ଭୁବନେଶ୍ୱର, ୨୫/୦୬ : ପଞ୍ଚମ ଶ୍ରେଣୀ ଇଂରାଜୀ ବହି ‘ପଲ୍ଲବୀ’। ବହିସାରା ଇଂରାଜୀରେ ବିଷୟବସ୍ତୁ ରହିଛି । ୧୩୩ ନଂ ପୃଷ୍ଠା ଓଲଟାଇଲେ ହଠାତ୍‌ ଓଡି଼ଆରେ ରଜ ଦୋଳି ଗୀତ ପଢ଼ିବାକୁ ମିଳୁଛି। ସେହି ବହିରେ ଥିବା ବନ୍ଦେ ଉତ୍କଳ ଜନନୀ ଗୀତରେ ମଧ୍ୟ ବନାନଗତ ତ୍ରୁଟି ରହିଛି । ସେହିପରି ପଞ୍ଚମ ଶ୍ରେଣୀ ସାହିତ୍ୟ ବହି ‘ଭାଷା ମହକ’ । ‘ଭକ୍ତ ପ୍ରହ୍ଲାଦ’ ବିଷୟବସ୍ତୁରେ ହିରଣ୍ୟକଶ୍ୟପୁଙ୍କ ସ୍ଥାନରେ ଯମରାଜଙ୍କ ଚିତ୍ର ସ୍ଥାନିତ ହୋଇଛି । ହିରଣ୍ୟକଶ୍ୟପୁ ହାତରେ ଯମ ଦଉଡ଼ି ଓ କାନ୍ଧରେ ଗଦା ଧରି ଉଭା ହୋଇଛନ୍ତି ।  ଅଷ୍ଟମ ଶ୍ରେଣୀ ଗଣିତ ବହିର ୩୫ ନଂ ପୃଷ୍ଠାରେ ପଦଯାତ୍ରା, ତୀର୍ଥଯାତ୍ରା କଥା ଲେଖାଯାଇଛି । ସପ୍ତମ ଶ୍ରେଣୀ ସାହିତ୍ୟ ସୁମନ ବହିର ୩୮ ନଂ ପୃଷ୍ଠାରେ ‘ପାଣିରେ ପାଣି’ ବିଷୟବସ୍ତୁ ରହିଛି । ସେଥିରେ ସାହିତ୍ୟ ବଦଳରେ ଭୂଗୋଳ ବିଷୟବସ୍ତୁର ଜଳଚକ୍ର କଥା ବର୍ଣ୍ଣିତ ହୋଇଛି। ଅଷ୍ଟମ ଶ୍ରେଣୀ ବିଜ୍ଞାନ ବହିରେ ପୌରାଣିକ, ଆଧ୍ୟାତ୍ମିକ କଥାକୁ ଉଲ୍ଲେଖ କରାଯାଇଛି। 

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଯେତେ ବଣ୍ଟା ଚାଲିଛି, ତ୍ରୁଟି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ଯେତେ ବହି ଖୋଲୁଛନ୍ତି ସେତେ ଭୁଲ୍‌ ବାହାରୁଛି। ମାଳମାଳ ବନାନଗତ ଓ ତଥ୍ୟଭିତ୍ତିକ ତ୍ରୁଟି ତ ରହିଛି ସତ। ଏଥି ସହିତ ଏବେ ଯେଉଁ ଧରଣର ତ୍ରୁଟି ସବୁ ବାହାରିଲାଣି ତାହା ଅଭିଭାବକ ଓ ଶିକ୍ଷକଙ୍କ ମୁଣ୍ଡ ଘୂରାଇ ଦେଲାଣି। ଅଭିଭାବକମାନେ ବହିରୁ ଭୁଲ୍‌ ସବୁ ବାହାର କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି । ଯାହା ଭାଇରାଲ୍‌ ହେବାରେ ଲାଗିଛି । ସେପଟେ ଚିନ୍ତାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ । ପାଠ୍ୟପୁସ୍ତକରେ ଆଉ କେତେ ତ୍ରୁଟି ଅଛି ତାକୁ ନିର୍ଭୁଲ୍‌ କରିବାକୁ ଆରମ୍ଭ କରିଛି ପ୍ରକ୍ରିୟା । ସଂପୂର୍ଣ୍ଣ ଭାବେ ବହିକୁ ସମୀକ୍ଷା କରିବାକୁ ଯୋଜନା କରିଛି । ଏପରିକି ଯେଉଁ ଶିକ୍ଷକମାନେ ବହି ପ୍ରସ୍ତୁତି ଦାୟିତ୍ୱରେ ଥିଲେ ସେମାନଙ୍କୁ ଯୋଗାଯୋଗ କରାଯାଉଛି । ହେଲେ ସେମାନେ ବ୍ୟସ୍ତ ରହୁଥିବା ଦର୍ଶାଇ ଧରାଛୁଆଁ ଦେଉନାହାନ୍ତି । ତେବେ ତ୍ରୁଟି ସଂଶୋଧନ ହେବ କେମିତି ତାକୁ ନେଇ ଚିନ୍ତାରେ ବିଭାଗ। 

ପାଠ୍ୟପୁସ୍ତକ ରଚନା ସମୟରେ ବିଭିନ୍ନ ବିଷୟ ପାଇଁ ବିଭିନ୍ନ ସମ୍ପାଦନାମଣ୍ଡଳୀ ଗଠନ ହୋଇଥିଲା । ଏଥିରେ ସାମିଲ ବିଭିନ୍ନ ସ୍କୁଲର ଶିକ୍ଷକଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ପାଠ୍ୟପୁସ୍ତକ ତ୍ରୁଟି ଜଣାପଡ଼ିବା ପରେ ବିଷୟ ବିଶେଷଜ୍ଞ, ସମ୍ପାଦନା ମଣ୍ଡଳୀକୁ ଖୋଜାପଡୁ଼ଛି । ସମ୍ପାଦନା ମଣ୍ଡଳୀରେ ଥିବା ଜଣେ ଶିକ୍ଷକ କହିଛନ୍ତି, ଦୁଇ ଦିନ ତଳେ ଏସ୍‌ସିଇଆର୍‌ଟିରୁ ଫୋନ୍‌ ଆସିଥିଲା । ଅଧିକାରୀ ଜଣକ ଶିକ୍ଷକଙ୍କୁ କହିଲେ, ବହି ପ୍ରସ୍ତୁତ କରିଥିଲେ, ଏଥିରେ କିଛି ତ୍ରୁଟି ରହିଛି। ଆମେ କିଛି ଚିହ୍ନଟ କରିଛୁ । ବାକି ଆପଣ ଆସି ବହି ନେଇ ଆଉ କଣ ସବୁ ତ୍ରୁଟି ରହିଛି ତାର ତାଲିକା କରି ସଂଶୋଧନ କରନ୍ତୁ। ମାତ୍ର ବିଭିନ୍ନ କାର୍ଯ୍ୟବ୍ୟସ୍ତତା ଥିବାରୁ ଶିକ୍ଷକ ଜଣକ କହିଥିଲେ ବର୍ତ୍ତମାନ ମୋର ସମୟ ନାହିଁ, ତେଣୁ ସେଠାକୁ ଯାଇ ବହିରେ ସଂଶୋଧନ କରିପାରିବି ନାହିଁ । ଏମିତି ଯେଉଁ ସମୟରେ ଆମେ ତ୍ରୁଟି ଚିହ୍ନଟ କରିଥିଲୁ ବରିଷ୍ଠ ଅଧିକାରୀ ଆମ କଥା ଶୁଣୁନଥିଲେ । ଏଥିରେ ଆମର କୌଣସି ଭୁଲ୍‌ ନାହିଁ । ସମୟ ମିଳିଲେ ତ୍ରୁଟି ଚିହ୍ନଟ କରି ସଂଶୋଧନ କରାଇବୁ । ଜୁନ୍‌ ଦୁଇ ତାରିଖରେ ଏସ୍‌ସିଇଆର୍‌ଟି ତ୍ରୁଟି ଚିହ୍ନଟ କରି ନିଜ ଆଡ଼ୁ ଓସେପାକୁ ଜଣାଇଥିଲା। ଏହାର ୬ ଦିନ ପରେ ଏସ୍‌ସିଇଆର୍‌ଟିର ଚିଠିକୁ ଓସେପା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଇ ଏହା ବାବଦରେ ଶିକ୍ଷକଙ୍କୁ ଜଣାଇବାକୁ କହିଥିଲା । ହେଲେ ଓସେପା ଚିଠି କରିବାର ପାଖାପାଖି ୨୦ ଦିନ ହେଲାଣି ଶିକ୍ଷକଙ୍କ ପାଖେ ସଂଶୋଧିତ ପୁସ୍ତିକା ପହଞ୍ଚି ନାହିଁ । ଏମିତିକି ଅନେକ ସ୍କୁଲରେ ଏଯାଏ ଅଧା ବହି ପହଞ୍ଚିନି । ଜିଲ୍ଲା ଶିକ୍ଷାଧିକାରୀମାନେ ଚିଠି ନକଲେ ଶିକ୍ଷକମାନେ କିପରି ତ୍ରୁଟି ସଂଶୋଧନ କରିବେ ବୋଲି ପ୍ରଶ୍ନ କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ। 

ଚଳିତବର୍ଷ ପାଇଁ ଆଉ ପାଠ୍ୟପୁସ୍ତକ ନ ଛାପି ତାର ସମାଧାନ କରିବା ପାଇଁ ଲାଗିଛି ବିଭାଗ । କିନ୍ତୁ ଆସନ୍ତା ଶିକ୍ଷାବର୍ଷ (୨୦୨୭-୨୮) ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟା ଆସନ୍ତା ୨ ମାସ ମଧ୍ୟରେ ଆରମ୍ଭ ହେବ । ଏହି ବହି ଯେପରି ନିର୍ଭୁଲ ହେବ ସେଥିପ୍ରତି ଯୋଜନା ପ୍ରସ୍ତୁତି କରାଯାଉଛି । ଆଗୁଆ ସୁସ୍ଥ ଭାବେ ସମୀକ୍ଷା କରି ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ ବୋଲି ଏସ୍‌ସିଇଆର୍‌ଟି ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢନ୍ତୁ- ଏବେବି ସ୍କୁଲଗୁଡ଼ିକୁ ପଠାଯାଉଛି ତ୍ରୁଟିପୂର୍ଣ୍ଣ ବହି, ଭୁଲ୍ ଚିତ୍ରରେ ଷ୍ଟିକର ଲଗାଇ ପଢାଇବାକୁ ଚାଲିଛି ଯୋଜନା

କଳାକାରଙ୍କୁ କୁକୁର କହିବା ଘଟଣା: ହାସ୍ୟ ଅଭିନେତା ଚଗନ କହିଲେ କୁକୁର ରାଗିଲେ ପୈତୃକ ପ୍ରାଣ ନେଇଯିବେ