ନୂଆଦିଲ୍ଲୀ: ବିହାରର ପୂର୍ଣ୍ଣିଆରେ ଗୋଟିଏ ପରିବାରର ୫ ଜଣଙ୍କୁ ଗୁଣି ଗାରେଡ଼ି ଅଭିଯୋଗରେ ନିର୍ମମ ହତ୍ୟା । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ଅଛନ୍ତି । ସୂଚନା ଅନୁଯାୟୀ, ଗାଁର ବାବୁ ଲାଲ ଓରାମଙ୍କ ମାଆଙ୍କୁ ଡାହାଣୀ ବୋଲି ସନ୍ଦେହ କରିଥିଲେ ଗାଁ ଲୋକେ । ଏହା ପରେ ଲୋକମାନେ ପ୍ରଥମେ ତାଙ୍କ ପରିବାରକୁ ମାଡ଼ ମାରିଥିଲେ ଏବଂ ପରେ ସେମାନଙ୍କୁ ଜୀବନ୍ତ ଜାଳି ଦେଇଥିଲେ । ନିର୍ମମ ହତ୍ୟା ପରେ ଅଭିଯୁକ୍ତମାନେ ମୃତଦେହକୁ କୌଣସି ନିର୍ଜନ ସ୍ଥାନରେ ପୋତି ଦେଇଥିଲେ ।
ପୁଲିସର ସୂଚନା ଅନୁଯାୟୀ, ଘଟଣାଟି ମୁଫାସିଲ ଥାନା ଅଞ୍ଚଳର ରାଜିଗଞ୍ଜ ପଞ୍ଚାୟତର ଟେଟଗାମା ୱାର୍ଡ-୧୦ରେ ଘଟିଛି । ପୁଅ ସାମ୍ନାରେ ଗ୍ରାମବାସୀ ତାର ପୁରା ପରିବାରକୁ ଜୀଅନ୍ତା ଜାଳି ମାରି ଦେଇଛନ୍ତି । ଘଟଣା ପରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି ଏବଂ ପଚରାଉଚରା କରୁଛି। ମୃତକମାନେ ହେଉଛନ୍ତି, ସୀତା ଦେବୀ (୪୮ ବର୍ଷ), ବାବୁ ଲାଲ ଓରାମ (୫୦ ବର୍ଷ), କାଟୋ ଦେବୀ (୬୫ ବର୍ଷ), ମଞ୍ଜିତ ଓରାମ (୨୫ ବର୍ଷ) ଏବଂ ରାଣୀ ଦେବୀ (୨୩ ବର୍ଷ) ।
ମୃତ ମହିଳାଙ୍କ ପୁଅ ସୋନୁ କହିଛନ୍ତି ଯେ, ଗାଁର କିଛି ଲୋକ ସନ୍ଦେହ କରୁଥିଲେ ତାଙ୍କ ଜେଜେମା ଗୁଣି ଗାରେଡ଼ି କରନ୍ତି । ରବିବାର ରାତିରେ ଗାଁର ମୁଖିଆ ନକୁଳ ଓରାମଙ୍କ ନେତୃତ୍ୱରେ ଏକ ବୈଠକ ଡକାଯାଇଥିଲା । ଏଥିରେ ତାଙ୍କ ଜେଜେମାଙ୍କୁ ଡାହାଣୀ ବୋଲି ଚିତ୍ରଣ କରାଯାଇଥିଲା । ଗାଁର ପ୍ରାୟ ୨୦୦ ଲୋକ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରଥମେ କାଟୋ ଦେବୀଙ୍କୁ ଲୋକେ ଡାହାଣୀ ବୋଲି କହିଥିଲେ । ପରେ ତାଙ୍କ ପରିବାରର ସବୁ ସଦସ୍ୟ ଡାହାଣୀ ବୋଲି କହିଥିଲେ ବୈଠକରେ ଉପସ୍ଥିତ ଲୋକେ ।
ଏହାରି ଭିତରେ ଦେଖୁ ଦେଖୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ଲୋକେ ସେମାନଙ୍କୁ ପିଟି ପିଟି ଲହୁ ଲୁହାଣ କରିପକାଇଥିଲେ । ଏହା ପରେ ସେମାନଙ୍କ ଉପରେ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଛଟପଟ ହୋଇ ସମସ୍ତଙ୍କ ଶରୀରରୁ ପ୍ରାଣ ଛାଡ଼ିଯିବା ପରେ ସେମାନଙ୍କ ମୃତଦେହକୁ ଟ୍ରାକ୍ଟରରେ ଲୋଡ୍ କରି ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ ଏବଂ ସେଠାରେ ପୋତି ଦେଇଥିଲେ । ଘଟଣାସ୍ଥଳରୁ ସୋନୁ କୌଣସି ମତେ ଖସିଯିବାକୁ ସକ୍ଷମ ହୋଇଥିଲା । ସୋନୁ ଏସବୁ ଘଟଣା ସଂପର୍କରେ ପୁଲିସକୁ କହିଥିଲା । ଏବେ ୩ଟି ଥାନା ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛନ୍ତି ।