ପାପଡ଼ାହାଣ୍ଡି : ପାପଡ଼ାହାଣ୍ଡି ବ୍ଲକ ସିରସି ପଞ୍ଚାୟତ ସୋରିଷପଦର ଗାଁରେ ପାନୀୟଜଳ କଷ୍ଟ ଉତ୍କଟ ହେବାରେ ଲାଗିଛି। ୨ମାସ ହେଲା ଗାଁରେ ଥିବା ୩ଟି ନଳକୂଅରୁ ୨ଟି ଅଚଳ ହୋଇ ପଡ଼ିଛି। ଗାଁର କିଛି ସାହିକୁ ପାଇପ୍ ଯୋଗେ ଜଳଯୋଗାଣ ବ୍ୟବସ୍ଥା କରାଯାଇ ଷ୍ଟାଣ୍ଡପୋଷ୍ଟ ଲଗାଯାଇଛି। ସେଥିରୁ ମଧ୍ୟ ୨ମାସ ହେଲା ଲୋକେ ପାଣି ପାଉ ନଥିବା ଅଭିଯୋଗ କରିଛନ୍ତି।
ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରାଯାଇଛି। କେହି କର୍ଣ୍ଣପାତ କରୁ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗାଁର ସରୋଜିନୀ ଖଣ୍ଡପାଣି, ଅଶ୍ୱିନୀ ଖଣ୍ଡପାଣି, ରାମଣି ଭତରା, ମଙ୍ଗଳଦେଇ ନାୟକ, ଲିଲି ଖଣ୍ଡପାଣି ପ୍ରମୁଖ କହିଛନ୍ତି, ଗାଁରେ ଖ୍ରୀଷ୍ଟିୟାନ ସାହି, ଭତରା ସାହି, ନାୟକ ସାହିରେ ୪୦୦ ପରିବାରର ପ୍ରାୟ ୨ହଜାର ଲୋକ ବସବାସ କରୁଛନ୍ତି।
ପାନୀୟଜଳ ପାଇଁ ବହୁ ପୂର୍ବରୁ ଏଠାରେ ୩ଟି ନଳକୂଅ ଖନନ ହୋଇଥିଲା। ସେଥିମଧ୍ୟରୁ ଗତ ୨ମାସ ହେଲା ୨ଟି ଅଚଳ ହୋଇପଡ଼ିଛି। ପାନୀୟ ଜଳପ୍ରକଳ୍ପ ନିର୍ମାଣ କରାଯାଇ ସାହିରେ ଷ୍ଟାଣ୍ଡପୋଷ୍ଟ୍ ରହିଛି। ୨ ମାସ ହେଲା ଏହା ମଧ୍ୟ ଅକାମି ହୋଇପଡିଛି। ହାଣ୍ଡିଏ ପାଣି ପାଇଁ ମହିଳାଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି।
ଏପରିକି ପାଣି ପାଇଁ ପଶୁପକ୍ଷୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାନୀୟଜଳ ସମସ୍ୟା ନେଇ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯିବା ସତ୍ତେ୍ୱ ସୁଫଳ ମିଳୁ ନଥିବା ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି। ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ କରା ନଗଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।