ଅହମଦାବାଦ: ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୮ ଡ୍ରିମଲାଇନର ବିମାନ ଦୁର୍ଘଟଣାରେ ମୃତ ୨୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ବ୍ରିଟିଶ ପରିବାରଙ୍କୁ ଭୁଲ ମୃତଦେହ ପ୍ରେରଣ କରାଯାଇଥିବା ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଦାବି ଅନୁସାରେ, ଅହମଦାବାଦର ସରକାରୀ ହସ୍ପିଟାଲରୁ ଡିଏନଏ ପରୀକ୍ଷଣ ପରେ ସିଲବନ୍ଦ କଫିନରେ ମୃତଦେହ ବ୍ରିଟେନ ପଠାଯାଇଥିଲା। କିନ୍ତୁ ଲଣ୍ଡନ ସରକାରଙ୍କ ଦ୍ୱାରା ପରୀକ୍ଷଣ ସମୟରେ ଦୁଇଟି ପରିବାରଙ୍କୁ ଭୁଲ ମୃତଦେହ ପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଏହି ଭୁଲ ଯୋଗୁଁ ଜଣେ ପରିବାରଙ୍କୁ ଅନ୍ତିମ ସଂସ୍କାର ଯୋଜନା ବାତିଲ କରିବାକୁ ପଡ଼ିଥିଲା ବୋଲି ଜଣେ ସ୍ଥାନିୟ ଓକିଲ ସୂଚନା ପ୍ରଦାନ କରିଛନ୍ତି।
ସୂଚନା ମୁତାବକ, ଗତ ଜୁନ ୧୨ ତାରିଖରେ ଏୟାର ଇଣ୍ଡିଆର ବିମାନ ଏଆଇ୧୭୧ ଲଣ୍ଡନର ଗାଟୱିକ ବିମାନବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଅହମଦାବାଦର ସରଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ ମେଘାନୀ ନଗରରେ ଥିବା ବି.ଜେ. ମେଡିକାଲ କଲେଜର ଏକ ହଷ୍ଟେଲ ଉପରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସହ ୧୯ ଜଣ ମେଡିକାଲ ଛାତ୍ର ଓ ଅନ୍ୟ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିଲା। କେବଳ ବିଶ୍ୱାସ କୁମାର ରମେଶ ନାମକ ଜଣେ ବ୍ରିଟିଶ ନାଗରିକ ଏହି ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ।
ମୃତ ବ୍ରିଟିଶ ନାଗରିକମାନଙ୍କ ପରିବାର ମାନଙ୍କର ପ୍ରତିନିଧିତ୍ୱ କରୁଥିବା କୀଷ୍ଟୋନ ଲ ଆଇନଜୀବୀଙ୍କ କହିବା ଅନୁସାରେ, ଅହମଦାବାଦ ସିଭିଲ ହସ୍ପିଟାଲରେ ଡିଏନଏ ପରୀକ୍ଷଣ ପରେ ମୃତଦେହଗୁଡ଼ିକୁ ସିଲବନ୍ଦ କଫିନରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା। ଏୟାର ଇଣ୍ଡିଆ ଏହି ପ୍ରକ୍ରିୟାରେ କୌଣସି ଭୂମିକା ନେଇନଥିବା ଏବଂ କେବଳ ମୃତଦେହ ପରିବହନ ଓ ପରିବାରଙ୍କୁ ସମର୍ଥନ ପ୍ରଦାନ କରିଥିବା ସୂଚନା ମିଳିଛି। କେନିଅନ୍ସ ଇଣ୍ଟରନ୍ୟାସନାଲ ଇମରଜେନ୍ସି ସର୍ଭିସେସ, ଏୟାର ଇଣ୍ଡିଆ ଦ୍ୱାରା ନିୟୋଜିତ ଏକ ଏଜେନ୍ସି, ଏହି ପ୍ରକ୍ରିୟାକୁ କାର୍ଯ୍ୟକାରି କରିଥିଲା ବୋଲି ଜଣାପଡିଛି।
ଏହି ଭୁଲ ସମ୍ପର୍କରେ ତଦନ୍ତ ପାଇଁ ପରିବାରଙ୍କ ତରଫରୁ ଦାବି ଉଠିଛି। ଆଇନଜୀବୀଙ୍କ କହିବା ଅନୁସାରେ, ମୃତଦେହ କିପରି ସଂଗ୍ରହ ଓ ଚିହ୍ନଟ କରାଯାଇଥିଲା, ତାହାର କାର୍ଯ୍ୟକାରୀ ପ୍ରଣାଳି ଜାଣିବବା ପାଇଁ ଚେଷ୍ଟା ଜାରି ରହିଛି। ତେବେ ଏହି ଘଟଣା ମୃତକଙ୍କ ପରିବାରକୁ ଆହୁରି ମାନସିକ ଆଘାତ ଦେଇଛି ବୋଲି ଲ ଫାର୍ମ ଦାବି କରିଛି।
ଏୟାର ଇଣ୍ଡିଆ ଏବଂ ସରକାରୀ ଅଧିକାରୀଙ୍କ ତରଫରୁ ଏହି ଘଟଣା ସମ୍ପର୍କରେ ଆନୁଷ୍ଠାନିକ ମନ୍ତବ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଏହି ଦୁର୍ଘଟଣା ଏବଂ ତା’ପରେ ମୃତଦେହ ଚିହ୍ନଟରେ ହୋଇଥିବା ଭୁଲ ଭାରତୀୟ ବିମାନ ଚଳାଚଳ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ନିରାପତ୍ତା ଓ ସମନ୍ୱୟ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।