ମୁମ୍ବାଇ,୩୦।୭: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ କ୍ୟାମ୍ପସରେ ଦୁନିଆର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଅର୍ଥାତ ବିସିସିଆଇର ଅଫିସ ରହିଛି। ଏବେ ସେଠାରେ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବାର ଜଣାପଡିଛି। ଏହି ମାମଲରେ ବିସିସିଆଇର ଜଣେ ସିକ୍ୟୁରିଟି ମ୍ୟାନେଜରଙ୍କୁ ଗିରଫ କରାଯାଇଛି। ଯାଙ୍କ ଉପରେ ଅଭିଯୋଗ ରହିଛି ଯେ, ଆଇପିଏଲ ୨୦୨୫ର ୨୬୧ଟି ଜର୍ସିକୁ ଚୋରି କରିଛନ୍ତି। ଯାହାର ମୂଲ୍ୟ ପ୍ରାୟ ୬.୫୨ ଲକ୍ଷ ଟଙ୍କା। ଇଣ୍ଟରନାଲ ଅଡିଟ୍ ସମୟରେ ବୋର୍ଡକୁ ଏହି ଚୋରି ବିଷୟରେ ଜଣାପଡିଥିଲା।
ଅଭିଯୁକ୍ତ ସିକ୍ୟୁରିଟି ମ୍ୟାନେଜରର ନାଁ ହେଉଛି ଅସଲମ ଖାନ୍। ଚର୍ଚଗେଟ୍ ନିକଟରେ ଥିବା ଓ୍ବାଙ୍ଖଡେ ଷ୍ଟାଡିମ୍ରେ ରହିଛି ବିସିସିଆଇ ଅଫିସ। ଅସଲମ୍ ଷ୍ଟୋର ରୁମ୍ରୁ ଜର୍ସିର ଏକ ପୁରା କାର୍ଟନ ଚୋରାଇ ନେଇଥିଲା। ପୋଲିସର କହିବା ଅନୁସାରେ, ପ୍ରତ୍ୟେକ ଜର୍ସିର ଦାମ୍ ପ୍ରାୟ ଅଢେଇ ହଜାର ଟଙ୍କା ଥିଲା। ତେବେ ଚୋରି ହୋଇଥିବା ଜିନିଷର ମୋଟ ଜର୍ସିର ଦାମ୍ ସାଢେ ୬ ଲକ୍ଷ ଟଙ୍କା ଆଖପାଖର ରହିଛି।
ଚଳିତ ମାସ ବିସିସିଆଇ ଅଧିକାରୀଙ୍କ ଦ୍ବାରା କରାଯାଇଥିବା ଅଡିଟ୍ରେ ଏହା ଜଣାପଡିଥିଲା। ସିସିଟିଭି ଫୁଟେଜ ଚେକ୍ କରିବା ପରେ ଜଣାପଡିଥିଲା ଆଇପିଏଲ ୨୦୨୫ ଶେଷ ପରେ ୧୩ ଜୁନ୍ରେ ଫାରୁକ୍ ଅସଲମ ଖାନ୍କୁ ଷ୍ଟୋର ରୁମ୍ରୁ ଏକ ବଡ କାର୍ଡବୋର୍ଡ ବାକ୍ସ ନେଇଯାଉଥିବାର ଦେଖିବାକୁ ମିଳିଥିଲା। ଏହାପରେ ୧୭ ଜୁଲାଇରେ ମରିନ ଡ୍ରାଇଭ୍ ପୋଲିସ ଷ୍ଟେସନ୍ରେ ଅସଲମ ଖାନ୍ ନାଁରେ ଅଭିଯୋଗ ଦାଖଲ କରାଯାଇଥିଲା।
ତଦନ୍ତ ବେଳେ ଜଣାପଡିଛି ଯେ, ଫାରୁକ୍ ଅସଲମ ଖାନ୍ ଚୋରି ହୋଇଥିବା ଜର୍ସି ହରିୟାଣାରେ ଏକ ଅନଲାଇନ୍ ଡିଲରକୁ ବିକ୍ରି କରିଦେଇଥିଲା। ଯାହାଙ୍କୁ ସେ ସୋସିଆଲ ମିଡିଆ ଜରିଆରେ ଯୋଗାଯୋଗ କରିଥିଲା। ଏହି ବ୍ୟକ୍ତି ଡିଲରକୁ କହିଥିଲା ବିସିସିଆଇ କାର୍ଯ୍ୟାଳୟର ରିନୋଭେସନ୍ କାମ ଚାଲିଛି । ତେଣୁ ‘ଷ୍ଟକ କ୍ଲିୟରାନ୍ସ ସେଲ୍’ ଜରିଆରେ ଜର୍ସ ବିକ୍ରି କରାଯାଉଛି। ଏବେ ଡିଲର ଜଣ କହିଛନ୍ତି ତାଙ୍କୁ ଜଣାନଥିଲା ଏହା ଚୋରି ହୋଇଥିବା ଜର୍ସି। ଏପର୍ଯ୍ୟନ୍ତ ୨୬୧ଟିରୁ କେବଳ ମାତ୍ର ୫୦ଟି ଜର୍ସି ଜବତ କରାଯାଇଛି। ପଚରା ଉଚରା ବେଳେ ଅସଲମ ଖାନ୍ ବିକ୍ରିରୁ ମିଳିଥିବା ଟଙ୍କାରେ ଅନଲାଇନ୍ ଜୁଆ ଖେଳିଥିଲା। ତେବେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି, ଚୋରି ହୋଇଥିବା ଜର୍ସି, ଯାହାକି ବହୁ ଟିମ୍ର ଥିଲା। ତାହା ଖେଳାଳି ଓ ଅଧିକାରୀଙ୍କ ବ୍ୟବହାର ପାଇଁ ଥିଲା ନାଁ ପବ୍ଲିକ ମର୍ଚେଣ୍ଟାଇଜ୍ର ଥିଲା ସ୍ପଷ୍ଟ ହୋଇନି। ପୋଲିସ ହରିୟାଣା ସ୍ଥିତି ଡିଲକୁ ଆଗକୁ ପଚରା ଉଚରା ପାଇଁ ଡକାଇଛି। ମାମଲର ଯାଞ୍ଚ ମଧ୍ୟ ଜାରି ରହିଛି। କିଛି ଦିନ ତଳେ ଚୋରି ଓ ଅପରାଧିକ ବିଶ୍ବାସଘାତ ଅଭିଯୋଗରେ ସମ୍ପର୍କିତ ଧାରା ଅନୁସାରେ, ଅସଲମ ଖାନ୍କୁ ଗିରଫ କରାଯାଇଥିଲା, କିନ୍ତୁ ସେ ବର୍ତ୍ତମାନ ଜାମିନରେ ଅଛି। ବିସିସିଆଇ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ।