ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲୀ ଗାଁ ନିକଟ ଖୀର ଗଙ୍ଗା ନଦୀର ଉପର ଅଞ୍ଚଳରେ ମଙ୍ଗଳବାର ହୋଇଥିବା ଭୟଙ୍କର ବାଦଲ ଫଟା ବ୍ରଷା ଯୋଗୁଁ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଘଟଣାରେ ହର୍ଷିଲ ନିକଟସ୍ଥ ଏକ ସେନା ଶିବିରରୁ ୮-୧୦ ଜଣ ଭାରତୀୟ ସେନା ଯବାନ ନିଖୋଜ ଥିବା ଜଣାପଡ଼ିଛି। ତେବେ ନିଜ ସୈନିକମାନେ ନିଖୋଜ ଥାଇ ମଧ୍ୟ ଭାରତୀୟ ସେନା ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛି।

ଏହି ବାଦଲ ଫଚା ବର୍ଷା ଦିନ ପ୍ରାୟ ୧ଟା ୪୫ ମିନିଟ ସମୟରେ ଧରାଲୀ ଗାଁ ନିକଟ ହର୍ଷିଲରେ ଘଟିଥିଲା। ଯାହା ଗଙ୍ଗୋତ୍ରୀ ଯାତ୍ରା ପଥରେ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ ହୋଇଥାଏ। ଏହି ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୧୫-୨୦ଟି ଘର, ହୋଟେଲ ଓ ଦୋକାନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି।




ଭାରତୀୟ ସେନାର ଆଇବେକ୍ସ ବ୍ରିଗେଡ ଏବଂ ଅନ୍ୟାନ୍ୟ ଦଳ ଯଥା ରାଷ୍ଟ୍ରୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ), ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସଡିଆରଏଫ), ଇଣ୍ଡୋ-ତିବ୍ବତୀୟ ସୀମା ପୁଲିସ (ଆଇଟିବିପି) ଏବଂ ସ୍ଥାନୀୟ ପ୍ରଶାସନ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି। ସେନାର ଏକ ଦଳ ଘଟଣା ଘଟିବାର ୧୦ ମିନିଟ ମଧ୍ୟରେ ଧରାଲୀରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏପର୍ଯ୍ୟନ୍ତ ପ୍ରାୟ ୧୫-୨୦ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଆହତମାନଙ୍କୁ ହର୍ଷିଲରେ ଥିବା ସେନାର ମେଡିକାଲ ସୁବିଧାରେ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଘଟଣାକୁ “ଅତ୍ୟନ୍ତ ଦୁଃଖଦ ଓ ବେଦନାଦାୟକ” ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ରିଲିଫ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧଭିତ୍ତିରେ ଆଗେଇ ଚାଲିଛି। ସେ ଦେହରାଦୂନରେ ରାଜ୍ୟ ବିପର୍ଯ୍ୟୟ ଅପରେସନ ସେଣ୍ଟରରେ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ ଆଲୋଚନା କରି କେନ୍ଦ୍ରୀୟ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି। ଭାରତୀୟ ବାୟୁସେନା ଚଣ୍ଡୀଗଡ଼ ବାୟୁସେନା ଘାଟିରେ ଚିନୁକ, ଏମଆଇ-୧୭ ଭି୫, ଚିତା ଓ ଏଏଲଏଚ ହେଲିକପ୍ଟରକୁ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖିଛି। ପାଗ ଠିକ୍ ହେବା ମାତ୍ରେ ରିଲିଫ ସାମଗ୍ରୀ ସହ ଏହି ବିମାନ ଗୁଡିକ ବିପର୍ଯ୍ୟୟ ଅଞ୍ଚଳକୁ ପଠାଯିବ।




ଏନଡିଆରଏଫ ଏହି ଘଟଣାରେ ପ୍ରଥମ ଥର ପାଇଁ କ୍ୟାଡାଭର ଡଗ୍‌ସ୍‌ (ଶବ ଖୋଜିବା କୁକୁର) ପଠାଇଛି। ଯାହାଦ୍ୱାର ଧ୍ୱଂସସ୍ତୂପ ତଳେ ଫସିଥିବା ଶବକୁ ଖୋଜିବାରେ ସହାୟକ ହେବ। ଏହା ସହ ଜୀବିତ ଲୋକଙ୍କୁ ଖୋଜିବା ପାଇଁ ମଧ୍ୟ କୁକୁର ନିୟୋଜିତ ହୋଇଛନ୍ତି।

ଏହି ବିପର୍ଯ୍ୟୟ ହିମାଳୟ ଅଞ୍ଚଳର ପାରିସ୍ଥିତିକ ଦୁର୍ବଳତା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପୁନର୍ବାର ଉଜାଗର କରିଛି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଅଣଯୋଜନାବଦ୍ଧ ବିକାଶ ଓ ହିମବାହ ହ୍ରାସ ଯୋଗୁଁ ଏଭଳି ବିପର୍ଯ୍ୟୟର ଆଶଙ୍କା ବଢ଼ିଚାଲିଛି।

ଉତ୍ତରକାଶୀ ଜିଲ୍ଲା ପ୍ରଶାସନ ଜରୁରୀ ନମ୍ବର ୦୧୩୭୪-୨୨୨୧୨୬, ୦୧୩୭୪-୨୨୨୭୨୨, ଓ ୯୪୫୬୫୫୬୪୩୧ ଜାରି କରିଛି। ପାଗ ବିପର୍ଯ୍ୟୟ ଯୋଗୁଁ ରାସ୍ତା ଅବରୋଧ ହେବା ଓ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବା କାରଣରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି, କିନ୍ତୁ ସମସ୍ତ ସଂସ୍ଥା ମିଳିତ ଭାବେ କାର୍ଯ୍ୟ ଜାରି ରଖିଛନ୍ତି।