ଭୁବନେଶ୍ୱର,୨୯/୦୫ : ବରିଷ୍ଠ ସିନେ ସାମ୍ବାଦିକ, ଗାଳ୍ପିକ ତଥା କାହାଣୀକାର ପବିତ୍ର କୁମାର ଗୌଡ଼ଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଛି । ତାଙ୍କୁ ୪୮ବର୍ଷ ବୟସ ହୋଇଥିଲା । ଫୁସଫୁସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇ ସେ ଦୀର୍ଘଦିନ ହେବ ଡାକ୍ତରଖାନାରେ ଚକିତ୍ସାଧୀନ ଥିଲେ । ଗତ ୬ ଦିନ ହେବ ଡାକ୍ତରଖାନାରୁ ଘରକୁ ଫେରିଥିଲେ। ବୁଧବାରଠାରୁ ଅଧିକ ଅସୁସ୍ଥ ଅନୁଭବ କରିବାରୁ ପରିବାର ସଦସ୍ୟ ତାଙ୍କୁ ଗୁରୁବାର ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣାର ଏକ ଡାକ୍ତରଖାନାକୁ ନେଇ ଯାଉଥିଲେ । ରାସ୍ତାରେ ଯିବା ସମୟରେ ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ତାଙ୍କ ଦେହାନ୍ତ ହୋଇଯାଇଛି । ପରେ ତାଙ୍କ ମରଶରୀରକୁ ଜନ୍ମମାଟି ଭଞ୍ଜନଗରସ୍ଥିତ ବୋରିବନ୍ଧ ନିଆଯାଇଥିଲା ବୋଲି ପରିବାର ସଦସ୍ୟଙ୍କ ପକ୍ଷରୁ ସୂଚନା ମିଳିଛି । ତାଙ୍କ ଶେଷ ସମୟରେ ପାଖରେ ପତ୍ନୀ, ୨ ପୁଅ, ୨ ଭାଇ, ଭାଉଜ, ଭାଇବୋହୂ ଉପସ୍ଥିତ ଥିଲେ । ଗାଁରେ ବାପା, ମା’, ପୁତୁରା, ଝିଆରୀ ଓ ଅନ୍ୟ ପରିବାର ସଦସ୍ୟ ରହିଛନ୍ତି ।
ସ୍ୱର୍ଗତ ଗୌଡ଼ ସିନେ ସାମ୍ବାଦିକ ଭାବେ ବେଶ୍ ପରିଚିତ ଥିଲେ । ଦୀର୍ଘବର୍ଷ ଧରି ସାମ୍ବାଦିକତା କରି ଆସୁଥିଲେ । ‘ଖବର’, ‘ନିତିଦିନି’ ଖବରକାଗଜ ସହ ‘ସିନେସମ୍ବାଦ’ ଓ ବିଭିନ୍ନ ପତ୍ରପତ୍ରିକା, ପ୍ରକାଶନୀ ସଂସ୍ଥାରେ କାର୍ଯ୍ୟ କରି ସ୍ୱତନ୍ତ୍ର ପରିଚୟ ଲାଭ କରିଥିଲେ । ନିର୍ଭୁଲ ଡିଟିପି ପାଇଁ ସେ ଅଧିକାଂଶ ଲେଖକଙ୍କର ପ୍ରିୟଭାଜନ ହୋଇପାରିଥିଲେ । ସମ୍ପ୍ରତି ‘ପ୍ରମେୟ’ର ଫିଚର୍ ବିଭାଗରେ ସହ ସମ୍ପାଦକ ଭାବେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ଏହା ବ୍ୟତୀତ ଜଣେ ଗାଳ୍ପିକ ଓ କାହାଣୀକାର ଭାବେ ନିଜ ଚମତ୍କାର ଲେଖା ପାଇଁ ସେ ପାଠକ ମହଲରେ ଲୋକପ୍ରିୟ ହୋଇପାରିଥିଲେ । ‘ପାୱାରକଟ୍ ଓ ପିଲାଦିନ' ଥିଲା ତାଙ୍କର ପ୍ରଥମ ଗପ ବହି । ଯାହା ଟାଇମପାସ୍ ପ୍ରଥମା ପୁରସ୍କାର ପାଇଥିଲା । ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଅନୁଭବ’ର ସେ ଥିଲେ କାହାଣୀକାର । ତାଙ୍କର ଏକ ଗଳ୍ପରୁ ଏହି ସିନେମାର କାହାଣୀ ନିର୍ମାଣ ହୋଇଥିଲା ।
ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସୁମା ରିଅଲ ମିଡିଆ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡ. ମନୋଜରଞ୍ଜନ ନାୟକ, ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ଗ୍ରୁପ୍ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର, ସିଇଓ ସୁନୀଲ ଦାସ ଓ ଅନ୍ୟ ସହକର୍ମୀମାନେ ଗଭୀର ଶୋକବ୍ୟକ୍ତ ସହ ଅମର ଆତ୍ମାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
ଆହୁରି ପଢନ୍ତୁ- ଆଗାମୀ ୫ ବର୍ଷ ରେକର୍ଡ ଭାଙ୍ଗିବ ଗରମ; ୧.୫ ଡିଗ୍ରୀ ସେଲସିୟସ୍ ବଢିବ ବିଶ୍ୱ ତାପମାତ୍ରା, ଜାତିସଂଘର ଭୟଙ୍କର ଚେତାବନୀ