ନୂଆଦିଲ୍ଲୀ ୧୬/୦୪: ସିଆଇଏ (ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି)ର ଗୋଟିଏ ପୃଷ୍ଠାର ଏକ ଗୁପ୍ତ ଦସ୍ତାବିଜ୍‌ରେ ଅଜବ ଦାବି ଚର୍ଚ୍ଚାର କେନ୍ଦ୍ର ହୋଇଛି । ସୋଭିଏତ୍‌ ସୈନ୍ୟ ଓ ଏଲିଅନ୍‌ଙ୍କ ମଧ୍ୟରେ ମୁହାଁମୁହିଁର କାହାଣୀକୁ ଏହା ବର୍ଣ୍ଣନା କରିଛି । ଏହି ସଂଘର୍ଷର ପରିଣାମ ସ୍ୱରୂପ ୨୩ ଜଣ ଋଷୀୟ ସୈନ୍ୟ ପଥରରେ ରୂପାନ୍ତରିତ ହୋଇଥିଲେ ବୋଲି ଦସ୍ତାବିଜ୍‌ରେ ଉଲ୍ଲେଖ ହୋଇଛି । ରିପୋର୍ଟ ଅନୁସାରେ, ଏହି ଘଟଣା ଶୀତଳ ଯୁଦ୍ଧ ଯୁଗ- ପ୍ରାୟ ୧୯୮୯ କିମ୍ବା ୧୯୯୦ ମସିହାରେ ସାଇବେରିଆରେ ଏକ ସାମରିକ ତାଲିମ ଅଭ୍ୟାସ ସମୟରେ ଘଟିଥିଲା । ୧୯୯୧ ମସିହାରେ ସୋଭିଏତ୍‌ ସଂଘର ପତନ ପରେ ଏହି ଆଶ୍ଚର୍ଯ୍ୟଚକିତ ଘଟଣା ସାମ୍ନାକୁ ଆସିଲା, ଯେତେବେଳେ କେଜିବି(ସୋଭିଏତ୍‌ ସଂଘର ମୁଖ୍ୟ ଆଭ୍ୟନ୍ତର ସୁରକ୍ଷା ଏଜେନ୍ସି)କୁ ଭଙ୍ଗ କରାଗଲା । କେଜିବି ଦ୍ୱାରା ସଂକଳିତ ୨୫୦ ପୃଷ୍ଠାର ଏକ ରିପୋର୍ଟକୁ ପରେ ସିଆଇଏ ହାତକୁ ନେଲା । ଏକ ସୋଭିଏତ୍‌ ସୈନ୍ୟ ଦଳ ଏକ ୟୁଏଫ୍‌ଓ ଚିହ୍ନଟ କରିବା ପରେ ଘଟିଥିବା ସେହି ଅସାଧାରଣ ଘଟଣା ସମ୍ପର୍କରେ ରିପୋର୍ଟରେ ବର୍ଣ୍ଣନା କରାଯାଇଥିଲା ।

ଦସ୍ତାବିଜ୍‌ରେ ଅସଂଖ୍ୟ ଫଟୋ, ଚିତ୍ର ଓ ଘଟଣାରେ ଭାଗ ନେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷୀ ରହିଛି । ସିଆଇଏର ଜଣେ ପ୍ରତିନିଧି ଘଟଣାକୁ ‘ବାହ୍ୟ ଦୁନିଆର ପ୍ରାଣୀଙ୍କ ଦ୍ୱାରା ପ୍ରତିଶୋଧର ଏକ ଭୟଙ୍କର ଚିତ୍ର, ଯାହା କାହାର ବି ରକ୍ତକୁ ବରଫ କରିଦେବ’ ଭାବେ ବର୍ଣ୍ଣନା କରିଛନ୍ତି । ରିପୋର୍ଟରେ ଦାବି ହୋଇଛି ‘ନିୟମିତ ସାମରିକ ତାଲିମ ନେଉଥିବା ଏକ ସୈନ୍ୟ ବଳର ନଜର ଖୁବ୍‌ ନିମ୍ନରେ ଉଡୁଥିବା ଥାଳିଆ ଆକୃତିର ଏକ ମହାକାଶଯାନ ଉପରେ ପଡ଼ିଲା । କୌଣସି କାରଣବଶତଃ କେହି ଜଣେ ଅପ୍ରତ୍ୟାଶିତ ଭାବେ ଏକ ଭୂମିଗତ ଏୟାର ମିସାଇଲ ଛାଡ଼ିଲା, ଯାହା ୟୁଏଫ୍‌ଓରେ ମାଡ଼ ହେଲା । ୟୁଏଫ୍‌ଓଟି କିଛି ଦୂରରେ ପୃଥିବୀରେ ପଡ଼ିଲା । ଏଥିରୁ ବିଶାଳ ମୁଣ୍ଡ ଓ ବଡ଼ ବଡ଼ କଳା ଆଖିଯୁକ୍ତ ୫ ଛୋଟ ପ୍ରାଣୀ ବାହାରକୁ ଆସିଲେ ।’

ଉକ୍ତ ଧ୍ୱଂସାବଶେଷରୁ ଜୀବିତ ବାହାରିବା ପରେ ଦୁଇଜଣ ସୈନ୍ୟ ପ୍ରମାଣ ଦେଲେ, ଯାନରୁ ବାହାରି ଏଲିଅନ୍‌ମାନେ ପରସ୍ପରର ନିକଟତର ହେଲେ ଏବଂ ଗୋଟିଏ ବସ୍ତୁରେ ଲୀନ ହୋଇଗଲେ । ତାହା ଏକ ଗୋଲାକାର ଧାରଣ କଲା । ସେହି ବସ୍ତୁ ଦ୍ରୁତ ବେଗରେ ବଦଳି ଚମତ୍କାର ଧଳା ବସ୍ତୁରେ ରୂପାନ୍ତର ହେଲା । ମାତ୍ର କିଛି ସେକେଣ୍ଡ୍‌ରେ ଏହି ଗୋଲାକାର ବସ୍ତୁର ଆକାର ବଢ଼ିବାକୁ ଲାଗିଲା ଏବଂ ଅତ୍ୟନ୍ତ ଉଜ୍ଜ୍ୱଳ ଆଲୋକ ବିଚ୍ଛୁରିତ କରି ଏହାର ବିସ୍ଫୋରଣ ହେଲା ।’ ଚାହୁଁ ଚାହୁଁ ଏହି ଘଟଣାକୁ ଦେଖିଥିବା ୨୩ ଜଣ ସୈନ୍ୟ ପଥର ଖୁଣ୍ଟରେ ରୂପାନ୍ତର ହୋଇଗଲେ । ଏହି ଭୟାନକ ଘଟଣାରେ ଶେଡ୍‌(ଆଶ୍ରୟ) ତଳେ ଠିଆ ହୋଇଥିବାରୁ ଏବଂ ଅତ୍ୟନ୍ତ ଉଜ୍ଜ୍ୱଳ ବିସ୍ଫୋରଣଠୁ ଦୂରରେ ଥିବାରୁ ଜୀବିତ ରହିଯାଇଥିବା ସୈନ୍ୟମାନେ ଏହା କହିଛନ୍ତି । 

କେଜିବି ରିପୋର୍ଟ ଦାବି କରିଥିଲା ଯେ ଭୟଭୀତ ସୈନ୍ୟ ଏବଂ ୟୁଏଫ୍‌ଓର ଅବଶେଷଗୁଡ଼ିକୁ ମସ୍କୋ ନିକଟସ୍ଥ ଏକ ଗୁପ୍ତ ବୈଜ୍ଞାନିକ ଅଧ୍ୟୟନ ସଂସ୍ଥାକୁ ସ୍ଥାନାନ୍ତର କରାଯାଇଥିଲା । ସୋଭିଏତ୍‌ ବିଶେଷଜ୍ଞମାନେ ନିଷ୍କର୍ଷ ବାହାର କଲେ ଯେ ଏକ ଅଜ୍ଞାତ ଉର୍ଜ୍ଜାର ସ୍ରୋତ ସୈନ୍ୟଙ୍କ ଜୈବିକ (ଶାରୀରିକ) ସଂରଚନାକୁ ଆଖି ପିଛୁଳାକେ ବଦଳାଇଦେଲା । ସେମାନଙ୍କୁ ଚୂନପଥର ଭଳି ସମାନ ଆଣବିକ ସଂରଚନାଯୁକ୍ତ ଏକ ତତ୍ତ୍ୱରେ ରୂପାନ୍ତର କରିଦେଲା । ସିଆଇଏ ରିପୋର୍ଟ ଶେଷରେ ଦର୍ଶାଇଲା ‘ଯଦି କେଜିବି ଫାଇଲ୍‌ର ବାସ୍ତବତାର ସହ ସମ୍ପର୍କ ଥାଏ, ତେବେ ଏହା ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ମାମଲା । ଏଲିଅନ୍‌ଙ୍କ ପାଖରେ ଏଭଳି ଅସ୍ତ୍ର ଓ ଟେକ୍ନୋଲୋଜି ଅଛି ଯାହା ଆମ କଳ୍ପନାଠୁ ବାହାରେ । ଯଦି ଆକ୍ରମଣ ହୁଏ, ସେମାନେ ଏକତ୍ର ମୁକାବିଲା କରିପାରନ୍ତି । ୨୦୦୦ ମସିହାରେ ସିଆଇଏ ଦସ୍ତାବିଜ୍‌କୁ ସାର୍ବଜନୀନ କରାଯାଇଥିଲା । ସେତିକି ନୁହେଁ କାନାଡ଼ାର ୱିକ୍‌ଲି ୱର୍ଲଡ୍‌ ନ୍ୟୁଜ୍‌ ଏବଂ ୟୁକ୍ରେନ୍‌ର ଖବରକାଗଜ ହୋଲୋସ୍‌ ୟୁକ୍ରେୟିନିରେ ଏହା ପ୍ରଚ୍ଛଦ ପ୍ରସଙ୍ଗ ହୋଇଥିଲା । ଏହି କାହାଣୀ ୨୦୨୪ରେ ଦ ଜୋ ରୋଗନ୍‌ ଏକ୍ସପେରିଏନ୍ସ ପଡ୍‌କାଷ୍ଟ୍‌ରେ ପ୍ରକାଶିତ ହେବା ପରେ ପୁନଃ ଆକର୍ଷଣର କେନ୍ଦ୍ର ହେଲା ।