ମୁମ୍ୱାଇ,୦୫/୧୨: ପ୍ରସିଦ୍ଧ ବଲିଉଡ୍ ଫିଲ୍ମ ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ ମୁକ୍ତିଲାଭ କରିବାର ୩୦ ବର୍ଷ ପୂରଣ କରିଛି । ସୁପରଷ୍ଟାର ଶାହାରୁଖ ଖାନଙ୍କ କ୍ୟାରିଅରରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଭାବରେ ପରିଚିତ ଏହି ରୋମାଣ୍ଟିକ ଫିଲ୍ମ, ୨୦ ଅକ୍ଟୋବର, ୧୯୯୫ ରେ ପ୍ରିମିୟର ହୋଇଥିଲା ଏବଂ ସେବେଠାରୁ ଭାରତୀୟ ସିନେମା ଇତିହାସରେ ସବୁଠାରୁ ସଫଳ ଏବଂ ଦୀର୍ଘତମ ଚାଲୁଥିବା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇଛି । ଏହି ପ୍ରସିଦ୍ଧ ଚଳଚ୍ଚିତ୍ର କେବଳ ଏକ ବ୍ଲକବ୍ଲଷ୍ଟପର ଫିଲ୍ମ ନଥିଲା ବରଂ ଏକ ବ୍ଲକବଷ୍ଟର ସାଉଣ୍ଡଟ୍ରାକ୍ ମଧ୍ୟ ସୃଷ୍ଟି କରିଥିଲା । ଯାହା ଦୀର୍ଘ ଦଶନ୍ଧି ଧରି ଲୋକପ୍ରିୟ ହୋଇ ରହିଛି । ସେହିପରି ରାଜ ଏବଂ ସିମରନଙ୍କୁ ବିଦେଶରେ ମଧ୍ୟ ବହୁ ପ୍ରଶଂସକ ଅଛନ୍ତି। ନିକଟରେ ଲଣ୍ଡନରେ ରାଜ ଏବଂ ସିମରନଙ୍କ ଏକ ବ୍ରୋଞ୍ଜ ପ୍ରତିମା ତିଆରି କରାଯାଇଛି। ଯାହାକୁ ଶାହରୁଖ ଖାନ ଏବଂ କାଜୋଲ ଏହାକୁ ଉନ୍ମୋଚନ କରିବା ପାଇଁ ବ୍ୟକ୍ତିଗତ ଭାବରେ ଆସିଥିଲେ। ବ୍ରୋଞ୍ଜ ପ୍ରତିମାରେ ରାଜ ଏବଂ ସିମରନଙ୍କୁ ସେମାନଙ୍କର ଆଇକନିକ୍ ଲୁକରେ ଦେଖିବାକୁ ମିଳିଛି।

ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ ର ୩୦ ତମ ବାର୍ଷିକୀ ଉପଲକ୍ଷେ ଲଣ୍ଡନର ଲିସେଷ୍ଟର ସ୍କୋୟାରରେ ରାଜ ଏବଂ ସିମରନଙ୍କ ଏକ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ କରିଛନ୍ତି ଶାହରୁଖ ଖାନ ଏବଂ କାଜୋଲ। ଏହା ବଲିଉଡ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, କାରଣ ପ୍ରଥମ ଥର ପାଇଁ କୌଣସି ଭାରତୀୟ ଚଳଚ୍ଚିତ୍ରକୁ ଲିସେଷ୍ଟର ସ୍କୋୟାରରେ ଏକ ପ୍ରତିମା ସହିତ ସମ୍ମାନିତ କରାଯାଇଛି। ଲିସେଷ୍ଟର ସ୍କୋୟାରର ଲୋକପ୍ରିୟ 'ସିନ୍ସ ଇନ୍ ଦି ସ୍କୋୟାର' ଟ୍ରେଲରେ ଶାହରୁଖ ଖାନ ଏବଂ କାଜୋଲଙ୍କ ଏହି ପ୍ରତିମୂର୍ତ୍ତିକୁ ଯଶ ରାଜ ଫିଲ୍ମସର ସିଇଓ ଅକ୍ଷୟ ବିଧାନୀ ଏବଂ ହାର୍ଟ ଅଫ୍ ଲଣ୍ଡନ ବିଜନେସ୍ ଆଲାଏନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ରୋଜ୍ ମୋର୍ଗାନଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତ ଏବଂ ୟୁକେ ମଧ୍ୟରେ ଗଭୀର ସାଂସ୍କୃତିକ ସମ୍ପର୍କକୁ ମଧ୍ୟ ପାଳନ କରାଯାଇଥିଲା।

ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ, ଶାହରୁଖ ଖାନ ଖୁସି ବ୍ୟକ୍ତ କରି କହିଥିଲେ ଯେ, ଏହି ଫିଲ୍ମଟି ତାଙ୍କ ହୃଦୟର ବହୁତ ନିକଟତର। ଏହା ପ୍ରେମ ପ୍ରସାର କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଏକ ଫିଲ୍ମ ଥିଲା। ଏହି ଫିଲ୍ମ ତାଙ୍କୁ ସ୍ୱୀକୃତି ଦେଇଛି। ସେ ୟୁକେର ଲୋକମାନଙ୍କୁ ଏବଂ ହାର୍ଟ ଅଫ୍ ଲଣ୍ଡନ ବ୍ୟବସାୟ ଆଲାଏନ୍ସକୁ ଧନ୍ୟବାଦ ଜଣାଇଥିଲେ। ଶାହରୁଖ କହିଥିଲେ, "ଏହା ଏକ ଭାବପ୍ରବଣ ମୁହୂର୍ତ୍ତ ଯାହା ଅନେକ ସ୍ମୃତିକୁ ଫେରାଇ ଆଣିଛି। ମୁଁ ସାରା ବିଶ୍ୱରେ ଫିଲ୍ମ ପାଇଁ ପାଇଥିବା ଭଲ ପାଇବା ପାଇଁ ବହୁତ ଗର୍ବିତ ଏବଂ ମୁଁ ଏହି ମୁହୂର୍ତ୍ତକୁ ସମ୍ପୂର୍ଣ୍ଣ DDLJ ଟିମ୍, ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ଏବଂ ୟଶ ରାଜ ଫିଲ୍ମସ ପରିବାର ସହିତ ବାଣ୍ଟିବାକୁ ଚାହୁଁଛି। ମୁଁ ଏହି ମୁହୂର୍ତ୍ତକୁ କେବେ ଭୁଲିପାରିବି ନାହିଁ।"ଏହି ସମୟରେ, DDLJର ସିମରନ୍ ବା କାଜୋଲ୍, କହିଛନ୍ତି ଯେ, ୩୦ବର୍ଷ ପରେ ମଧ୍ୟ ଲୋକଙ୍କଠାରୁ ଏତେ ଭଲପାଇବା ପାଇ ସେ ବହୁତ ଖୁସି। ସେ କହିଛନ୍ତି, "ଲଣ୍ଡନରେ ପ୍ରତିମା ଉନ୍ମୋଚନ ହେଉଥିବା ଦେଖିବା ଆମ ଇତିହାସର ଏକ ଅଂଶକୁ ପୁନର୍ଜୀବିତ କରିବା ଭଳି ଥିଲା। ଏକ କାହାଣୀ ଯାହା ପିଢ଼ି ପରେ ପିଢ଼ି ରହିଛି।"