ମୁମ୍ବାଇ,୧୯।୧: ଫିଲ୍ମ ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ଶରିଫୁଲ ଇସ୍ଲାମ ଶହଜାଦ ଗିରଫ ହେବାପରେ ବହୁତ କିଛି ଖୁଲାସା ହୋଇଛି। ସେ ପୂର୍ବରୁ ମଧ୍ୟ ସୈଫ୍‌ଙ୍କ ଘରକୁ ଆସିଥିଲା। ସେତେବେଳେ ସେ ହାଉସକିପିଂ କମ୍ପାନୀରେ କାମ କରୁଥିଲା। ପୋଲିସ ସୁତ୍ରର ସୂଚନା ଅନସାରେ, ସେ ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଘରେ ସଫେଇ ପାଇଁ ଆସିଥିଲା। ୧୬ ଜାନୁଆରୀ ଭୋର ସମୟରେ ମଧ୍ୟ ସେ ସୈଫ୍‌ଙ୍କ ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରେ ଲୁଟ୍ କରିବା ଉଦେଶ୍ୟରେ ଆସିଥିଲା। ଏହା ସହ ସୈଫ୍‌ଙ୍କ ଉପରେ କରିଥିଲା ମରଣାତ୍ମକ ଆକ୍ରମଣ।

ପୋଲିସର ସୂଚନା ଅନୁସାରେ, ୧୬ ଜାନୁଆରୀରେ ସେ ଦେଖିଥିଲା ସୁରକ୍ଷାକର୍ମୀ ଶୋଇଛନ୍ତି। ଏହାର ସୁଯୋଗ ନେଇ ୧୧ ତମ ମହଲାକୁ ଚାଲିଯାଇଥିଲା। ଏହାପରେ ସୈଫ୍-କରିନାଙ୍କ ଦୁଇ ପୁଅ ତୈମୁର ଓ ଜାହାଙ୍ଗିରଙ୍କ ରୁମ୍‌କୁ ଲାଗିଥିବା ବାଥରୁମ୍‌ରେ ଲୁଚି ଯାଇଥିଲା।ପୂର୍ବରୁ ସେ ଓ୍ବର୍ଲିରେ ରହୁଥିଲା। ଘଟଣା ଦିନ ସେ ଥାନେ ଯିବା ପାଇଁ ଟ୍ରେନ୍‌ରେ ଯାଇଥିଲା। ଥାନେରେ ଜଣେ ବାଇକ୍‌ଚାଳକ ତାକୁ ନେଇକି ଆସିଥିଲେ। ବାଇକ ନମ୍ବର ସାହାଯ୍ୟରେ ପୋଲିସ ତାକୁ ୧୮ ତାରିଖରେ ଘୋଡବନ୍ଦରରୁ ଟ୍ରାକ୍ କରିଥିଲା। ସେଠାରେ ତାକୁ ଗିରଫ କରିଥିଲା। 

ମୁମ୍ବାଇ ପୋଲିସ ଡିସିପି ଦୀକ୍ଷିତ ଗେଡମ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି ଓ ତାକୁ ଗିରଫ କରାଯାଇଛି। ସେ କହିଛନ୍ତି, ଅଭିଯୁକ୍ତ ଚୋରି କରିବା ଉଦେଶ୍ୟରେ ପଶିଥିଲା। ତାକୁ କୋର୍ଟରେ ହାଜର କରାଯିବ। ଆମକୁ ଏନେଇ କୌଣସି ପ୍ରମାଣ ମିଳିନି ପୂର୍ବରୁ ସେ ସୈଫ୍‌ଙ୍କ ଘରକଚ ଆସିଥିଲା। ତେବେ ତା’ର କୌଣସି ଅପରାଧିକ ରେକର୍ଡ ମଧ୍ୟ ନାହିଁ। ଆମକୁ ସନ୍ଦେହ ହେଉଛି ଅଭିଯୁକ୍ତ ବାଂଲାଦେଶୀ। ତେଣୁ ଏଫ୍‌ଆଇଆରରେ ସଂଶୋଧନ କରାଯାଇଛି। ପ୍ରାଥମିକ ସାକ୍ଷ୍ୟ ଅନୁସାରେ, ଅଭିଯୁକ୍ତ ବାଂଲାଦେଶୀ ନାଗରିକ ଭଳି ଲାଗୁଛି। ତା ପାଖରେ ଭାରତୀୟ ହୋଇଥିବା ନେଇ କୌଣସି ଦସ୍ତାବିଜ ମଧ୍ୟ ନାହିଁ। ମୁମ୍ବାଇକୁ ସେ ୫-୬ ମାସ ପୂର୍ବରୁ ଆସିଛି। ସେ ହାଉସକିପିଂ ଏଜେନ୍ସିରେ କାମ କରୁଥିଲା।