ନୂଆଦିଲ୍ଲୀ,୨୨/୧୨; ଟିମ୍ ଇଣ୍ଡିଆର ଦ୍ରୁତ ବୋଲିଂ ଅଲରାଉଣ୍ଡର ସାର୍ଦ୍ଦୁଳ ଠାକୁର ବର୍ତ୍ତମାନ ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ କ୍ରିକେଟ୍ ଦଳର ଅଧିନାୟକ ଭାବେ ନଜର ଆସିବେ । ଏହି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ସାର୍ଦ୍ଦୁଳ ଠାକୁର ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି । ବିଜୟ ହଜାରେ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଠାକୁର ବାପା ହୋଇଛନ୍ତି । ପତ୍ନୀ ମିତାଲି ପାରୁଲକର ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏ ନେଇ ସୋସିଆଲ ମିଡିଆରେ ଖୁସି ଖବର ବାଣ୍ଟିଛନ୍ତି ସାର୍ଦୁଳ । ତେବେ ସେ ପ୍ରଥମ ମ୍ୟାଚରୁ ଦଳର ଅଧିନାୟକ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ପ୍ରଥମ ଥର ପାଇଁ ବାପା ହେଲେ ସାର୍ଦ୍ଦୁଳ - ଷ୍ଟାର ଫାଷ୍ଟ ବୋଲିଂ ଅଲରାଉଣ୍ଡର ସାର୍ଦ୍ଦୁଳ ଠାକୁର ଏବଂ ମିତାଲି ପାରୁଲକର  ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି । ସେମାନେ ସୋସିଆଲ ମିଡିଆରେ ଖୁସି ଖବର ସେୟାର କରି କହିଛନ୍ତି, " ବାପାମାଆଙ୍କ ହୃଦୟରେ ଲୁଚି ରହିଥିବା ମୌନତା, ବିଶ୍ୱାସ ଏବଂ ଅନନ୍ତ ପ୍ରେମରେ ସୁରକ୍ଷିତ । ଆମର ସିକ୍ରେଟ୍ ଶେଷରେ ସାମ୍ନାକୁ ଆସିଛି । ସେହି ସ୍ୱପ୍ନ ଯାହାକୁ ଆମେ ୯ ମାସ ଧରି ରଖିଥିଲୁ ।" ସାର୍ଦ୍ଦୁଳ ଏବଂ ମିତାଲି ଫେବୃଆରୀ ୨୭, ୨୦୨୩ରେ ବିବାହ କରିଥିଲେ । ବିବାହ ପୂର୍ବରୁ ସେମାନେ ଡେଟ୍ କରିଥିଲେ । ସେମାନେ ସୋସିଆଲ ମିଡିଆରୁ ପରସ୍ପରକୁ ଭେଟିଥିଲେ । ମିତାଲି ସର୍ବଦା ସାର୍ଦ୍ଦୁଳଙ୍କ କଷ୍ଟକର ସମୟରେ ତାଙ୍କ ସହ ଛିଡା ହୋଇ ରହିଥିଲେ । ସମର୍ଥନ କରିଥିଲେ । 

ବିଜୟ ହଜାରେ ଟ୍ରଫିରେ ଆସିବେ ନଜର- ବର୍ତ୍ତମାନ, ସାର୍ଦ୍ଦୁଳ ଠାକୁର ୩ଟି ଫର୍ମାଟରେ ମୁମ୍ବାଇର ଅଧିନାୟକତ୍ୱ କରୁଛନ୍ତି । ସୟଦ ମୁସ୍ତାକ ଅଲି ଟ୍ରଫିରେ ମୁମ୍ବାଇର ପ୍ରଦର୍ଶନ ଖରାପ ଥିଲା, କିନ୍ତୁ ରଣଜୀ ଟ୍ରଫିରେ ମୁମ୍ବାଇର ପ୍ରଦର୍ଶନ ମଧ୍ୟ ଭଲ ଥିଲା । ଏବେ, ସାର୍ଦ୍ଦୁଳ ଠାକୁର ବିଜୟ ହଜାରେ ଟ୍ରଫିର ଅଧିନାୟକତ୍ୱ କରିବେ, ଯେଉଁଠାରେ ରୋହିତ ଶର୍ମା ମଧ୍ୟ ତାଙ୍କ ଦଳରେ ଖେଳିବେ । ଠାକୁର ସମ୍ପ୍ରତି ଭଲ ପ୍ରଦର୍ଶନ କରିଛନ୍ତି ଏବଂ ବର୍ତ୍ତମାନ ଟିମ୍ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ସାର୍ଦ୍ଦୁଳ ଟିମ୍ ଇଣ୍ଡିଆ ପାଇଁ ୧୩ ଟେଷ୍ଟ, ୪୭ ଦିନିକିଆ ଏବଂ ୨୫ ଟି-୨୦ ଖେଳିଛନ୍ତି ।