ନୂଆଦିଲ୍ଲୀ,୨୬/୧୧; କର୍ଣ୍ଣାଟକରେ ରାଜନୈତିକ ପାଣିପାଗ ସରଗରମ ରହିଛି । ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ପୁଣି ଜୋର୍ ଚର୍ଚ୍ଚା ଆରମ୍ଭ ହୋଇଛି । ଉପମୁଖ୍ୟମନ୍ତ୍ରୀ ଡିକେ ଶୁବକୁମାରଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ଦିଲ୍ଲୀରେ ଡେରା ପକାଇଥିବା ଜଣାପଡିଛି । ଜଣେ ବିଧାୟକ ଏହା ଦାବି କରିଛନ୍ତି କି, ଶିବକୁମାର ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ହେବେ । ଦଳୀୟ ନେତୃତ୍ୱ ଚୂଡନ୍ତ ନିଷ୍ପତ୍ତି ନେବେ । ୨୦୨୩ ମସିହାରେ ଶିବକୁମାର ଏବଂ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ମଧ୍ୟରେ ହୋଇଥିବା ଏକ କଥିତ ଚୁକ୍ତିନାମା ଯୋଗୁଁ ରାଜ୍ୟରେ ସର୍ବୋଚ୍ଚ ପଦବୀ ପାଇଁ ଟଣାଓଟରା ଜାରି ରହିଛି ।

ରାନନଗର ବିଧାୟକ ଇକବାଲ ହୁସେନ୍ କହିଛନ୍ତି ଯେ, ସମସ୍ତ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ପାଳନ କରିବେ ଏବଂ ଶିବକୁମାରଙ୍କ ପଦୋନ୍ନତି ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ କହିଛନ୍ତି, ମୁଁ ସର୍ବଦା ବକ୍ତବ୍ୟରେ ଅଟଳ । ୨୦୦ ପ୍ରତିଶତ ସେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ହେବେ । ହାଇକମାଣ୍ଡ ନିଷ୍ପତ୍ତି ନେବେ । ଆମର ନେତ ଶିବକୁମାର ଯେପରି କହିଛନ୍ତି, କ୍ଷମତା ହସ୍ତାନ୍ତର ପାଇଁ ଗୁପ୍ତ ଚୁକ୍ତି ୫-୬ ଜଣ ଦଳୀୟ ନେତାଙ୍କ ମଧ୍ୟରେ ହୋଇଥିଲା । ସେହି ୫-୬ ଜଣ ଲୋକ ନିଷ୍ପତ୍ତି ନେବେ । ସେହିପରି ମାଦୁର ବିଧାୟକ କେଏମ ଉଦୟ କହିଛନ୍ତି, ମନ୍ତ୍ରୀମଣ୍ଡଳ ପୁନଃଗଠନ ସମୟରେ ବିଧାୟକମାନେ ନୂଆ ମୁହଁ ଏବ ଯୁବଗୋଷ୍ଠୀଙ୍କୁ ସୁଯୋଗ ଦେବାକୁ ହାଇକମାଣ୍ଡଙ୍କୁ ଅନୁରୋଧ କରିଛନ୍ତି । ଏହା ଉପରେ ବିଚାର କରାଯିବ । ବାକି ରହିଲା ଶିବୁକମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା କଥା ଏ ନେଇ ହାଇକମାଣ୍ଡ ନିଷ୍ପତ୍ତି ନେବେ ଏବଂ ସମସ୍ତେ ଏହାକୁ ପାଳନ କରିବେ ।

ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ସିଏମ୍ ସିଦ୍ଦରମୈୟା କହିଛନ୍ତି, ଏହି ପ୍ରସଙ୍ଗକୁ ନେଇ ବହୁଦିନ ହେଲା ଆଲୋଚନା ଜାରି ରହିଛି । ଦଳର ହାଇକମାଣ୍ଡ ଏହା ଉପରେ ସ୍ପଷ୍ଟ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ଯାହାଫଳରେ ଚର୍ଚ୍ଚା ଉପରେ ବିରାମ ଲାଗି ପାରିବ । ଯଦି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ସେଥିରେ ସେ ରାଜି । ତାଙ୍କ ନିଷ୍ପତ୍ତିକୁ ସେ ଗ୍ରହଣ କରିବେ । ସେହିଭଳି ଶିବକୁମାର କହିଛନ୍ତି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସେ କେବେ ବି ଦାବି କରିନାହାନ୍ତି କିମ୍ବା କାହାକୁ କହିନାହାନ୍ତି । ସେ ନିଜର ଅନ୍ତରାତ୍ମା ଅନୁସାରେ କାମ କରିଚାଲିଛନ୍ତି । ଦଳ ଅଛି ତ ଆମେ ଅଛୁ । କାର୍ଯ୍ୟକର୍ତ୍ତା ଅଛନ୍ତି ତ ଆମେ ଅଛୁ । ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ସର୍ବାଜନୀକ ଭାବେ ସେ କିଛି କହିପାରିବେ ନାହିଁ । ଏହା ଆମ ୪-୫ଜଣଙ୍କ ଭିତରେ ଗୋପନ ଡିଲ୍ ।

ସେପେଟ ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ଖଡ୍ଗେ କହିଛନ୍ତି ଯେ, କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ସାର୍ବଜନୀକ ଭାବେ ଆଲୋଚନା କରାଯିବା କଥା ନୁହେଁ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସେ ଏହି ପ୍ରସଙ୍ଗରେ ଭେଟିବାକୁ ନେଇ ଖଡ୍ଗେ କହିଛନ୍ତି ଯେ ଦଳର ଅଧ୍ୟକ୍ଷ କେଉଁଠାରେ ଏକଥା ଆଲୋଚନା କରିନାହାନ୍ତି । ସାକ୍ଷାତ ହୋଇଥିଲେ ଏହି ପ୍ରସଙ୍ଗରେ ସେ ଆଲୋଚନା କରିଥାନ୍ତେ । ଶିବକୁମାରଙ୍କ କିଛି ସମର୍ଥକ ମନ୍ତ୍ରୀ ଓ ବିଧାୟକ ଗତ ୨୩ ତାରିଖରେ ଦିଲ୍ଲୀ ଯାଇ ଦଳର ହାଇକମାଣ୍ଡଙ୍କୁ ଭେଟିଥିଲେ । ସେମାନେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଲାଗି ଦାବି କରିଥିଲେ । ଗତ ନଭେମ୍ବର ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟାଙ୍କର ୨.୫ ବର୍ଷ ପୂରଣ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି ।