ବ୍ରହ୍ମପୁର, ୧୭/୧୧ : ବ୍ରହ୍ମପୁରରୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍। ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବ୍ରହ୍ମପୁର ରେଳ ଷ୍ଟେସନରୁ ଉତ୍ତରପ୍ରଦେଶର ଓଁକାରେଶ୍ଵର ଓ ଉଜ୍ଜୟିନୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ ସ୍ଵତନ୍ତ୍ର ଟ୍ରେନ୍ ଯାତ୍ରା ଆରମ୍ଭ କରିଛି। ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ମୋଟ ୭୭୫ଜଣ ଯାତ୍ରୀଙ୍କୁ ନେଇ ଟ୍ରେନ୍ ବାହାରିଛି। ଉପମୁଖ୍ୟମନ୍ତ୍ରୀ ସମସ୍ତ ଯାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି। 

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦକ୍ଷିଣ ଓଡ଼ିଶାର ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥଯାତ୍ରୀ ଟ୍ରେନ୍ ଯାତ୍ରା ଆରମ୍ଭ କରିଛି। ପୂର୍ବରୁ ଆବେଦନ ପ୍ରକ୍ରିୟାରେ ୬୦ରୁ ୭୫ ବର୍ଷ ବୟସ୍କ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇଥିଲା। ସ୍ଵତନ୍ତ୍ର ଟ୍ରେନ୍ ବ୍ରହ୍ମପୁର ରେଳ ଷ୍ଟେସନରୁ ଯାତ୍ରୀଙ୍କୁ ନେଇ ଉତ୍ତରପ୍ରଦେଶ ଅଭିମୁଖେ ବାହାରିଛି। ଟ୍ରେନ୍‌ରେ ଗଞ୍ଜାମ ଜିଲ୍ଲାରୁ ୪୩୮, ଗଜପତିରୁ ୭୨ ଜଣ, କନ୍ଧମାଳରୁ ୯୧ ଜଣ, ବୌଦ୍ଧରୁ ୫୫ ଜଣ, ନୟାଗଡ଼ରୁ ୧୧୯ ଜଣ ବରିଷ୍ଠ ନାଗରିକ ଯାତ୍ରା କରିଛନ୍ତି। ଏମାନଙ୍କ ସହଯୋଗ ପାଇଁ ୨୫ଜଣ ଏସ୍କର୍ଟ ସାଥିରେ ଯାଇଛନ୍ତି। 

​​​​​​​

ରବିବାର ସକାଳୁ ବ୍ରହ୍ମପୁର ରେଳ ଷ୍ଟେସନ ୪ ନମ୍ବର ପ୍ଲାଟଫର୍ମ ନିକଟରେ ବାହାର ଜିଲ୍ଲାର ଯାତ୍ରୀଙ୍କ ସମାଗମ ଆରମ୍ଭ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ସେମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ମଧ୍ୟାହ୍ନ, ରାତ୍ରିଭୋଜନ ସମେତ ଜଳପାନର ବ୍ୟବସ୍ଥା ମଧ୍ୟ ଜିଲ୍ଲା ପ୍ରଶାସନ କରିଥିଲା। ଯାତ୍ରୀମାନେ ବାହାର ରାଜ୍ୟକୁ ତୀର୍ଥଯାତ୍ରୀ ଭାବେ ବୁଲି ଯିବାକୁ ବେଶ୍ ଉତ୍ସାହିତ ଥିବା ସହ ଖୁସି ବ୍ୟକ୍ତ କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଖଣି, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ସରବନା ବିବେକ ଏମ, କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଡ. ରୁଦ୍ର ନାରାୟଣ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରାର୍ଥ ସାରଥୀ ହାଁସଦାଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।