ପୁରୀ ୦୭/୦୯: ଆସନ୍ତା ୧୪ ତାରିଖ ରବିବାର ମୂଳାଷ୍ଟମୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସହସ୍ର କୁମ୍ଭାଭିଷେକ ନୀତି । ଶ୍ରୀକ୍ଷେତ୍ରାଧିଶ୍ୱରୀ ମା’ ବିମଳାଙ୍କ ଷୋଡ଼ଶଦିନାତ୍ମକ ପୂଜାର୍ଚ୍ଚନାର ଶୁଭାରମ୍ଭ ହେବ । ଏହି ଅବସରରେ ବଡ଼ଦେଉଳରେ ପାଳିତ ହେବ ଦୁର୍ଗା-ମାଧବ ଉପାସନା । ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ । ସର୍ବତ୍ର ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ରହିଛି । ହେଲେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଦୁର୍ଗାଙ୍କ ଉପାସନାର ପ୍ରଚଳନ ରହିଛି ।
ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସମେତ ପୀଠମାନଙ୍କରେ ୧୭ ଦିନ ଶାରଦୀୟ ଦୁର୍ଗା ପୂଜା ହେବ । ଚଳିତ ମାସ ୨୮ ତାରିଖ ରବିବାର ଦେବୀଙ୍କ ମହାସପ୍ତମୀ ପୂଜା, ୨୯ ତାରିଖ ମହାଷ୍ଟମୀ ପୂଜା ଓ ୩୦ ତାରିଖ ମହାନବମୀ ପୂଜା ହେବ । ଅକ୍ଟୋବର ୧ ତାରିଖ ବୁଧବାର ବିଶ୍ରାମ । ୨ ତାରିଖ ଗୁରୁବାର ଠାକୁରାଣୀଙ୍କ ଦଶହରା ପୂଜା ହେବ । ଆଶ୍ୱିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଶୁକ୍ଲପକ୍ଷ ନବମୀ ପର୍ଯ୍ୟନ୍ତ ଷୋଡ଼ଶଦିନାତ୍ମକ ପୂଜା । ଏହି ଅବସରରେ ମହିଳାଙ୍କୁ ମା’ବିମଳାଙ୍କ ମନ୍ଦିରକୁ ପ୍ରବେଶ ବାରଣ ରହିଥାଏ ।
ପୂଜା ଆରମ୍ଭରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ଭଣ୍ଡାରରୁ ମା’ଦୁର୍ଗାଙ୍କ ସ୍ୱର୍ଣ୍ଣ ପ୍ରତିମା ଆଣି ରତ୍ନ ସିଂହାସନରେ ବିଜେ କରାଯିବ । ମା’ସୁଭଦ୍ରାଙ୍କ ଆଜ୍ଞାମାଳ ମା’ଦୁର୍ଗାଙ୍କୁ ଲାଗି କରାଯିବ । ଦେବୀ ମାଜଣା ମଣ୍ଡପକୁ ବିଜେ ହୋଇ ଠାକୁରାଣୀଙ୍କ କୁମ୍ଭାଭିଷେକ ହେବ । ମାଧବଙ୍କ ପ୍ରତିମୂର୍ତ୍ତିକୁ ବିଜେ କରାଯାଇ ଦୁର୍ଗାଙ୍କ ସହ ରୁନ୍ଧା ହୋଇ ଏକତ୍ର ଇନ୍ଦ୍ର ଆସନରେ ବିଜେ ହେବେ । ପରେ ସୁସଜ୍ଜିତ ବିମାନରେ ଯାଇ ମା’ବିମଳା ଠାକୁରାଣୀଙ୍କ ଜଗମୋହନରେ ବିଜେ ହୋଇ ସ୍ୱତନ୍ତ୍ର ନୀତି ହେବ । ଠାକୁରଙ୍କ ରାତି ଚନ୍ଦନଲାଗି ନୀତି ବଢ଼ିଲେ ଦୁର୍ଗାମାଧବଙ୍କୁ ବିଜେ କରାଇ ଆଣି ଭଣ୍ଡାର ଘରେ ସ୍ଥାପନା କରାଯିବ । ଷୋଳପୂଜାର ନବମ ଦିନରୁ ଦୁର୍ଗାମାଧବଙ୍କୁ ବିମାନରେ ନେଇ ଶ୍ରୀମନ୍ଦିର ସମ୍ମୁଖ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀଙ୍କ ମନ୍ଦିରରେ ବିଜେ କରାଯିବ । ଏହାକୁ ଶାକ୍ତ ତଥା ଗୁପ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ । ମା’ବିମଳାଙ୍କର ମୁଖ୍ୟପୂଜା ସୁଦ୍ଧ ସାତ୍ତ୍ୱିକ ଅଟେ । ମାତ୍ର ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀରେ ଶ୍ରୀଜଗନ୍ନାଥଙ୍କ ପହୁଡ଼ ପରେ ଦେବୀପୀଠରେ ବଳିକ୍ରିୟା ସଂପାଦିତ ହେବାର ବିଧି ରହିଛି । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଶ୍ରୀନହରରେ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବରଣ ହୋଇ ଦେବୀ ପୀଠରେ ପୂଜାର୍ଚ୍ଚନା କରିଥାନ୍ତି ।