ଭୁବନେଶ୍ୱର, ୨୦।୬: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକରେ ତ୍ରୁଟିର ତଦନ୍ତ ଆରମ୍ଭ ହୋଇଛି । ପ୍ରଥମ ଦିନରେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ସଚିବ ୩ ଜଣିଆ କମିଟି ପାଖରେ ସମସ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି । ସେହିପରି ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ମଧ୍ୟ ବହି ଛପା ସମ୍ପର୍କିତ ସବୁ ତଥ୍ୟ କମିଟିକୁ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଏହି ତ୍ରୁଟି ପାଇଁ ଦୋଷୀ ଖୋଜିବାକୁ ତଦନ୍ତ କମିଟି ଗଠନ ହୋଇଛି । ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ, ସାଧାରଣ ପ୍ରଶାସନ ବିଭାଗ ଉପସଚିବ ସ୍ମିତା ପାଣି ସଦସ୍ୟ ରହିଛନ୍ତି । ଆଜି ତଦନ୍ତର ପ୍ରଥମ ଦିନରେ ପାଠ୍ୟପୁସ୍ତକ ପ୍ରସ୍ତୁତି ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି)ରୁ ଲୋକସେବା ଭବନକୁ ଯାଇଛି ।
ଏହା ବି ପଢ଼ନ୍ତୁ... Jewellery Theft Case: ରଶ୍ମି ଜୁଏଲର୍ସରୁ ୨ କିଲୋ ରୁପା, ସୁନା ଚୋରି ମାମଲା, ସ୍ୱସ୍ତି ଜୁଏଲର୍ସ ମାଲିକଙ୍କ ସମେତ ୪ ଗିରଫ
ଆଜି ପୂର୍ବାହ୍ନରେ ଉନ୍ନୟନ କମିଶନର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ତିରୁମାଳା ନାଏକଙ୍କୁ ଆଲୋଚନା ପାଇଁ ଡାକିଥିଲେ । ଏହା ପୂର୍ବରୁ ଗଣଶିକ୍ଷା ସଚିବ ଏସ୍ସିଇଆର୍ଟି ଅଫିସକୁ ଆସିଥିଲେ । ସେଠାରେ ୨ ଘଣ୍ଟାରୁ ଅଧିକ ସମୟ ଧରି ସମସ୍ତ ବହିରେ ଥିବା ତ୍ରୁଟିକୁ ଯାଞ୍ଚ କରିଥିଲେ । ଏନସିଇଆରଟି ବହିରୁ ଅନୁବାଦ ହୋଇଥିବାରୁ ଏନସିଇଆରଟିର ବହିର ଉକ୍ତ ବିଷୟକୁ ମଧ୍ୟ ଖୋଲି ଦେଖିଥିଲେ । ଏନସିଇଆରଟି ବହିରେ ଝାଡ଼ଖଣ୍ଡ ରାଜ୍ୟରେ ନିୟମଗିରି ଥିବା ଉଲ୍ଲେଖ ହୋଇଥିବା ଦେଖିବାକୁ ପାଇଥିଲେ । ଗଣଶିକ୍ଷା ସଚିବ ଏସସିଇଆରଟିରୁ ବାହାରିବା ପରେ ଲୋକସେବା ଭବନ ଯାଇଥିଲେ । ସେଠାରେ ଉନ୍ନୟନ କମିଶନରଙ୍କ ସମସ୍ତ ପ୍ରଶ୍ନର ଉତ୍ତର ସହ ତଥ୍ୟ ଉପସ୍ଥାପନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଉନ୍ନୟନ କମିଶନର ସଚିବଙ୍କୁ ପାଠ୍ୟପୁସ୍ତକ ପ୍ରସ୍ତୁତି ଦାୟିତ୍ୱରେ ଥିବା ବ୍ୟକ୍ତି, କମିଟିର ସବିଶେଷ ତଥ୍ୟ ନେଇଛନ୍ତି । କେଉଁ ବାବଦକୁ କେତେ ଟଙ୍କା ଦିଆଯାଇଛି ତାକୁ ମଧ୍ୟ ପଚାରିଥିଲେ । ବିଷୟ ପାଇଁ ଗଠନ ହୋଇଥିବା କମିଟିରେ କିଏ କିଏ ଥିଲେ ତାକୁ ପଚାରି ବୁଝିଥିଲେ । ବିଭିନ୍ନ ବିଷୟର ଅଭିଜ୍ଞ ଶିକ୍ଷକ, ପ୍ରଫେସର, ଶିକ୍ଷାବିତ୍ ଙ୍କୁ ନେଇ କମିଟି ହୋଇଥିଲା କି ନାହିଁ ତାକୁ ବୁଝିଥିଲେ ।