଇ ଦେଇଛନ୍ତି , ଯିଏ ଏହାର ମାଲିକ ଥିଲେ। ପାଖାପାଖି ଛଅ ମାସ ପୂର୍ବେ ରଦି ସାମଗ୍ରୀ ସହ ଏହି ସୁନା ମଧ୍ୟ ଘରୁ ଚାଲି ଯାଇଥିଲା।

ବଲ୍ଲଭଗଡରେ ଆଗ୍ରା କୈନଲ ନିକଟରେ କବାଡ଼ିଆ କାମ କରୁଥିବା ହାଜି ଅଖତର ଖାନ ପ୍ରାୟ ୧୦୦ ଗ୍ରାମ୍ ସୁନାର ଅଳଙ୍କାର ତାଙ୍କର ପ୍ରକୃତ ମାଲିକ ଅଶୋକ ଶର୍ମାଙ୍କୁ ଫେରାଇ ଦେଇଛନ୍ତି। ଏପିପି ଜିତେଶ ମଲହୋତ୍ରାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଯାଞ୍ଚ ପରେ ଅଳଙ୍କାର ଗୁଡ଼ିକୁ ହସ୍ତାନ୍ତର କରାଯାଇ ଥିଲା। ରିପୋର୍ଟ ଅନୁସାରେ , ଅଶୋକ ଶର୍ମା କୁମ୍ଭ ମେଳାକୁ ଯାଇଥିଲେ। ଚୋରି ହୋଇ ଯିବା ଭୟରେ ସେ ନିଜର ଅଳଙ୍କାରକୁ ଏକ ଡ଼ବାରେ ବନ୍ଦ କରି ସୁରକ୍ଷିତ ରଖି ଦେଇଥିଲେ।

ଦୀପାବଳୀ ପାଇଁ ଘର ସଫା କରିବା ବେଳେ ଘରର ପୁରୁଣା ଜିନିଷପତ୍ରକୁ ରଦି ଭାବେ ବିକ୍ରୟ କରିବା ବେଳେ , ସେହି ବାକ୍ସଟି ଅସାବଧାନତାବଶତଃ ହଜି ଯାଇଥିଲା। ପ୍ରାୟ ଦୁଇ ମାସ ପରେ ଯେବେ ଘରେ ସୁନାର ତଲାସ କରାଗଲା ତ ତାହା ମିଳି ନଥିଲା। ସେତେବେଳେ ତାଙ୍କର ମନେପଡ଼ିଲା ଯେ ବୋଧହୁଏ ରଦି ଜିନିଷ ସହ ସୁନା ପଳାଇଛି। ଏହାପରେ ସେ ଖୋଜାଖୋଜି କରି ରଦି ଜିନିଷ ଡିଲର ହାଜି ଅଖତର ଖାନଙ୍କ ପାଖରେ ପହଞ୍ଚି ଥିଲେ। ଅଖତରଙ୍କ ମୁତାବିକ ସେହି ସମୟରେ ଦୋକାନରେ ଖୁବ୍ ତଲାସି କରିବା ପରେ ମଧ୍ୟ କିଛି ମିଳି ନଥିଲା।

ଅଖତର କହିଥିଲେ ଯେ, ତିନି ଦିନ ପୂର୍ବେ ରଦି ଜିନିଷ ସଜାଡ଼ିବା ବେଳେ , ସେ ସୁନା ଅଳଙ୍କାର ଥିବା ଏକ ବାକ୍ସ ପାଇଲେ। ସେ ଏହାକୁ ଜଣେ ସୁନାକାର ପାଖକୁ ନେଇଗଲେ। ସେ କହିଲେ ଏହା ଅସଲି ସୁନା ଏବଂ ଓଜନ ୧୦୦ ଗ୍ରାମ । ବର୍ତ୍ତମାନ ସମୟରେ ଏହାର ଦାମ ପାଖାପାଖି ୧୫ ଲକ୍ଷ ଟଙ୍କା। ଅଖତର କହିଥିଲେ ଯେ, ତାଙ୍କର ମନେପଡ଼ିଲା ଯେ, ଏହି ସୁନା ସେହି ଶର୍ମା ପରିବାରର ହୋଇଥିବ , ଯିଏ ତାଙ୍କ ପାଖକୁ ଆସିଥିଲେ। ଅଖତର ସ୍ଥିର କରିନେଲେ ଯେ, ସେ ଏହି ସୁନା ପ୍ରକୃତ ମାଲିକଙ୍କୁ ଫେରେଇ ଦେବେ। ସେ କହିଥିଲେ ଯେ, ପରିବାରରେ ମଧ୍ୟ ସେ ଏହି ବିଷୟରେ ଜଣାଇବାରୁ ସମସ୍ତେ ସହମତ ହେଲେ।

ଏହାପରେ ହାଜି ଅଖତର ଖାନ ତୁରନ୍ତ ଏସିପି କାର୍ଯ୍ୟାଳୟରେ ପହଞ୍ଚିଲେ। ତାଙ୍କ ପରିଚୟ ଯାଞ୍ଚ କରିବା ପରେ ଅଳଙ୍କାର ଅଶୋକ ଶର୍ମାଙ୍କୁ ପ୍ରଦାନ କରାଗଲା। ଅଶୋକ ଶର୍ମା ଅଖତର ଖାନଙ୍କୁ ଧନ୍ୟବାଦ ଜଣାଇ ଥିଲେ। ଅଖତର ଖାନ କହିଥିଲେ ଯେ, ସଚ୍ଚୋଟତା ହେଉଛି ସବୁଠୁ ବଡ଼ ପୁଞ୍ଜି। ଏପଟେ ସୋସିଆଲ ମିଡ଼ିଆରେ ମଧ୍ୟ ଅଖତର ଖାନଙ୍କ ସଚ୍ଚୋଟତାର ଖୁବ୍ ପ୍ରଶଂସା ହେଉଛି। ଲୋକେ ତାଙ୍କର କାହାଣୀକୁ ସେୟାର କରୁଛନ୍ତି।