ମାଲକାନଗିରି, ୧୨/୦୬: ପୂର୍ବତନ ମାଲକାନଗିରି ଜିଲ୍ଲାପାଳ ମନୀଷ କୁମାର ଅଗ୍ରଓ୍ବାଲଙ୍କୁ ଜାମିନ୍ । ୫୦ ହଜାର ଲେଖାଏ ଦୁଇଟି ମୁଚାଲିକାରେରେ ମାଲକାନାଗିରି ଏସଡିଜେଏମ୍ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ବ୍ୟକ୍ତିଗତ ସଚିବ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି ।
ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ ଗୁରୁବାର ସକାଳୁ ଏସଡିଜେଏମ୍ କୋର୍ଟରେ ହାଜର ହୋଇଥିଲେ । ମୃତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡାଙ୍କ ଦ୍ବାରା ଦାୟର ହୋଇଥିବା ମାମଲାରେ ଶୁଣାଣି କରି କୋର୍ଟ ଜାମନ ପ୍ରଦାନ କରିଛନ୍ତି । ବରିଷ୍ଠ ଆଇନଜୀବୀ ଗୋବିନ୍ଦ ପାତ୍ର କହିଛନ୍ତି, ମନୀଷ ଅଗ୍ରୱାଲ ଜଣେ ଆଇଏଏସ ହେଲେ ମଧ୍ୟ ଆଇନ ଆଗରେ ସମସ୍ତେ ସମାନ । କୋର୍ଟକୁ ଆସି ତାଙ୍କର ଗର୍ବ ଅହଂକାର ଭାଙ୍ଗିଯାଇଛି । ସେ ପ୍ରଶାସନିକ ଅଧିକାର ଥିବା ବେଳେ ଲୋକଙ୍କୁ ଖରାପ ବ୍ୟବହାର ଦେଖାଉଥିଲେ ବୋଲି ଆଇନଜୀବୀ ଗୋବିନ୍ଦ ପାତ୍ର ଅଭିଯୋଗ କରିଛନ୍ତି ।
ସୂଚନାଥାଉକି, ମନୀଷ ଅଗ୍ରଓ୍ବାଲ ମାଲକାନଗିରିର ଜିଲ୍ଲାପାଳ ଥିବା ବେଳେ ବ୍ୟକ୍ତିଗତ ସଚିବ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ଦେବନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ଜିଲ୍ଲାପାଳ ମନୀଷ କୁମାରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ମାଲକାନଗିରି ଥାନାରେ ଏତଲା ଦେଇଥିଲେ । ଏହି ମାମଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟ ୩ଜଣ କର୍ମଚାରୀଙ୍କ ନାଁରେ ମଧ୍ୟ ରହିଛି । ଗତ ଡିସେମ୍ବର ୨୭ରେ ଦେବନାରାୟଣ ଘରୁ ନିଖୋଜ ହୋଇଯାଇଥିଲେ । ପରଦିନ ସ୍ଥାନୀୟ ସତୀଗୁଡା ଜଳଭଣ୍ଡାରରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । କିନ୍ତୁ ଏହାକୁ ହତ୍ୟାକାଣ୍ଡ ବୋଲି ଦେବନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ଦର୍ଶାଇଥିଲେ । ମନୀଷ କୁମାର ଓ ତାଙ୍କ କାର୍ଯ୍ୟାଳୟର ଅନ୍ୟ ତିନିଜଣ କର୍ମଚାରୀଙ୍କୁ ଦାୟୀ କରି ଥାନାରେ ଏତଲା ଦେଇଥିଲେ । ତେବେ ମାଲକାନଗିରି ଏସଡିଜେଏମ୍ କୋର୍ଟରେ ଆଜି ମାମଲାର ଶୁଣାଣି ହୋଇ ମନୀଷ ଅଗ୍ରଓ୍ବାଲଙ୍କୁ ଜାମିନ୍ ମିଳିଛି ।