ପୁରୀ,୨୪।୨ : ବୁଧବାର ପବିତ୍ର ଜାଗର ଯାତ୍ରା। ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି। ଲୋକନାଥ ମନ୍ଦିରରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସୁରକ୍ଷା ଦାୟିତ୍ବରେ ୧୧ ପ୍ଲାଟୁନ ପୋଲିସ ଫୋର୍ସ, ୧୪ ଇନ୍ସପେକ୍ଟର, ୬ ଡିଏସପି, ଜଣେ ଅତିରିକ୍ତ ଏସପି ମୁତୟନ ହେବେ।
ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଲାଇଟ ହାଉସ, ମଙ୍ଗଳାଘାଟ, ଗାଣ୍ଡୁଆ ଚଉରା ଛକ ଠାରୁ ନୋ ଭେହିକିଲ୍ ଜୋନ୍ କରାଯାଇଛି। ଭକ୍ତମାନେ ସମସ୍ତ ନିୟମ ଅନୁପାଳନ କରି ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ପାଳନ କରିବା ନେଇ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ସୋମବାର ପଙ୍କୋଦ୍ଧାର ଏକାଦଶୀ ପାଇଁ ପ୍ରଭୁ ଲୋକନାଥଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ରହିଥିଲା। ପ୍ରବଳ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମନ୍ଦିର ଭିତରେ ଭକ୍ତମାନେ ବ୍ୟାରିକେଡ଼ ଭିତରେ ପ୍ରବେଶ କରି ପ୍ରଭୁଙ୍କ ଦର୍ଶନ କରିଥିଲେ।