ମୁମ୍ବାଇ ୧୮/୦୧: ଫରହାନ ଅଖତରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ‘ଡନ୍-୩’ ପୁଣି ଥରେ ଖବରରେ । ସଦ୍ୟ ରିପୋର୍ଟ ଅନୁସାରେ, ଏହି ଫ୍ରାଞ୍ଚାଇଜିରେ କିଙ୍ଗ୍ ଖାନ୍‌ଙ୍କ ଏଣ୍ଟ୍ରି ହୋଇପାରେ । ଚର୍ଚ୍ଚା ହେଉଛି, ଫରହାନ ଓ ଶାହରୁଖ୍‌ଙ୍କ ମଧ୍ୟରେ ଫିଲ୍ମକୁ ନେଇ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି । ଶାହରୁଖ୍ ଫିଲ୍ମକୁ ଫେରିବାକୁ ରାଜି ହୋଇଛନ୍ତି । କିନ୍ତୁ ଏକ ସର୍ତ୍ତ ସହିତ । ସେ ଚାହୁଁଛନ୍ତି, ଦକ୍ଷିଣ ସିନେ ଜଗତର ଚର୍ଚ୍ଚିତ ନିର୍ଦ୍ଦେଶକ ଆଟ୍‌ଲି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳନ୍ତୁ । ଆଟ୍‌ଲି ଯଦି ଏହି ପ୍ରୋଜେକ୍ଟରେ ଯୋଡ଼ି ହୁଅନ୍ତି, ସେ ଫିଲ୍ମକୁ ଫେରିବା କଥା ଚିନ୍ତା କରିବେ ।

ଶାହରୁଖ୍ ଓ ଆଟ୍‌ଲିଙ୍କ ‘ଯୱାନ’ ବ୍ଲକ୍‌ବଷ୍ଟର ହୋଇଥିଲା । ଫର୍‌ହାନ ଅଖତର ଗତ ୩ ବର୍ଷ ହେଲା ଡନ୍ ଫ୍ରାଞ୍ଚାଇଜିର ୩ୟ ସଂସ୍କରଣ ଉପରେ କାମ କରୁଛନ୍ତି । କିନ୍ତୁ ଷ୍ଟାର୍ ଚୟନକୁ ନେଇ ସୁଟିଂ ବାରମ୍ବାର ଅଟକିଛି । ପ୍ରଥମେ ରଣବୀର ସିଂହଙ୍କୁ ଫିଲ୍ମରେ କାଷ୍ଟ୍ କରାଯାଇଥିଲା, କିନ୍ତୁ ‘ଧୁରନ୍ଧର୍’ର ସଫଳତା ପରେ ସେ ଏଥିରୁ ଓହରିଗଲେ । ତା’ପରେ ଋତ୍ୱିକଙ୍କୁ ‘ଡନ୍-୩’ ଅଫର୍ କରାଗଲା, କିନ୍ତୁ ସେ ଫିଲ୍ମ କରିବାକୁ ମନା କରିଦେଲେ । ସେ ଏବେ ‘କ୍ରିଶ୍-୪’ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିବାକୁ ପ୍ରସ୍ତୁତି ଚଳାଇଛନ୍ତି । ତାଙ୍କ ହାତରେ ଏକାଧିକ ପାନ୍-ଇଣ୍ଡିଆ ଫିଲ୍ମ ବି ଅଛି । ସେଥିପାଇଁ ସମୟ ଦେଇପାରିବେ ନାହିଁ । ଏବେ ଶାହରୁଖ୍‌ଙ୍କ ଲେଉଟାଣିକୁ ନେଇ ଚର୍ଚ୍ଚା ଜୋର ଧରିଛି ।