ନୂଆଦିଲ୍ଲୀ: ବୌଦ୍ଧ ଭିକ୍ଷୁମାନଙ୍କୁ ପ୍ରେମ ଜାଲରେ ଫସାଇ ସର୍ବସ୍ବ ଲୁଟିଥିବ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଥାଇଲ୍ୟାଣ୍ଡରେ ଏବେ ଏହି ମାମଲା ଖବରର ଶିରୋନାମାରେ ରହିଛି । ବୌଦ୍ଧ ଭିକ୍ଷୁମାନଙ୍କ ଯୌନ କେଳେଙ୍କାରୀ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ମାମଲାରେ ସିକା 'ମିସ୍' ଗଲ୍ଫକୁ ଗିରଫ କରାଯାଇଛି । ଥାଇ ପୁଲିସର ସୂଚନା ଅନୁଯାୟୀ, ଏହି ୩୫ ବର୍ଷୀୟ ମହିଳା ୨୦୧୯ରୁ ଅନେକ ବୌଦ୍ଧ ମନ୍ଦିରର ପ୍ରାୟ ୨୦ ଜଣ ବରିଷ୍ଠ ଏବଂ ଧନୀ ଭିକ୍ଷୁଙ୍କୁ ପ୍ରଲୋଭିତ କରି ଯୌନ ସମ୍ପର୍କ ସ୍ଥାପନ କରିଥିଲେ । ତାଙ୍କୁ ମଙ୍ଗଳବାର (୧୫ ଜୁଲାଇ) ବ୍ୟାଙ୍କକ ନିକଟରୁ ଗିରଫ କରାଯାଇଛି  ।

WIONରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଥାଇଲ୍ୟାଣ୍ଡର ଲୋକମାନେ ବୌଦ୍ଧ ଭିକ୍ଷୁମାନଙ୍କୁ ବହୁତ ସମ୍ମାନ କରନ୍ତି ।  ଯୌନ କେଳେଙ୍କାରୀ ମାମଲା ସାମ୍ନାକୁ ଆସିବା ପରେ ବୌଦ୍ଧ ଅନୁଷ୍ଠାନଗୁଡ଼ିକ ଉପରେ ଲୋକଙ୍କ ହୃଦୟକୁ କଠୋର ଆଘାତ ଲାଗିଛି । ଏବେ ଦେଶରେ ବୌଦ୍ଧ ଭିକ୍ଷୁମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଛି ।  ମଠଗୁଡ଼ିକର ଶୃଙ୍ଖଳା ଏବଂ ଆର୍ଥିକ ଦାୟିତ୍ୱକୁ ଉନ୍ନତ କରିବା ପାଇଁ ବ୍ୟାପକ ଦାବି ହେଉଛି । ୩୫ ବର୍ଷୀୟ ମହିଳାଙ୍କୁ ଏହି ସମ୍ପୂର୍ଣ୍ଣ ଘଟଣାର ମାଷ୍ଟରମାଇଣ୍ଡ ବୋଲି ବିଶ୍ୱାସ କରାଯାଉଛି । ୩୫ ବର୍ଷୀୟ ଭିଲାୱାନ ଆମସାୱାତ, 'ସିକା ମିସ୍ ଗଲ୍ଫ' କିମ୍ବା 'ମିସ୍ ଗଲ୍ଫ' ଭାବରେ ଜଣାଶୁଣା । 

ପୁଲିସ ତାଙ୍କୁ ବ୍ୟାଙ୍କକ ନିକଟବର୍ତ୍ତୀ ନନ୍ଥାବରିରୁ ଗିରଫ କରିଛି । ତାଙ୍କ ପାଖରେ ଥିବା ୫ଟି ମୋବାଇଲ୍ ଫୋନରୁ ୫୬୦୦ ଆପତ୍ତିଜନକ ଭିଡିଓ, ୮୦,୦୦୦ ଫଟୋ ଏବଂ ଚାଟ୍ ରେକର୍ଡ ମିଳିଛି । ଯେଉଁଥିରେ ବରିଷ୍ଠ ବୌଦ୍ଧ ଭିକ୍ଷୁଙ୍କ ସହ ତାଙ୍କର ଘନିଷ୍ଠତା ସ୍ପଷ୍ଟ ଭାବରେ ଜଣାପଡ଼ିଛି  । ଏଭଳି ବିସ୍ଫୋରକ ଖୁଲାସା ଥାଇଲ୍ୟାଣ୍ଡର ଧାର୍ମିକ ଏବଂ ସାମାଜିକ ଢାଞ୍ଚାକୁ ଦୋହଲାଇ ଦେଇଛି ।

ମହିଳା ଜଣକ ଥାଇଲ୍ୟାଣ୍ଡର ପ୍ରସିଦ୍ଧ ମନ୍ଦିରରେ ରହୁଥିବା ଧନୀ ଏବଂ ପ୍ରଭାବଶାଳୀ ବୌଦ୍ଧ ଭିକ୍ଷୁମାନଙ୍କୁ ଟାର୍ଗେଟ କରୁଥିଲା। ତାର ପ୍ରାୟ ୧୫ ଜଣ ବରିଷ୍ଠ ବୌଦ୍ଧ ଭିକ୍ଷୁଙ୍କ ସହିତ ପ୍ରେମ ଏବଂ ଶାରୀରିକ ସମ୍ପର୍କ ଥିଲା। ଏହା ପରେ, ସେ ଗର୍ଭବତୀ ବୋଲି ଦାବି କରୁଥିଲା ଏବଂ ବୌଦ୍ଧ ଭିକ୍ଷୁମାନଙ୍କଠାରୁ ଲକ୍ଷ ଲକ୍ଷ ବାତ୍ (ଥାଇ ମୁଦ୍ରା) ଆଦାୟ କରୁଥିଲେ । ଯଦି ଟଙ୍କା ନ ଦିଆଯାଏ, ତେବେ ସେ ଏହି ସମ୍ପର୍କଗୁଡ଼ିକୁ ବିଶ୍ୱ ସମ୍ମୁଖରେ ପ୍ରକାଶ କରିବ ବୋଲି ଧମକ ଦେଉଥିଲା ।

ପୁଲିସ ଜାଣିବାକୁ ପାଇଛି ଯେ, ମନ୍ଦିର ଆକାଉଣ୍ଟରୁ ମହିଳା ଜଣକ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ସ୍ଥାନାନ୍ତର କରାଯାଇଛି । ତା’ ଘରୁ ୧୦ ଜଣ ବୌଦ୍ଧ ଭିକ୍ଷୁଙ୍କ ପୋଷାକ ମଧ୍ୟ  ମିଳିଛି । ଏହି କାଣ୍ଡ ବୌଦ୍ଧ ଭିକ୍ଷୁଙ୍କ ପ୍ରତିଛବିକୁ ବହୁତ କ୍ଷତି ପହଞ୍ଚାଇଛି। ଏପର୍ଯ୍ୟନ୍ତ ୯ ଜଣ ବରିଷ୍ଠ ବୌଦ୍ଧ ଭିକ୍ଷୁଙ୍କୁ ସେମାନଙ୍କର କାର୍ଯ୍ୟରୁ ବିତାଡ଼ିତ କରାଯାଇଛି । ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, ଏତେ ବଡ଼ ଘଟଣା କିପରି ଘଟିଗଲା ।