ଭୁବନେଶ୍ୱର,୨୩/୧୨:ଆଜି ୨୯ତମ ସିନିୟର ମହିଳା ଜାତୀୟ ଫୁଟବଲ ଚାମ୍ପିଅନସିପ୍‌ ରାଜମାତା  ଜିଜାବାଇ ଟ୍ରଫିରେ ଓଡ଼ିଶା ଓ ଶକ୍ତିଶାଳୀ  ମଣିପୁର ମଧ୍ୟରେ ଟାଇଟଲ ଲଢ଼େଇ ହେବ । ମଣିପୁର  ସର୍ବାଧିକ ୨୨ ଥର ଏବଂ ଓଡ଼ିଶା କେବଳ ଥରେ ମାତ୍ର  ଚାମ୍ପିଅନ ହୋଇଛି । ଦୀର୍ଘ ବର୍ଷ ପରେ ଓଡ଼ିଶା ପୁଣି  ଟାଇଟଲ ସ୍ୱପ୍ନ ପୂରା କରିବାକୁ ଲକ୍ଷ୍ୟ ରଖିଛି ।  

ଶେଷ ଥର ଓଡ଼ିଶା ୨୦୧୮ରେ ଫାଇନାଲ ଖେଳିଥିଲା ।  କଟକରେ ଆୟୋଜିତ ଏହି ସଂସ୍କରଣରେ ମଣିପୁର ଓ  ଓଡ଼ିଶା ଫାଇନାଲ ଖେଳିଥିଲେ । ମଣିପୁର ୨-୧ରେ ବିଜୟୀ  ହୋଇଥିଲା । ପୁଣି ଚଳିତ ସଂସ୍କରଣରେ ଦୁଇ ଦଳ ଫାଇନାଲ  ଖେଳିବେ । ତେବେ ପ୍ୟାରୀ ଖା ଖାଙ୍କ ନେତୃତ୍ୱରେ ଓଡ଼ିଶା  ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ।  ପୂର୍ବରୁ ଓଡ଼ିଶା ମାତ୍ର ଥରୁଟିଏ ଚାମ୍ପିଅନ ଏବଂ ୫ ଥର ରନର୍ସଅପ୍‌ ହୋଇଛି । ୨୦୧୦ ଫାଇନାଲରେ ଦଳ ୫-୦ରେ  ପଶ୍ଚିମବଙ୍ଗକୁ ହରାଇଥିଲା । ଏହାକୁ ମିଶାଇ ଦଳ ସପ୍ତମ  ଥର ଫାଇନାଲରେ ପ୍ରବେଶ କରିଛି । ମଣିପୁର ସର୍ବାଧିକ  ୨୨ ଥର ଚାମ୍ପିଅନ ଏବଂ ୪ ଥର ରନର୍ସଅପ୍‌ ହୋଇଛି ।

ଗତକାଲି ସେମି ଫାଇନାଲରେ ଓଡ଼ିଶା ୨-୦ ଗୋଲରେ  ହରିଆନାକୁ ଏବଂ ମଣିପୁର ୩-୦ ଗୋଲରେ ପଶ୍ଚିମବଙ୍ଗକୁ  ପରାଜିତ କରି ଫାଇନାଲରେ ପ୍ରବେଶ କରିଥିଲା ।