ଭୁବନେଶ୍ୱର, ୦୮/୦୬: ତାତିରୁ ନିସ୍ତାର ନାହିଁ । ଆହୁରି ଜଳାଇବ । ନିଆଁବର୍ଷା ଜାରି ରହିବ । ଆସନ୍ତା ତିନି ଦିନ ତାପମାତ୍ରା ଆହୁରି ୩ ଡିଗ୍ରୀ ବଢ଼ିପାରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ଅନୁଭୂତ ହେବ । ଏଭଳି ସତର୍କ କରାଇଛି ପାଣିପାଗ ବିଭାଗ ।
ରବିବାର ରାଜଧାନୀ ସମେତ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ତାତି ୪୦ ଡିଗ୍ରୀ ପାର୍ ହୋଇଥିଲା । ଦିନ ୧୧ଟାରୁ ତତଲା ହାୱା ବହିଥିଲା । ହେଲେ ଅପରାହ୍ନରେ ପାଗ ବଦଳି ଯାଇଥିଲା । କଟକ, ଭୁବନେଶ୍ୱର, ପାରାଦୀପ, ବାଲେଶ୍ୱରରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି । ଜୋର୍ରେ ପବନ ସହିତ ପ୍ରବଳ ବର୍ଷା ହୋଇଥିଲା । ବିଜୁଳି ଓ ଘଡ଼ଘଡ଼ିର ଗର୍ଜନ ବି ଡରାଇଥିଲା । ତେବେ ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୪୧.୯ ଡିଗ୍ରୀ ଛୁଇଁଥିଲା । ଟିଟିଲାଗଡ଼ରେ ୪୧.୭, ଭବାନୀପାଟଣା ଓ ନୟାଗଡ଼ରେ ୪୧.୫, ତାଳଚେରରେ ୪୧, ବଲାଙ୍ଗୀରରେ ୪୦.୮, ସମ୍ବଲପୁରରେ ୪୦.୬, ସୋନପୁରରେ ୪୦.୬ ଡିଗ୍ରୀ ରେକର୍ଡ ହୋଇଥିଲା ।
ଆସନ୍ତା ୧୦ରୁ ୧୩ ତାରିଖ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିବ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ମୌସୁମୀକୁ ନେଇ ଆକଳନ କରି ସେ କହିଛନ୍ତି, ବଙ୍ଗୋପସାଗରରେ ମୌସୁମୀ ପ୍ରକ୍ରିୟା ମନ୍ଥର ଥିଲା । କିନ୍ତୁ ଗତ ୨ ଦିନରେ ଏଥିରେ ସୁଧାର ଦେଖାଦେଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିଛି । ସାମୁଦ୍ରିକ ଆର୍ଦ୍ରତା ଓଡ଼ିଶା ଉପରକୁ ବିସ୍ତାର କରୁଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ବଦଳୁଛି । ଘଡ଼ଘଡ଼ି ସହ ବର୍ଷା ହେଉଛି । ବଙ୍ଗୋପସାଗରରେ ଏବେ ସୁଦ୍ଧା କୌଣସି ସୁସଂଗଠିତ ଲଘୁଚାପ କ୍ଷେତ୍ର ବା ଅବପାତ ସୃଷ୍ଟି ହୋଇନି । ତଥାପି ମୌସୁମୀ ଦୁର୍ବଳ ହେବାର କୌଣସି ସଙ୍କେତ ନାହିଁ । ମୌସୁମୀ ଅଗ୍ରଗତି ପାଇଁ ସ୍ଥିତି ଅନୁକୂଳ ରହିଛି ।
ଅଧିକ ପଢ଼ନ୍ତୁ :- crime : ନିଖୋଜ ୨୬ ଦିନ ପରେ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର, ହତ୍ୟା କରି ପୋତି ଦେଇଥିଲା ପ୍ରେମିକ
ଆସନ୍ତା ୮ରୁ ୧୦ ତାରିଖ ଭିତରେ ଆକାଶରେ ମେଘର ପରିମାଣ ବଢ଼ିବ । ଗୁଳୁଗୁଳି ବି ବଢ଼ିବ । କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ପ୍ରକୋପ ଅଧିକ ହେବ । ତାପମାତ୍ରା ଧୀରେ ଧୀରେ କମିବ । ୧୦ରୁ ୧୩ ତାରିଖ ଭିତରେ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଅଧିକ । ୧୨ରୁ ୧୫ ତାରିଖ ସୁଦ୍ଧା ମୌସୁମୀ ପ୍ରଭାବରେ ବର୍ଷା ବଢ଼ିବ ।
ତେବେ ପଶ୍ଚିମ ଓଡ଼ିଶାକୁ ମୌସୁମୀ ପହଞ୍ଚିବା ବେଳକୁ ୧୨ରୁ ୧୬ ତାରିଖ ହୋଇଯିବ । ୧୫ରୁ ୧୮ ଭିତରେ ସେଠାରେ ମୌସୁମୀ ବର୍ଷା ବଢ଼ିବ । ୧୦ ତାରିଖ ଯାଏ ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳିବନି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।