ନୂଆଦିଲ୍ଲୀ: ପାକିସ୍ତାନ ତାର ସେନା, ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ସରକାରୀ ଅନୁଷ୍ଠାନମାନଙ୍କ ସହଯୋଗରେ ଭାରତୀୟ ସେନାର ଅପରେସନ୍ ସିନ୍ଦୁରରେ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଶିବିର ଏବଂ ଲଞ୍ଚପ୍ୟାଡଗୁଡ଼ିକୁ ପୁନର୍ନିର୍ମାଣ କରୁଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଛି। ଏହି ପୁନର୍ନିର୍ମାଣ କାର୍ଯ୍ୟ ବିଶେଷ କରି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଏବଂ ତତ୍ସଂଲଗ୍ନ ଅଞ୍ଚଳରେ ଜୋରସୋରରେ ଆଗେଇ ଚାଲିଛି।
ଚଳିତ ବର୍ଷ ମେ ମାସରେ ଜାମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଭାରତୀୟ ସେନା ଅପରେସନ୍ ସିନ୍ଦୁର ଆରମ୍ଭ କରି ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ସଠିକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦ (ଜେଇଏମ), ଲସ୍କର-ଏ-ତୈବା (ଏଲଇଟି) ଏବଂ ହିଜବୁଲ ମୁଜାହିଦ୍ଦୀନ ସହ ଜଡ଼ିତ ସ୍ଥାନଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ବାହାଓ୍ଵାଲପୁରରେ ଥିବା ଜେଇଏମର ମୁଖ୍ୟାଳୟ ଏହି ଆକ୍ରମଣରେ ସମ୍ପୂର୍ଣ୍ଣ ରୁପେ ଧ୍ୱଂସ ହୋଇଯାଇଥିଲା।
ଗୁଇନ୍ଦା ସୂତ୍ର ଅନୁସାରେ, ପାକିସ୍ତାନ ଏହି ଶିବିରଗୁଡ଼ିକୁ ପୁନର୍ନିର୍ମାଣ କରିବା ସହ ନୂଆ ରଣନୀତି ଗ୍ରହଣ କରିଛି। ବଡ଼ ଶିବିରଗୁଡ଼ିକୁ ଛୋଟ ଛୋଟ ଶିବିରରେ ବିଭକ୍ତ କରାଯାଉଛି। ଯାହା ଆକ୍ରମଣ ଜନିତ କ୍ଷତିକୁ କମ କରିବାରେ ସହାୟକ ହେବ। ଏହି ଛୋଟ ଶିବିରଗୁଡ଼ିକରେ ଥର୍ମାଲ ସେନ୍ସର, ଲୋ-ଫ୍ରିକ୍ୱେନ୍ସି ରାଡାର ଏବଂ ଆଣ୍ଟି-ଡ୍ରୋନ ଟେକ୍ନୋଲୋଜି ସହିତ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିବ। ପାକିସ୍ତାନୀ ସେନାର ସ୍ୱତନ୍ତ୍ର ପ୍ରଶିକ୍ଷିତ କର୍ମୀମାନେ ଏହି ଶିବିରଗୁଡ଼ିକୁ ସୁରକ୍ଷା ଦେବେ।
ଅପରେସନ୍ ସିନ୍ଦୁରରେ ଧ୍ୱଂସ ହୋଇଥିବା ଜାମ୍ମୁ ସୀମାରେ ଥିବା ଚାରିଟି ଲଞ୍ଚପ୍ୟାଡ ମସରୁର ବଡ଼ା ଭାଇ, ଚାପରାର, ଲୁନୀ ଏବଂ ଶାକରଗଡ଼ରେ ଏକ ଡ୍ରୋନ ସେଣ୍ଟରକୁ ପୁନଃସକ୍ରିୟ କରାଯାଉଛି। ଏହି ସ୍ଥାନଗୁଡ଼ିକରେ ପାକିସ୍ତାନ ରେଞ୍ଜର୍ସ ପୋଷ୍ଟ ମଧ୍ୟ ରହିଛି।
ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ବାହାଓ୍ଵାଲପୁରରେ ଏକ ଉଚ୍ଚସ୍ତରୀୟ ବୈଠକ ବିଷୟରେ ସୂଚନା ପାଇଛନ୍ତି। ଯେଉଁଥିରେ ଆଇଏସଆଇ ଏହି ଶିବିରଗୁଡ଼ିକୁ ପୁନର୍ନିର୍ମାଣ ପାଇଁ ପାଣ୍ଠି ଓ ମାନବ ସମ୍ବଳ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି। ଭାରତ ଏହି ଗତିବିଧି ଉପରେ ନଜର ରଖିଛି ଏବଂ ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି ବୋଲି ବରିଷ୍ଠ ଅଧିକାରୀମାନେ ମତ୍ତ ପ୍ରକାଶ କରିଛନ୍ତି।
ଅପରେସନ୍ ସିନ୍ଦୁର ଭାରତର ଆତଙ୍କବାଦ ବିରୋଧୀ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। କିନ୍ତୁ ପାକିସ୍ତାନର ପୁନର୍ନିର୍ମାଣ ପ୍ରୟାସ ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଆହୁରି ବଢ଼ାଇପାରେ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି। ଏହି ପରିସ୍ଥିତିରେ ଭାରତର ସତର୍କତା ଓ ରଣନୀତିକ ପ୍ରସ୍ତୁତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି।