ନୂଆଦିଲ୍ଲୀ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପାଇଁ ବଢିଲା ଆଡୁଆ। ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର (LOC) ଜାରି କରିଛି। ୬୦.୪୮ କୋଟି ଟଙ୍କାର ଠକେଇ ମାମଲାରେ ଏହି ନିଷ୍ପତ୍ତି ନିଆଯାଇଛି। ଦମ୍ପତିଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆସିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଦମ୍ପତିଙ୍କ ବାରମ୍ବାର ବିଦେଶ ଯାତ୍ରାକୁ ଧ୍ୟାନରେ ରଖି, ତଦନ୍ତକୁ ବାଧାପ୍ରାପ୍ତ ନ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଗୋଟିଏ ପଟେ ଏହି ମାମଲା ସାମ୍ନାକୁ ଆସିଥିବା ବେଳେ, ଅନ୍ୟପଟେ ସେ ତାଙ୍କ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ଘୋଷଣା କରିଛନ୍ତି ଏବଂ ଏହି ସମୟରେ ରାଜ କୁନ୍ଦ୍ରା ତାଙ୍କ ଆଗାମୀ ଫିଲ୍ମର ପ୍ରଚାରରେ ମଧ୍ୟ ବ୍ୟସ୍ତ ଅଛନ୍ତି।

ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଅଗଷ୍ଟ ୧୪ରେ ଶିଳ୍ପା, ରାଜ ଏବଂ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୋଗକାରୀ ଜଣକ ହେଉଛନ୍ତି ୬୦ ବର୍ଷୀୟ ବ୍ୟବସାୟୀ ଦୀପକ କୋଠାରୀ । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଋଣ ସହ ନିବେଶ ଯୋଜନା ଅଧୀନରେ ଠକେଇ କରାଯାଇଛି, ଯାହା ଫଳରେ ତାଙ୍କୁ ୬୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଲୋଟସ୍ କ୍ୟାପିଟାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍‌ର ନିର୍ଦ୍ଦେଶକ କୋଠାରୀ ଦାବି କରିଛନ୍ତି ଯେ, ସେ ରାଜ କୁନ୍ଦ୍ରାଙ୍କ ସହ ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ପରିଚିତ ହୋଇଥିଲେ । ଏହା ପରେ, ଦମ୍ପତିଙ୍କ କମ୍ପାନୀ ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡ୍ ତାଙ୍କୁ ଏକ ନିବେଶ ପ୍ରସ୍ତାବ ଦେଇଥିଲା ଏବଂ ମାସିକ ରିଟର୍ଣ୍ଣ ଏବଂ ମୂଳ ଫେରସ୍ତ ନିଶ୍ଚିତ କରିଥିଲା।

ଅଭିଯୋଗ ଅନୁଯାୟୀ, କୋଠାରୀ ୨୦୧୫ ମସିହାରେ ଦୁଇଟି କିସ୍ତିରେ ଟଙ୍କା ଟ୍ରାନସଫର କରିଥିଲେ, ଏପ୍ରିଲରେ ୩୧.୯୫ କୋଟି ଏବଂ ସେପ୍ଟେମ୍ବରରେ  ୨୮.୫୩ କୋଟି। ଏହି ସମ୍ପୂର୍ଣ୍ଣ ଅର୍ଥ ବେଷ୍ଟ ଡିଲ୍ ଟିଭିର ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା। କିନ୍ତୁ ୨୦୧୬ ମସିହାରେ ଶିଳ୍ପା ସେଟ୍ଟି କମ୍ପାନୀରୁ ଇସ୍ତଫା ଦେଇଥିଲେ। ପରେ କୋଠାରୀ ଜାଣିବାକୁ ପାଇଲେ ଯେ ଅନ୍ୟ ଜଣେ ନିବେଶକଙ୍କ ସହିତ ଠକେଇ ଅଭିଯୋଗ ଯୋଗୁଁ କମ୍ପାନୀ ପୂର୍ବରୁ ଦେବାଳିଆ ପ୍ରକ୍ରିୟାର ସମ୍ମୁଖୀନ ହେଉଛି। କୋଠାରୀ ଅଭିଯୋଗ କରିଛନ୍ତି ଯେ ସେ ଅନେକ ଥର ଟଙ୍କା ଫେରସ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କୌଣସି ସଫଳତା ମିଳିନଥିଲା। ସେ କହିଛନ୍ତି ଯେ କମ୍ପାନୀରେ କରାଯାଇଥିବା ନିବେଶ ପ୍ରକୃତରେ ଶିଳ୍ପା ଏବଂ ରାଜଙ୍କ ବ୍ୟକ୍ତିଗତ ବ୍ୟବହାର ପାଇଁ କରାଯାଇଥିଲା। ପୋଲିସ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଅନେକ ଧାରା ଅନୁଯାୟୀ ଦମ୍ପତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।