ଭୁବନେଶ୍ୱର, ୨୫/୦୪ : ସାବଧାନ! ପବିତ୍ର ବିନ୍ଦୁସାଗର, ନରେନ୍ଦ୍ର ପୁଷ୍କରିଣୀ ପାଣିରେ ବୁଡ଼ ପକାଇଲେ ହୋଇପାରେ ସାଂଘାତିକ ରୋଗ । ପିଇବା କଥା ଛାଡ଼ନ୍ତୁ, ଛୁଇଁବା ବି ବିପଦ । ହଁ, ଏହି ପବିତ୍ର କୁଣ୍ଡରେ ପଶୁଛି ବ୍ୟାପକ ମଳ ପାଣି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନ୍ତର୍ଗତ ଜାତୀୟ ଜଳ ଗୁଣବତ୍ତା ନିରୀକ୍ଷଣ ସଂସ୍ଥା (ଏନଡବ୍ଲୁଏମ୍‌ପି) ରିପୋର୍ଟ ଏଭଳି ସାଂଘାତିକ ଦିଗକୁ ସୂଚାଉଛି ।

ଏହି ରିପୋର୍ଟ କହୁଛି, ବିନ୍ଦୁସାଗର ପାଣିରେ ଫେକାଲ କୋଲିଫର୍ମ (ମଳର ପରିମାଣ) ବହୁତ ଅଧିକ ରହୁଛି । ପ୍ରତି ୧୦୦ ମିଲିମିଟର ପାଣିରେ ମଳ ପ୍ରଦୂଷଣ ମାତ୍ରା ୧୩୦୦ରୁ ୨୪୦୦ ପର୍ଯ୍ୟନ୍ତ ରହୁଛି । ଏହାର ଅର୍ଥ ହେଉଛି, ନର୍ଦ୍ଦମା କିମ୍ବା ପାଇଖାନା ପାଣି ପଶୁଛି ଏସବୁ ଜଳ ଉତ୍ସରେ । ବହୁଳ ଭାବେ ବ୍ୟବହୃତ ହେଉଥିବା ଏସବୁ ତୀର୍ଥ ପୁଷ୍କରଣୀକୁ ନିୟମିତ ବିଶୋଧନ କରିବାଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ମଳ ମିଶ୍ରିତ ଜଳରେ ଇ-କୋଲାଇ ଭଳି ବିପଜ୍ଜନକ ବ୍ୟାକ୍ଟେରିଆ ଥାଏ ଯାହା ମଣିଷ ବ୍ୟବହାର ପାଇଁ ବିପଜ୍ଜନକ । ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ଏହି ପରିମାଣ ୪୯୦୦ ପର୍ଯ୍ୟନ୍ତ ରହୁଛି । ଏଠି ଏବେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଚାଲିଛି । ମାର୍କଣ୍ଡ ପୋଖରୀରେ ଏହି ବ୍ୟାକ୍ଟେରିଆ ପରିମାଣ ୭୯୦୦ ଛୁଇଁଛି । ଇନ୍ଦ୍ରଦ୍ୟୁମ୍ନ ପୋଖରୀରେ ବି ଏହା ୧୩୦୦୦, ଶ୍ୱେତଗଙ୍ଗାରେ ୨୩୦୦, ପାର୍ବତୀସାଗରରେ ୨୨୦୦ ପହଞ୍ଚିଛି ।

କଟକର ଅଂଶୁପା ହ୍ରଦର ଜଳ ମଧୁର ହୋଇଥିବାବେଳେ ଏଠି ବି ମଳ ପଶି ଗନ୍ଧାଇଲାଣି । ଅଂଶୁପାର ଜଳରେ କଦଳୀବାଡ଼ିଠାରେ ଏହି ହାର ୨୩୦୦ ଛୁଇଁଛି । ସୁବର୍ଣ୍ଣପୁରରେ ଅଂଶୁପା ଜଳରେ ମଳର ପରିମାଣ ୨୨୦୦ ଓ ବିଷ୍ଣୁପୁରରେ ୧୭୦୦ ରହିଛି । ଚିଲିକା ପାଣି ବି ଆଉ ସୁରକ୍ଷିତ ନାହିଁ । ସାତପଡ଼ା ଓ ରମ୍ଭା ନିକଟରେ ଚିଲିକା ଜଳରାଶିରେ ମଳ ଜନିତ ପ୍ରଦୂଷଣ ମାତ୍ରା ୭୯୦ରେ ପହଞ୍ଚିଛି । ଜୟପୁରରେ ଜଗନ୍ନାଥସାଗରରେ ଏହି ହାର ୧୭୦୦ ଛୁଇଁଛି । ଜଳ ପ୍ରଦୂଷଣ ଆଧାର ଅନୁସାରେ ପାଣିରେ ମଳଜନିତ ପ୍ରଦୂଷଣ ମାତ୍ରା ୫ଶହ ଟପିଲେ ଗାଧୋଇବା ଉଚିତ ନୁହେଁ । ସମ୍ପୂର୍ଣ୍ଣ ମଳମୁକ୍ତ ଥିଲେ ହିଁ ପାଣିକୁ ପିଇ ହେବ । ୫ଶହ ଟପିଲେ ମାଛ ଚାଷ ବି କରିବା ମନା ।

ଏହି ଖବରଟିକୁ ପଢନ୍ତୁHeatwave Alert: ଉତ୍ତର ଓ ପଶ୍ଚିମ ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳା, ଝାରସୁଗୁଡ଼ା ପାଲଟିଲା ଦେଶରେ ଦ୍ୱିତୀୟ ଉତ୍ତପ୍ତ ସହର, ଦୁଇ ଦିନ ତାତି ମିଳିବନି ନିସ୍ତାର