ନୂଆଦିଲ୍ଲୀ, ୦୮/ ୧୨:  ପୁଣି ଚାଷୀଙ୍କର ଆଜିଠୁ ଦିଲ୍ଲୀ ଚଲୋ ଅଭିଯାନ ।  ସରକାରଙ୍କ ପକ୍ଷରୁ ସେମାନଙ୍କ ଦାବି ସମ୍ପର୍କରେ କୌଣସି ଆଲୋଚନା  ନ ହେବାରୁ  ଦିଲ୍ଲୀ ଚଲୋ ନାରା ଦେଇଛି କୃଷକ ସଂଗଠନ । ଗୋଟିଏ ଦିନ ପରେ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛି କୃଷକ ସଂଗଠନ ।ତେବେ ଗତ ୬ ତାରିଖ ଦିଲ୍ଲୀ ଚଲୋ ନାରା ଦେଇ ୧୦୧ ଜଣ ଚାଷୀ ପଞ୍ଜାବରୁ  ଆରମ୍ଭ କରିଥିଲା ପଦଯାତ୍ରା। ହେଲେ ଶମ୍ଭୁ ସୀମାରେ ତାଙ୍କୁ ପୋଲିସ ଅଟକାଇ ଦେଇଥିଲା ।  ଆଜି ମଧ୍ୟରେ ଚାଷୀଙ୍କୁ ଆଲୋଚନା ପାଇଁ ନଡାକିଲେ ପୁଣି ଦିଲ୍ଲୀ ଅଭିମୁଖେ ଅଭିଯାନ ଆରମ୍ଭ କରିବାକୁ ଚେତାବନୀ ଦେଇଥିଲା। କିନ୍ତୁ ଆଲୋଚନା ପାଇଁ କେନ୍ଦ୍ର ସରକାର ନ ଡାକିବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ସେପଟେ ପ୍ରଶାସନ ଶମ୍ଭୁ ବର୍ଡରରେ ସୁରକ୍ଷା ବ୍ୟବସ୍ଥା କରିଛି  କଡ଼ାକଡି ।            

ସୂଚନା ଅନୁଯାୟୀ, ଏମଏସପିର ଆଇନଗତ ଗ୍ୟାରେଣ୍ଟି ସହିତ ରହିଛି ଅନ୍ୟ ଦାବି। ଦିଲ୍ଲୀ ପୋଲିସ ପକ୍ଷରୁ ରାଲି ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ନିୟମକୁ ମାନି  ନାହାନ୍ତି ଚାଷୀ। ଗତ ସୋମବାର ଉତ୍ତରପ୍ରଦେଶର ଚାଷୀମାନେ ପାର୍ଲାମେଣ୍ଟ ଅଭିଯାନ କରିଥିଲେ । ତେବେ ସେମାନଙ୍କୁ ନୋଏଡାରେ ଅଟକ ରଖିଥିଲା ପୋଲିସ।  ଯାହାକୁ ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ଚାଷୀ। ବିଭିନ୍ନ ଶସ୍ୟରେ ଏମଏସପି ପ୍ରଦାନ କରିବା, ଋଣ ଛାଡ଼, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ବିଦ୍ୟୁତ ଦର ବୃଦ୍ଧି ନକରିବା, ୨୦୨୧ ଲଖିମପୁରୀ ଘଟଣାରେ ଚାଷୀଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର ଆଦି ଦାବିରେ ଆନ୍ଦୋଳନ କରୁଛନ୍ତି ଚାଷୀ । ଗତ ଫେବୃୟାରୀ ୧୩ରୁ ଚାଷୀମାନେ ପଞ୍ଜାବ ଓ ହରିୟାଣା ସୀମା ଅନ୍ତର୍ଗତ ଶମ୍ଭୁ ଓ ଖାନାଉରିରେ କ୍ଯାମ୍ପ ପ୍ରତିଷ୍ଠା କରି ରହିଛନ୍ତି । ସୀମାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ଥିବାବେଳେ ବିଭିନ୍ନ ସ୍ଥାନରେ ବ୍ଯାରିକେଡ ଲଗାଯାଇଛି ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୃଷକ ନେତା ସରବନ ସିଂ ପଂଧେର ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ କହିଛନ୍ତି। ସେ କହିଛନ୍ତି ଯେ ଆଜି କୃଷକଙ୍କ ବିରୋଧକୁ ୩୦୦ ଦିନ ହେଲାଣି। କୃଷକମାନେ ଶାନ୍ତିପୂର୍ଣ୍ଣ ଭାବରେ ପାଦରେ ଦିଲ୍ଲୀ ଯିବେ।କୃଷକମାନଙ୍କୁ ଦିଲ୍ଲୀ ଯିବାକୁ ଅନୁମତି ଦେବାକୁ ସରକାର ଏବଂ ପୋଲିସ ନିକଟରେ ସେ ନିବେଦନ କରିଛନ୍ତି ।