ଭୁବନେଶ୍ୱର, ୮/୭ : ରାଜ୍ୟରେ ଚାଲିଥିବା ଭୀଷଣ ବର୍ଷା କମିଛି । ମଙ୍ଗଳବାର କାଁ ଭାଁ କିଛି ସ୍ଥାନରେ ଅଳ୍ପ ପରିମାଣର ବର୍ଷା ହୋଇଛି । କିନ୍ତୁ ଆସନ୍ତା ୧୧ ତାରିଖ ଯାଏ ଅଧିକାଂଶ ସ୍ଥାନରେ ବର୍ଷା ନାହିଁ । ଉପରମୁଣ୍ଡରେ ବର୍ଷା ଲଗାତର କମିବାରୁ ବିଭିନ୍ନ ନଦୀର ଜଳସ୍ତର ବି ଖସିଛି । କେବଳ ନରାଜଠାରେ ମହାନଦୀକୁ ଛାଡ଼ି ଦେଲେ ସବୁ ନଦୀର ଜଳସ୍ତର ଖସୁଛି । ଓଡ଼ିଶା ଉପର ଦେଇ ଅତିକ୍ରମ କରିଥିବା ଅବପାତ ଏବେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହା ଆସନ୍ତା ୨୪ ଘଣ୍ଟାରେ ଆହୁରି ଦୁର୍ବଳ ହୋଇଯିବ ।
ବୁଧବାର କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ ବର୍ଷା ହୋଇପାରେ । ୯ ତାରିଖରେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୦ ଓ ୧୧ ତାରିଖରେ ବି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୬୦.୮ ମିମି ବର୍ଷା ହୋଇଛି । ସମ୍ବଲପୁରରେ ୫୮.୮, ବରଗଡ଼ରେ ୫୨.୪, ସୁନ୍ଦରଗଡ଼ରେ ୫୦.୬, ନୂଆପଡ଼ାରେ ୪୭ ଓ ଦେବଗଡ଼ରେ ୩୦.୨ ମିମି ବର୍ଷା ହୋଇଛି । ମହାନଦୀର ନରାଜଠାରେ ଜଳସ୍ତର ବଢୁଛି । ଏଠାରେ ବିପଦସଙ୍କେତ ସ୍ତର ୨୬.୪୧ ମିଟର ଥିବାବେଳେ ବର୍ତ୍ତମାନର ଜଳସ୍ତର ୨୪.୬୫ ମିଟର ରହିଛି ।
ଆସନ୍ତା ୯ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ଉପରମୁଣ୍ଡରୁ ପାଣି ଆସିଲେ ମହାନଦୀ ଓ ଶାଖା ନଦୀରେ ପାଣି ସାମାନ୍ୟ ବଢ଼ିପାରେ । କିନ୍ତୁ ବିଶେଷ ପ୍ରଭାବ ପଡ଼ିବନି । ବର୍ଷା କମିବା ପରେ ବୈତରଣୀ ନଦୀର ଜଳସ୍ତର ବି ଖସିଛି । ସୋମବାର ଆଖୁଆପଦାଠାରେ ଜଳସ୍ତର ବଢ଼ିବା ସହ ସତର୍କ ସଙ୍କେତ ସ୍ତର ପାର କରିଥିଲା । କିନ୍ତୁ ଆଜି ଜଳସ୍ତର ଖସିଛି । ବ୍ରାହ୍ମଣ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀ ଜଳସ୍ତର ସତର୍କ ସଙ୍କେତଠାରୁ ବହୁ ତଳେ ରହିଛି।
ଆହୁରି ପଢନ୍ତୁ- Gandhamardan medicinal plant : ଗନ୍ଧମାର୍ଦ୍ଦନ ଗୁଳ୍ମରୁ ତିଆରି ହେଲା କ୍ୟାନସର ଔଷଧ, ମୂଷା ଦେହରେ ସଫଳ ପରୀକ୍ଷଣ
Water Level Recedes at Maa Bhattarika Temple | ବଡମ୍ବାର ମା'ଭଟ୍ଟାରିକା ମନ୍ଦିରରେ କମିଲା ଜଳର ସ୍ତର