ଭୁବନେଶ୍ୱର,୨୭/୦୨: ଶିରିଡ଼ି ସାଇବାବା ସଂସ୍ଥାନ ପକ୍ଷରୁ ଶ୍ରୀ ସାଇବାବା ତାଙ୍କର ଜୀବନକାଳରେ ପରିଧାନ କରିଥିବା ମୂଳ ପାଦୁକା ଏବେ ଓଡ଼ିଶା ଆସୁଛି । ସାଇବାବା ସଂସ୍ଥାନର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପ୍ରଶାସକ ଗୋରଖ ଗାଡ଼ିଲକରଙ୍କ ନେତୃତ୍ୱରେ ସଂସ୍ଥାନର ପଦାଧିକାରୀ, କର୍ମଚାରୀ ଓ ପୂଜକମାନଙ୍କୁ ନେଇ ଏକ ୨୫ ଜଣିଆ ଟିମ୍ ପାଦୁକା ନେଇ ୧୧ ତାରିଖ ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ।
ବିମାନ ବନ୍ଦରଠାରେ ପାଦୁକାକୁ ଭବ୍ୟ ସମ୍ପର୍ଦ୍ଧନା ଜ୍ଞାପନ କରାଯିବା ପରେ ସେଠାରୁ ପାଦୁକା ବ୍ରହ୍ମପୁର ସହର ଅଭିମୁଖେ ଯାତ୍ରା କରିବ । ବ୍ରହ୍ମପୁରସ୍ଥିତ ଖଲିକୋଟ କଲେଜ ପଡ଼ିଆରେ ମାର୍ଚ୍ଚ ୧୨ ଓ ୧୩ ତାରିଖ ଦୁଇଦିନ, ଭୁବନେଶ୍ୱରର ଜନତା ମଇଦାନଠାରେ ମାର୍ଚ୍ଚ ୧୪ ଓ ୧୫ ତାରିଖ ଦୁଇଦିନ ଏବଂ କେନ୍ଦୁଝର ସହରରେ ୧୬ ଓ ୧୭ ତାରିଖ ଦୁଇଦିନ ପାଦୁକା ଦର୍ଶନ ସମାରୋହ ଅନୁଷ୍ଠିତ ହେବ । ଏହି ଅବସରରେ ଭଜନ, ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବ । ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଉତ୍ସବରେ ଉପସ୍ଥିତ ରହିବେ । ୧୩ ତାରିଖ ସନ୍ଧ୍ୟାରେ ପାଦୁକା ବ୍ରହ୍ମପୁର ସହରରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବ ।
ଆହୁରି ପଢନ୍ତୁ-ବିଏମ୍ସିର ଘରୋଇ ହୋର୍ଡିଂ ପ୍ରୀତି, ଚାପି ଦେଲେ ଜିଆଇଏସ୍ ରିପୋର୍ଟ: ଲଗାଇଛନ୍ତି ବଡ଼, ଦେବେ ଛୋଟ ହୋର୍ଡିଂର ଟଙ୍କା
୧୪ ତାରିଖ ସକାଳୁ ଏକ ବିରାଟ ପଟୁଆରରେ ପାଦୁକା ଜନତା ମଇଦାନସ୍ଥିତ ସୁସଜ୍ଜିତ ସମାରୋହ ସ୍ଥଳକୁ ଆସିବ । ପାଦୁକା ସଭାମଣ୍ଡପରେ ବିଜେ ହେବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ମଧ୍ୟାହ୍ନ ୧୨ଟାରେ ମଧ୍ୟାହ୍ନ ଆରତୀ ଓ ସୂର୍ଯ୍ୟାସ୍ତ ସମୟରେ ଶିରିଡ଼ିର ରୀତି ଅନୁସାରେ ବାବାଙ୍କର ସନ୍ଧ୍ୟା ଆରତୀ କରାଯିବ । ସନ୍ଧ୍ୟାରେ ଭଜନ, କୀର୍ତ୍ତନ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହେବ । ସେହିପରି ୧୫ ତାରିଖ ଦିନ ଦିନସାରା ଓ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ପାଦୁକା ଦର୍ଶନର ସୁଯୋଗ ଲାଭ କରିବେ । ୧୬ ତାରିଖ ଦିନ ସକାଳୁ ଭୁବନେଶ୍ୱରରୁ ପାଦୁକା ବାହାରି କେନ୍ଦୁଝର ବାମପାରାସ୍ଥିତ ଶିରିଡ଼ି ସାଇ ମନ୍ଦିରରେ ପହଞ୍ଚିବ । ସେଠାରେ ଦୁଇଦିନ ଧରି ଦର୍ଶନର କାର୍ଯ୍ୟକ୍ରମ ରହିଛି ।