ବାରାଣସୀ, ୨୩।୩: ଯୌନ ଶୋଷଣ ଅଭିଯୋଗକୁ ନେଇ ମୁହଁ ଖୋଲିଲେ । ଜ୍ୟୋତିଷପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ନାବାଳକ ଯୌନ ଶୋଷଣ ଅଭିଯୋଗ ହୋଇଥିଲା । ଯାହା ଏବେ ଦେଶର ରାଜନୈତିକ ଓ ଧାର୍ମିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପ୍ରୟାଗରାଜର ଝୁଁସି ଥାନାରେ ମାମଲା ରୁଜୁ ହେବା ପରେ ପ୍ରଥମ ଥର ପାଇଁ ଶଙ୍କରାଚାର୍ଯ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ସିଧାସଳଖ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ଯଦି କୌଣସି ପ୍ରମାଣ ବା ସିଡି ଅଛି, ତେବେ ତାକୁ ତୁରନ୍ତ ସାର୍ବଜନୀନ କରାଯାଉ ।

ଈଶ୍ୱରଙ୍କ ଅଦାଲତ ଉପରେ ମୋର ଭରସା: ଶଙ୍କରାଚାର୍ଯ୍ୟ

ବାରାଣସୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି, "ମୋ ପାଇଁ ୩ଟି କୋର୍ଟ ରହିଛି । ଏହି ୩ଟି କୋର୍ଟ ହେଉଛି ନିମ୍ନ ଅଦାଲତ ଅର୍ଥାତ୍ ଜନତା, ହାଇକୋର୍ଟ ଅର୍ଥାତ୍ ମୋ ହୃଦୟ ଓ ସୁପ୍ରିମକୋର୍ଟ ଅର୍ଥାତ୍ ଭଗବାନ । ଏହି ତିନିଟି କୋର୍ଟରୁ ମତେ କ୍ଲିନ୍ ଚିଟ୍ ମିଳିସାରିଛି । ମୋର ଅନ୍ତରାତ୍ମା ଜାଣିଛି ମୁଁ ନିର୍ଦ୍ଦୋଷ । ଭଗବାନ ସବୁ ଦେଖୁଛନ୍ତି । ଯଦି ପୁଲିସ ମୋତେ ଗିରଫ କରିବାକୁ ଚାହୁଁଛି, ତେବେ କରିପାରେ, ମୁଁ ପୂର୍ଣ୍ଣ ସହଯୋଗ କରିବି । ଯେଉଁ ମିଛ କାହାଣୀ ଗଢ଼ାଯାଇଛି, ତାହା ଦିନେ ନା ଦିନେ ନିଶ୍ଚୟ ସାମ୍ନାକୁ ଆସିବ ।"

ଏହା ବି ପଢ଼ନ୍ତୁ... ​​​​​​​ତାସଘର ପରି ଭୁଶୁଡ଼ିଲା ଓଭରବ୍ରିଜ୍: ଜବଲପୁର-ଭୋପାଳ ହାଇୱେରେ ବଡ଼ ଦୁର୍ଘଟଣା

ସିଡିକୁ ନେଇ ଉଠାଇଲେ ପ୍ରଶ୍ନ:

ଅଭିଯୋଗକାରୀ ଆଶୁତୋଷ ବ୍ରହ୍ମଚାରୀଙ୍କ ଦାବି ଅନୁସାରେ ପିଲାମାନେ ସିଡି ପ୍ରସ୍ତୁତ କରିଛନ୍ତି । ଏହାକୁ ନେଇ ଶଙ୍କରାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି, ଯେଉଁ ପିଲାମାନେ କେବେ ମୋ ଗୁରୁକୁଳରେ ପଢ଼ିନାହାନ୍ତି, ସେମାନେ କେମିତି ଅଭିଯୋଗ ଆଣୁଛନ୍ତି ? ମାର୍କସିଟ୍ ଅନୁସାରେ ସେମାନେ ହରଦୋଇ ସ୍କୁଲର ଛାତ୍ର, ତେବେ ଏଠାରେ କେମିତି ରହୁଥିଲେ ? ଯଦି ପିଲାମାନେ ସିଡି ଧରି ଆସିଥିଲେ, ତେବେ କିଏ ସେହି ସିଡି ତିଆରି କରୁଥିଲା ? ଏହା ଏକ ବଡ଼ ଷଡ଼ଯନ୍ତ୍ର ।

"ସନାତନ ଧର୍ମକୁ ନଷ୍ଟ କରିବାକୁ ଚେଷ୍ଟା"

ଶଙ୍କରାଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ, କିଛି ଲୋକ ହିନ୍ଦୁ ଧର୍ମର ପୋଷାକ ପିନ୍ଧି ସନାତନ ଧର୍ମକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ସେ କହିଛନ୍ତି, "ଯେତେବେଳେ ବିଧର୍ମୀମାନେ ସଫଳ ହେଲେ ନାହିଁ, ସେତେବେଳେ କିଛି ନିଜ ଲୋକଙ୍କୁ ବ୍ୟବହାର କରି ଶଙ୍କରାଚାର୍ଯ୍ୟଙ୍କ ସମ୍ମାନ ହାନି କରିବାକୁ ଚେଷ୍ଟା କରାଯାଉଛି ।" କ’ଣ ଥିଲା ପୂରା ଘଟଣା ଆସନ୍ତୁ ଜାଣିବା । କହିରଖୁଛୁ ଯେ, ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟର ଅଧ୍ୟକ୍ଷ ଆଶୁତୋଷ ବ୍ରହ୍ମଚାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ମାଘ ମେଳା ସମୟରେ ଜଣେ ନାବାଳକ ଓ ଜଣେ ବାଳକଙ୍କୁ ଶଙ୍କରାଚାର୍ଯ୍ୟ ଓ ତାଙ୍କ ଶିଷ୍ୟ ମୁକୁନ୍ଦାନନ୍ଦ ଯୌନ ନିର୍ଯାତନା ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରୟାଗରାଜ ପୋଲିସ ଏହି ମାମଲାରେ ଏଫ୍‌ଆଇଆର୍ ରୁଜୁ କରି ତଦନ୍ତ ଜାରି ରଖିଛି ।