ଲମତାପୁଟ, ୧୧/୧୨ : ଜାଡ଼ରେ ଥରୁଛି ମାଳ ଅଞ୍ଚଳ। ୪ ଡିଗ୍ରୀକୁ ଖସିଲା ପାରଦ। କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ ପାରଦ ତଳମୁହାଁ ହେଉଛି। ଲମତାପୁଟରେ ତୁଷାରପାତ ହୋଇଛି। ହାଡ଼ଭଙ୍ଗା ଜାଡ଼ରେ ସାରା ଅଞ୍ଚଳ ଥରୁଛି। ଘନ କୁହୁଡ଼ି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୀତ ଛଡ଼ାଇବା ପାଇଁ ଲୋକେ ନିଆଁର ସାହାରା ନେଉଛନ୍ତି। ସକାଳେ ଓ ସନ୍ଧ୍ୟାରେ ଚା ଦୋକାନରେ ଲୋକଙ୍କ ଭିଡ଼ ଜମୁଛି।
ଲମତାପୁଟରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହୁଥିବାରୁ ଗାଡି ମୋଟର ଯାତାୟାତରେ ସମସ୍ୟା ଉପୁଜୁଛି। ଜଲାପୁଟ ଜଳଭଣ୍ଡାର ଏବଂ କୋଲାବ ଜଳଭଣ୍ଡାର ବ୍ଲକକୁ ଘେରି ରହିଥିବାରୁ ଏହି ଅଞ୍ଚଳରେ ଶୀତ ପ୍ରକୋପ ଅଧିକା ରହୁଛି। ପାହାନ୍ତିଆରୁ ଘନ କୁହୁଡି ସକାଶେ ଜିରୋ ଭିଜିବିଲିଟି ରହୁଛି। ଦିନର ତାପମାତ୍ରା ୧୩ଡିଗ୍ରୀ ରହୁଥିବା ବେଳେ ସନ୍ଧ୍ୟା ୫ ଟାରୁ ଶୀତ ଲହରି ଆରମ୍ଭ ହୋଇଯାଉଛି। ଶୀତ ସକାଶେ ସନ୍ଧ୍ୟା ୭ଟାରୁ ମୁଖ୍ୟ ବଜାର ଜନଶୂନ୍ୟ ହୋଇଯାଉଛି।