ନୂଆଦିଲ୍ଲୀ:  ଇତିହାସ ରଚିଛନ୍ତି ୧୮ ବର୍ଷୀୟା ଭାରତୀୟ ତୀରନ୍ଦାଜ ଶୀତଲ ଦେବୀ। ଦୁଇଟି ଯାକ ହାତ ନଥିବା ଏହି ଭାରତୀୟ ତୀରନ୍ଦାଜ ପାରାୱାର୍ଲ୍ଡ ତୀରନ୍ଦାଜ ଚାମ୍ପିଅନସିପରେ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଶୀତଲ ବିଶ୍ୱର ୧ ନମ୍ବର ଖେଳାଳି ତୁର୍କୀର ଓଜନୁର କ୍ୟୁର ଗିର୍ଦିଙ୍କୁ ୧୪୬-୧୪୩ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଶୀତଲ ଦେବୀ ପ୍ରତିଯୋଗିତାରେ ଏକମାତ୍ର ଖେଳାଳି ଥିଲେ ଯିଏ ତାଙ୍କ ଗୋଡ଼ ସାହାଯ୍ୟରେ ତୀର ମାରିଥିଲେ। ଚାମ୍ପିଅନସିପରେ ଏହା ତାଙ୍କର ତୃତୀୟ ପଦକ ।


ଶୀତଲ ପୂର୍ବରୁ ଟୋମାନ କୁମାରଙ୍କ ସହ ମିଶି କମ୍ପାଉଣ୍ଡ ମିଶ୍ରିତ ଦଳ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିଲେ। ଭାରତୀୟ ଯୋଡ଼ି ଗ୍ରେଟ୍ ବ୍ରିଟେନର ଜୋଡି ଗ୍ରୀନହାମ ଏବଂ ନାଥନ ମ୍ୟାକକୁଇନଙ୍କୁ ୧୫୨-୧୪୯ରେ ପରାସ୍ତ କରିଥିଲେ। ମହିଳା କମ୍ପାଉଣ୍ଡ ଓପନ୍ ଦଳ ଇଭେଣ୍ଟରେ, ଶୀତଲ ଏବଂ ସରିତା ଫାଇନାଲରେ ତୁର୍କୀଠାରୁ ପରାସ୍ତ ହୋଇଥିଲେ ଏବଂ ସେମାନଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ବ୍ୟକ୍ତିଗତ ଫାଇନାଲ ଏକ ରୋମାଞ୍ଚକର ପ୍ରତିଯୋଗିତା ଥିଲା। ପ୍ରଥମ ରାଉଣ୍ଡ ୨୯-୨୯ରେ ବରାବର ଥିଲା । କିନ୍ତୁ ଶୀତଲ ଦ୍ୱିତୀୟ ରାଉଣ୍ଡରେ ଲଗାତାର ତିନୋଟି ୧୦ ପଏଣ୍ଟ ହାସଲ କରି ଅଗ୍ରଣୀ ହୋଇଥିଲେ ଏବଂ ୩୦-୨୭ରେ ଜିତିଥିଲେ।

ତୃତୀୟ ରାଉଣ୍ଡ ୨୯-୨୯ ପଏଣ୍ଟରେ ଟାଇ ହୋଇଥିଲା। ଚତୁର୍ଥ ରାଉଣ୍ଡରେ ଶୀତଲ ୨୮ ପଏଣ୍ଟ ସ୍କୋର କରିଥିଲେ ।  ଶୀତଲ ଏପର୍ଯ୍ୟନ୍ତ ଦୁଇ ପଏଣ୍ଟ ଲିଡ୍ ସହ ୧୧୬-୧୧୪ ବଜାୟ ରଖିଥିଲେ। ଶୀତଲ ଶେଷ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଲଗାତାର ତିନୋଟି  ୧୦ ପଏଣ୍ଟ ହାସଲ କରି  ୩୦ ପଏଣ୍ଟ ସ୍କୋର କରିଥିଲେ ଏବଂ ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ। ଏହା ତାଙ୍କର ପ୍ରଥମ ବ୍ୟକ୍ତିଗତ ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣ ପଦକ। ସେମିଫାଇନାଲ୍‌ରେ, ଜମ୍ମୁକାଶ୍ମୀର ଖେଳାଳି ଶୀତଲ ବ୍ରିଟେନର ଜୋଡି ଗ୍ରୀନହାମଙ୍କୁ ୧୪୫-୧୪୦ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲେ। ଏହି ଫାଇନାଲ୍‌ ୨୦୨୩ ପିଲସେନ୍ ବିଶ୍ୱ ଚାମ୍ପିଅନସିପ୍‌ର ରି-ମ୍ୟାଚ୍‌ ଥିଲା । ଯେଉଁଠାରେ ଗିର୍ଦି ଶୀତଲଙ୍କୁ ୧୪୦-୧୩୮ରେ ପରାସ୍ତ କରିଥିଲେ । ଏଥର, ଶୀତଲ ପ୍ରତିଶୋଧ ନେଇଛନ୍ତ । 

ସୂଚନାଯୋଗ୍ୟ, ଜମ୍ମୁକାଶ୍ମୀରର କିଶତୱାର ଜିଲ୍ଲାର ଛୋଟିଆ ଗାଁ ଲୋଇ ଧରରେ ଜନ୍ମ ଗ୍ରହଣ କରିଥିବା ଶୀତଲ ପିଲାଟି ବେଳରୁ ହିଁ ନିଜର ଦୁଇ ହାତ ହରାଇଥିଲେ। ଶୀତଲଙ୍କ କ୍ରୀଡ଼ା ଯାତ୍ରା ୨୦୧୯ ଆରମ୍ଭ ହୋଇଥିଲା। କିଶତୱାରରେ ଆୟୋଜିତ ଯୁବ କ୍ରୀଡ଼ା ଇଭେଣ୍ଟରେ ଭାରତୀୟ ସେନାର ନଜର ଶୀତଲଙ୍କ ଉପରେ ପଡ଼ିଥିଲା। ପ୍ରଥମେ ତାଙ୍କ ଶରୀରରେ କୃତ୍ରିମ ହାତ ଲଗାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏଥିରୁ କିଛି ବି ଲାଭ ମିଳି ନଥିଲା। ଏହାପରେ ତାଙ୍କୁ ତୀରନ୍ଦାଜ ଶିକ୍ଷା ଦିଆଯାଇଥିଲା। ପ୍ରାଥମିକ ଅବସ୍ଥାରେ ସେ ଗୋଡ଼ରେ ଲକ୍ଷ୍ୟ ଭେଦ କରିବାରେ ବହୁତ ସମସ୍ୟା ଭୋଗିଥିଲେ। ତେବେ ବାରମ୍ବାର ଅଭ୍ୟାସ ପରେ ସେ ଗୋଡ଼ରେ ଧନୁ ଉଠାଇବାକୁ