ମୁମ୍ବାଇ ୦୭/୧୦: ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁରଙ୍କ ବଲିଉଡ୍‌ ସ୍ୱପ୍ନ ଶେଷରେ ପୂରଣ ହେବାକୁ ଯାଉଛି । ୨୪ ବର୍ଷୀୟ ଶନାୟାଙ୍କୁ ରୋମାଣ୍ଟିକ ଡ୍ରାମା ‘ଆଖୋଁ କୀ ଗୁସ୍ତାଖିୟାଁ’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ବିପକ୍ଷରେ ବିକ୍ରାନ୍ତ ମେସି ନଜର ଆସିବେ । ଫିଲ୍ମଟି ପ୍ରଖ୍ୟାତ ଲେଖକ ରସ୍କିନ୍‌ ବଣ୍ଡଙ୍କର ଏକ କ୍ଷୁଦ୍ର ଗଳ୍ପରୁ ପ୍ରେରିତ । ଜଣେ ପ୍ରତିଭାସଂପନ୍ନ ଥିଏଟର ଅଭିନେତ୍ରୀ ଓ ଜଣେ ଦୃଷ୍ଟିହୀନ ସଙ୍ଗୀତଜ୍ଞଙ୍କ ପ୍ରେମ, ନିଜକୁ ଖୋଜିବାର ଯାତ୍ରାକୁ ନେଇ କାହାଣୀଟି ଗତିଶୀଳ । 

‘ବ୍ରୋକନ୍‌ ବଟ୍‌ ବିଉଟିଫୁଲ’, ‘ଅପହରଣ’ ଭଳି ୱେବ୍‌ ସିରିଜ୍‌ର ନିର୍ଦ୍ଦେଶନା ଦେଇଥିବା ସନ୍ତୋଷ ସିଂହ ଏହାର ନିର୍ଦ୍ଦେଶନାରେ ଅଛନ୍ତି । ମାନସୀ ବାଗ୍‌ଲା ଓ ବରୁଣ ବାଗ୍‌ଲା ଏହାର ପ୍ରଯୋଜନା କରିବେ । ଫିଲ୍ମର ଶୀର୍ଷକ ମ୍ୟୁଜିକାଲ୍‌ ଡ୍ରାମା ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ର ଏକ ଗୀତରୁ ନିଆଯାଇଛି । ଚଳିତ ମାସରେ ଏହାର ସୁଟିଂ ଆରମ୍ଭ ହେବ । ଆସନ୍ତାବର୍ଷ ମଧ୍ୟ ଭାଗରେ ‘ଆଖୋଁ କୀ ଗୁସ୍ତାଖିୟାଁ’ ରିଲିଜ୍‌ ହେବାର ଅଛି । ସେପଟେ ଶନାୟାଙ୍କୁ ଆସନ୍ତାବର୍ଷ ତେଲଗୁ ଓ ମାଲାୟଲମ୍‌ ଭାଷାରେ ରିଲିଜ୍‌ ହେବାକୁ ଥିବା ଆକ୍ସନ୍‌ ଫିଲ୍ମ ‘ବୃଷଭା’ରେ ଦେଖିବାକୁ ମିଳିବ । ସେଥିରେ ଅଭିନେତା ମୋହନ ଲାଲ ଅଭିନୟ କରିବେ ।