ନୂଆଦିଲ୍ଲୀ: ଗୁରୁବାର ଆଇପିଏଲ ୨୦୨୫ ଲାଗି ସବୁ ଟିମ୍‌ ନିଜର ରିଟେନସନ୍‌ ତାଲିକା ଜାରି କରିଛନ୍ତି । ରିଟେନ୍‌ ହୋଇଥିବା ଖେଳାଳିଙ୍କ ସଂଖ୍ୟା ୪୭ । ସବୁଠୁ କମ୍‌, ମାତ୍ର ୨ ଜଣ ଖେଳାଳିଙ୍କୁ ରିଟେନ୍‌‌ କରିଛି ପଞ୍ଜାବ କିଙ୍ଗ୍ସ । ଟିମ୍‌ ଆଗାମୀ ଆଇପିଏଲ ଲାଗି ନୂଆ ଟିମ୍‌ ତିଆରି କରିବାକୁ ଚାହୁଁଛି । ଥରେ ହେଲେ ବି ଆଇପିଏଲ ଟ୍ରଫି ଜିତି ନଥିବା ପଞ୍ଜାବ କିଙ୍ଗ୍ସ କେବଳ ୨୦୧୪ରେ ଫାଇନାଲକୁ ଯାଇଥିଲା । ଦୀର୍ଘ ସମୟ ହେଲା ଟ୍ରଫି ଲକ୍ଷ୍ୟରେ ଥିବା ଏହି ଟିମ୍‌ ଯେଉଁ ଦୁଇ ଖେଳାଳିଙ୍କୁ ରିଟେନ କରିଛି ସେମାନେ ହେଉଛନ୍ତି, ଶଶାଙ୍କ ସିଂହ ଏବଂ ପ୍ରଭସିମରନ ସିଂହ । 

ଶଶାଙ୍କ ସିଂହଙ୍କୁ ପଞ୍ଜାବ ଟିମ୍‌ ୫ କୋଟି ୫୦ ଲକ୍ଷ ଟଙ୍କାରେ ରଖିଛି । ଏହା ସହ ସେ ସବୁଠାରୁ ମହଙ୍ଗା ଅନକ୍ୟାପ୍‌ ଖେଳାଳି ହୋଇଛନ୍ତି ।  ଶଶାଙ୍କ ସିଂହ ୨୦୨୪ ଆଇପିଏଲରେ କମାଲ ପ୍ରଦର୍ଶନ କରିଥିଲେ । ୧୬୪.୬୫ ଷ୍ଟ୍ରାଇକ୍‌ ରେଟ୍‌ରେ ୩୫୪ ରନ୍‌ କରିଥିଲେ । ଟିମ୍‌ର ଟପ୍‌ ସ୍କୋରର ହୋଇଥିବାରୁ ତାଙ୍କୁ ଦଳ ରିଲିଜ୍‌ କରିବାକୁ ଇଚ୍ଛା ପ୍ରକାଶ କରିନାହିଁ । ଦଳ ତାଙ୍କୁ ରିଟେନ କରିଥିବାରୁ ଶଶାଙ୍କ ସିଂହ ବହୁତ ଖୁସି ଥିବା ବେଳେ ୨୦୨୫ରେ ଭଲ ପ୍ରଦର୍ଶନ କରି ଦଳର ମ୍ୟାନେଜମେଣ୍ଟକୁ ଖୁସି କରାଇଦେବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି । 

ପଞ୍ଜାବ କିଙ୍ଗ୍ସ ରିଟେନସନ୍‌ ତାଲିକା ଜାରି କରିବା ପରେ ଶଶାଙ୍କ ସିଂହ ଫ୍ରାଞ୍ଚାଇଜକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଦଳ ମୋ ଉପରେ ବିଶ୍ବାସ କରିଥିବାରୁ ମୁଁ ବହୁତ ଖୁସି । ଦଳ ମୋ ଉପରେ ଯେଉଁ ଭରସା କରିଛି ମୁଁ ତାର ପ୍ରମାଣ ଦେବି । ସେପଟେ ୨୦୨୪ ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ଶଶାଙ୍କ ସିଂହଙ୍କୁ ତାଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କାରେ କିଣିଥିଲା । କିନ୍ତୁ ତାଙ୍କୁ କିଣିବା ପରେ ଦଳ ପକ୍ଷରୁ କୁହାଯାଇଥିଲା ଯେ, ତାଙ୍କୁ ଭୁଲରେ କିଣାଯାଇଛି । 

ପରେ ଦଳ ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲା । ନିଲାମୀ ତାଲିକାରେ ଶଶାଙ୍କ ସିଂହ ନାମରେ ଆଉ ଜଣେ ଖେଳାଳି ଥିବାରୁ ଭ୍ରମ ସୃଷ୍ଟି ହୋଇଥିଲା ବୋଲି ପଞ୍ଜାବ କିଙ୍ଗ୍ସ ପକ୍ଷରୁ କୁହାଯାଇଥିଲା । ଦିନେ ପରିଚୟ ଲାଗି ସଂଘର୍ଷ କରିଥିବା ଖେଳାଳି ଆଜି ସବୁଠୁ ଅଧିକ ଟଙ୍କା ପାଉଥିବା ଅନକ୍ୟାପ୍‌ ଖେଳାଳିଙ୍କ ସୂଚୀରେ ସାମିଲ ହୋଇଛନ୍ତି । ଆଗାମୀ ଆଇପିଏଲ ସିଜନ୍‌ରେ ଦୁଇ ଗୁଣ ପରିଶ୍ରମ କରି ସେ ନିଜକୁ ସାବ୍ୟସ୍ତ କରିବେ ବୋଲି କହିଛନ୍ତି ଶଶାଙ୍କ ସିଂହ ।